ଚୋରି ଡମ୍ପର ଉଦ୍ଧାର, ଜଣେ ଗିରଫ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଦବୁନା ଠାରେ ଶନିବାର ରାତି ୮.୩୦ ମିନିଟ ସମୟରେ ଏକ ଡମ୍ପରଟିକୁ ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ଡମ୍ପରକୁ ଉଦ୍ଧାର କରିଥିବା ଜଣାପଡିଛି । ବାମେବାରୀ ପୋଲିସର ସୂଚନାନୁଯାୟୀ , ଶନିବାର ରାତି ୮.୩୦ ମିନିଟ ସମୟରେ ଡମ୍ପର ନଂ ଓଆର ୦୯ କେ ୭୬୨୯ ଗାଡିର ଡ୍ରାଇଭର ଦବୁନା କ୍ୟାମ୍ପ ଠାରେ ଗାଡି ରଖି ନିକଟସ୍ଥ ହୋଟେଲକୁ ଖାଇବା ପାଇଁ ଯାଇଥିଲେ । ଏହି ସମୟରେ ବସନ୍ତପୁର ଗ୍ରାମର ଧୀରଜ କୁମାର ପାତ୍ର ଉକ୍ତ ଡମ୍ପରଟିକୁ ଚୋରି କରି ନେଇ ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିଥିଲେ । ଗ୍ରାମବାସୀମାନେ ଗାଡିଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଧୀରଜ କୁମାର ପାତ୍ର ସେଠାରୁ ଖସି ପଳାଇଥିଲା । ଉକ୍ତ ଡମ୍ପର ମାଲିକ ଅମୂଲ୍ୟ କୁମାର ମହାନ୍ତ ଏନେଇ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ରବିବାର ବସନ୍ତପୁର ଗ୍ରାମରୁ ଅଭିଯୁକ୍ତ ଧୀରଜ କୁମାର ପାତ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି ।