ଚୋରି ଅଭିଯୋଗ ସହ ଜାଗା ଜବରଦଖଲ ନେଇ ଗଣ୍ଡଗୋଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ବଜାରରେ ଥିବା ନୂଆଗାଁ ଗ୍ରାମର ଶରତ ଚନ୍ଦ୍ର ପରିଡ଼ାଙ୍କ ଦୋକାନ ଗୃହର ପଛ ପାଖ କବାଟ ଭାଙ୍ଗି ୧ବସ୍ତା ପାଇପ ସକେଟ, ୪ଟି ଫ୍ୟାନ, ୨ଟି ଟୁଲୁ ପାଣିମଟର ୧୦ତାରିଖ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କବାଟ ଭଙ୍ଗା ଓ ଦୋକାନ ସାମଗ୍ରୀ ଚୋରି ସମ୍ପର୍କରେ ଶରତ ଜାଣିବା ବେଳେ ପଡ଼ୋଶୀ ଜ୍ଞାନରଞ୍ଜନ ପୁହାଣଙ୍କ ପତ୍ନୀ ଶ୍ଵେତପଦ୍ମା ନାୟକ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶରତ ଦେଖିଥିଲେ। ଏଣୁ ଶରତ ନାୟକ ଚୋରି ବାବଦରେ ପଡ଼ୋଶୀ ଶ୍ୱେତପଦ୍ମାଙ୍କୁ ସନ୍ଦେହ କରି ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୋସୋ ଥାନା କେଶ୍ ନଂ ୨୦୬/୨୦୨୪ରେ ଏକ ମାମଲା ରୁଜୁ କରି ଚୋରି ସମ୍ପର୍କରେ ତଦନ୍ତ ଚଳାଇଥିବା ବେଳେ, ଗତ ୧୨ରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ କିଛି ମହିଳା ଓ ପୁରୁଷ ଶ୍ଵେତପଦ୍ମାଙ୍କ ଘରବାଡ଼ି ସୀମାରେ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟ ଗୁଡ଼ିକୁ ଭାଙ୍ଗିଦେବା ସହ ଶୌଚାଳୟ ଗୃହର କବାଟକୁ ଭାଙ୍ଗିବା, ଘରର ଆଜବେଷ୍ଟସ ଉପରେ ପଥରମାଡ଼ କରିଥିଲେ । ଏପରିକି ଶ୍ୱେତପଦ୍ମାଙ୍କ ଘରେ ସେ ଓ ତାଙ୍କ କୁନି ଝିଅକୁ ନେଇ ଏକୁଟିଆ ରହୁଥିବା ବେଳେ ଘରେ ପଶି ତାଙ୍କୁ ମାଡ଼ ମାରିବା ଭଳି ଘଟଣା ସହିତ ଆକ୍ରମଣକାରୀମାନେ ଶ୍ୱେତପଦ୍ମାଙ୍କ ବେକରୁ ଆନୁମାନିକ ସାଢ଼େ ୩ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନାଚେନ୍ ଛିଣ୍ଡାଇ ନେଇଥିବାର ଅଭିଯୋଗ ହୋଇଛି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଶ୍ୱେତପଦ୍ମା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଘଟଣାସ୍ଥଳରେ ଶ୍ୱେତପଦ୍ମା ଓ ତାଙ୍କ କୁନି ଝିଅକୁ ଜୀବନରୁ ମାରିଦେବାର ଧମକ ଦିଆଯିବାରୁ ସେ ଡ଼ରିଯାଇ ତୁରନ୍ତ ସୋସୋ ଥାନାକୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଆକ୍ରମଣ କାରୀମାନେ ଛତ୍ରଭଙ୍ଗ ଦେଇ ପଳେଇ ଯାଇଥିଲେ। ପରେ ଶ୍ୱେତପଦ୍ମା ଗଣ୍ଡଗୋଳରେ ସାମିଲ ଥିବା ବିଦ୍ୟାଧରପୁର ଗ୍ରାମର ସୋମନାଥ ଦାସ, ଜୁଲି ଦାସ, ନୂଆଗାଁ ଗ୍ରାମର ଶରତ ଚନ୍ଦ୍ର ପରିଡ଼ା ଓ ତାଙ୍କ ପତ୍ନୀ , ଖଜ ପରିଡ଼ା ଓ ତାଙ୍କ ପତ୍ନୀ , ନବଘନ ପରିଡ଼ା ଓ ତାଙ୍କ ପତ୍ନୀ, ସୁର ପରିଡ଼ା ଓ ତାଙ୍କ ପତ୍ନୀ, ବାପୁନ ପରିଡ଼ା, ସନ୍ତୋଷ ପରିଡ଼ା, ଚିନ୍ତାମଣି ମହାନ୍ତି, ଲକ୍ଷ୍ମୀକାନ୍ତ ମହାନ୍ତି, ବାବାଜୀ ବେହେରା, ଚଗ ପରିଡ଼ାଙ୍କ ପତ୍ନୀ, ବାବୁଲି ଲେଙ୍କା, ସଢ଼ା ପଞ୍ଚାୟତ ନାହା ଗ୍ରାମର ଚଗୁଲୁ ନାୟକ, ବାଙ୍ଗୋର ଗ୍ରାମର ଶାନ୍ତୁନୁ ସାହୁ, ଗଣେଶ ସାହୁ, ବଳରାମ ସାହୁ ପ୍ରମୁଖଙ୍କୁ ମିଶାଇ ୨୧ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ୨୦୯/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଥାଉକି, ବିଦ୍ୟାଧରପୁର ଜଳସମ୍ପଦ ବିଭାଗ ଯାଗାରେ ଥିବା ପୁରୁଣା ଘର, ବଡ଼ ବଡ଼ ଗଛ ଗୁଡ଼ିକୁ ଗ୍ରାମର ଜଗନ୍ନାଥ ପୁହାଣ ଓ ଶ୍ୱେତପଦ୍ମା ନାୟକ ଅନାୟସରେ ଭାଙ୍ଗିବା ଏବଂ କାଟି ନେଇଥିବା ନେଇ ଆନନ୍ଦପୁର ବ୍ୟାରେଜ ଉପଖଣ୍ଡ-୧ ବିଦ୍ୟାଧରପୁର ଜଳସମ୍ପଦ ବିଭାଗର ତତକାଳୀନ ସହକାରୀ ଯନ୍ତ୍ରୀ ୨୦୨୩ମସିହା ଅଗଷ୍ଟ ୨୪ତାରିଖରେ ଉଭୟଙ୍କ ନାମରେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଜାଗାକୁ ଶ୍ୱେତପଦ୍ମା ଜବରଦଖଲ କରିଥିବା ସ୍ଥାନୀୟ ଲେକେ ଅଭିଯୋଗ କରି ଆସୁଛନ୍ତି । ଶ୍ୱେତପଦ୍ମାଙ୍କ କହିବାନୁସାରେ ସେ ସରକାରଙ୍କ ପକ୍ଷରୁ ୮ଡ଼ିସିମିଲ ଘରବାରୀ ପଟ୍ଟା ପାଇ ଗୃହ ନିର୍ମାଣ କରି ରହିଆସୁଛନ୍ତି। ସ୍ଥାନୀୟ ଅଞ୍ଚଳର କିଛି ନ୍ୟସ୍ତସ୍ବାର୍ଥ ଅସାମାଜିକ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ଏ ଯାଗାରୁ ବିତାଡ଼ିତ କରିବା ପାଇଁ ବିଭିନ୍ନ ଦିଗରୁ ଚାପ ପକାଇବା ସହ ବିନା କାରଣରେ ମିଥ୍ୟା ଅଭିଯୋଗ ଦର୍ଶାଇ ବାରମ୍ବାର ହଇରାଣ କରିଆସୁଛନ୍ତି। ଏପରିକି ମଙ୍ଗଳବାର ଶ୍ୱେତପଦ୍ମା ଓ ତାଙ୍କ କୁନି ଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ବେକରୁ ଏକ ସୁନାଚେନ୍ ଛିଣ୍ଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଅଭିଯୋଗ ପୃଷ୍ଠାର ୧ନଂ ତାଲିକାରେ ଥିବା ଜିଲ୍ଲପରିଷଦ ସୋମନାଥ ଦାସଙ୍କୁ ପଚାରିବାରୁ, ଶ୍ୱେତପଦ୍ମା ସହ ମୋର ବ୍ୟକ୍ତିଗତ ଭାବେ ପୂର୍ବରୁ କୌଣସି ଶତ୍ରୁତା ନଥିଲା କି ଏବେ ମଧ୍ୟ ନାହିଁ । ଏଭଳି ମାଡ଼ଗୋଳ ଘଟଣା ସମ୍ପର୍କରେ ମୁଁ କିମ୍ବା ମୋ ସ୍ତ୍ରୀ ଜୁଳି ଦାସ ଆମେ ଉଭୟ କିଛି ଜାଣିନାହୁଁ। ରାଜନୀତିର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ୱେତପଦ୍ମା ଆମ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଘଟଣା ଘଟିବା ଦିନ ମୁଁ ଓ ମୋ ସ୍ତ୍ରୀ ଘରେ ଥିଲୁ ବୋଲି ସେ କହିବା ସହ ଯଦି କୌଣସି ସନ୍ଦେହ ହେଉଛି ତେବେ ମୋ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ସେ କହିଛନ୍ତି। କେବଳ ଅଭିଯୋଗରେ ନାଁ ଲେଖିଦେଲେ ତ ହେବନି, ପୁଲିସ ଏହାର ସଠିକ୍ ତଦନ୍ତ କଲେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସୋମନାଥ କହିଛନ୍ତି। ଅଭିଯୋଗ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ନାହା ଗ୍ରାମର ଚଗୁଲୁ ନାୟକଙ୍କୁ ପଚାରିବାରୁ, ମୁଁ ଜଣେ ପଞ୍ଚାୟତ ସମିତିସଭ୍ୟ ହିସାବରେ ଜିଲ୍ଲାପରିଷଦ ସୋମନାଥ ବାବୁଙ୍କ ଘରକୁ ଯିବାଆସିବା କରେ। ଘଟଣା ଘଟିବା ଦିନ ମୁଁ ନଥାଇ ଅଭିଯୋଗ ପତ୍ରରେ ମୋ ନାଁ ଦର୍ଶାଇବା ଏକ ବାଚାଳାମି ଏବଂ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଥିଲେ। ତେବେ ଗତ ୨ଦିନ ମଧ୍ୟରେ ପୃଥକ ଘଟଣାକୁ ନେଇ ପୁଲିସ ୨ଟି ପୃଥକ ମାମଲା ରୁଜୁ କରିଛି। ପ୍ରଥମ ଅଭିଯୋଗରେ ଜଣଙ୍କ ନାମ ରହିଥିଲା ବେଳେ ଅନ୍ୟ ଅଭିଯୋଗରେ ୨୧ଜଣଙ୍କ ନାମ ଉଲ୍ଲେଖ ରହିଛି। ପୃଥକ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଘଟଣାକୁ ନେଇ ବିଦ୍ୟାଧରପୁର ବଜାରରେ ଚାପା ଉତ୍ତେଜନା ଲାଗି ରହିଛି।