ଚୋରା ଲୁହାପଥର କାରବାର ବେଳେ ଟ୍ରକ ଓ ଲୁହାପଥର ଜବତ

ଯୋଡା, (ସମୀର କୁମାର ଦାସ) :-ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ୧୨ ଚକିଆ ଟ୍ରକ ଜବତ କରିଛି । ଏଥିରେ ଜଣକୁ ବନବିଭାଗ ଅଟକ ରଖିଛି । ବୁଧବାର ବିଳମ୍ବିତ ରାତ୍ର ପ୍ରାୟ ୨ ଟା ସମୟରେ ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଚମକପୁର ପିଆରଏଫ ଅଞ୍ଚଳରେ ଲାଇଟ ଜଳୁଥିବାର ଦେଖିବାକୁ ପାଇଥିଲେ । ଏଥିରେ ସନେ୍ଦହ ହେବାରୁ ଟିମ ଉକ୍ତ ଅଞ୍ଚଳକୁ ଯିବା ପରେ ଦେଖିବାକୁ ପାଇଥିଲା ଯେ ଝାଡଖଣ୍ଡ ରାଜ୍ୟର ଏକ ୧୨ ଚକିଆ ଟ୍ରକରେ ଲୁହାପଥର ଚୋରା ଚାଲାଣ ପାଇଁ ବୋଝେଇ ହେଉଥିଲା । ଟିମକୁ ଦେଖି ଖଣିଜ ଚୋର ମାନେ ଛତ୍ରଭଙ୍ଗ ଦେଇଥିଲେ । ତେବେ ଜଣକୁ ବନବିଭାଗ ଅଟକ ରଖିଥିବା ସୂଚନା ମିଳିଛି । ଜେଏଚ-୧୦ଭି-୬୧୫୧ ନମ୍ବର ଟ୍ରକରେ ଲୁହାପଥର ବୋଝେଇ ହେଉଥିବା ଅବସ୍ଥାରେ ବନବିଭାଗ ଜବତ କରିଥିଲା । ଏତଦବ୍ୟତୀତ ସେଠାରେ ଥିବା ପ୍ରାୟ ୩୦ ମେଟ୍ରିକ ଟନ୍ ଲୁହାପଥର ଜବତ କରିଥିଲା । ଖଣି ବିଭାଗ ପକ୍ଷରୁ ଇନଟିଗ୍ରେଟେଡ ମାଇନ୍ସ ମିନେରାଲ ମେନେଜମେଣ୍ଟ ସିଷ୍ଟମ ସଫ୍ଟୱେର ଲଗାଇ ପ୍ରତି ରୁଟରେ ଚୋରା କାରବାରକୁ ପ୍ରତିହତ କରାଯାଇ ପାରିବ ବୋଲି କୁହାଯାଉଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ସନେ୍ଦହ ଉପୁଜୁଛି । କାରଣ ସଫ୍ଟୱେର ପରିଚାଳନା କରୁଥିବା କିଛି ଅଧିକାରୀ ଓ ସରକାରୀ ଓଜନକଣ୍ଟାରେ ଥିବା କିଛି ଅସାଧୁ କର୍ମଚାରୀ ମାନେ ଏହି ଚୋରା କାରବାରକୁ ପରୋକ୍ଷରେ ପ୍ରଶ୍ରୟ ଦେଉଛନ୍ତି ବୋଲି ଖଣି ବିଷାରଦ ମତ ଦେଇଛନ୍ତି । ଗତ କିଛି ମାସ ହେବ ଚୋରା ଲୁହାପଥର ଓ ମାଙ୍ଗାନିଜ ପଥର କାରବାର କୋଇଡା ସୁନ୍ଦରଗଡ ସୀମାନ୍ତ ଅଞ୍ଚଳ, ବାଂଶପାଣି, ଜୁରୁଡି, ବାମେବାରୀ ଅଞ୍ଚଳ ତଥା କାନପୁର ଡ୍ୟାମ ନିର୍ମାଣ ହେଉଥିବା ବୁଡି ଅଞ୍ଚଳ ଏବଂ ବିଲେଇପଦା ଅଞ୍ଚଳରେ ଅହେତୁକ ପରିମାଣରେ ଚୋରା ଲୁହାପଥର କାରବାର ଅହେତୁକ ବୃଦ୍ଧି ପାଉଛି । ଟ୍ରକ ମାଲିକ, ପରିବହନକାରୀ ଠିକା ସଂସ୍ଥା ତଥା କିଛି ଖଣି ଲିଜଧାରୀ ମାନଙ୍କ ମଧ୍ୟରେ ମଧ୍ୟସ୍ତି ସାଜୁଥିବା କିଛି ବାହାର ରାଜ୍ୟର ଦଲାଲ ଆଇଥ୍ରୀଏମଏସରେ ପଞ୍ଜୀକରଣ ନକରି ଜାଲ କାଗଜରେ ଏହି କାରବାର କରୁଛନ୍ତି । ଏବଂ ଏଥିରେ କିଛି ଅସାଧୁ ସରକାରୀ ଖଣି କର୍ମଚାରୀ ସାମିଲ ଥିବା ଦାଣ୍ଡରେ ପଡି ହାଟରେ ଗଡୁଥିଲେ ମଧ୍ୟ ତଦନ୍ତ ହେଉନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ