ଚୋରି ପେଶା , ପାଗଳ ଅଭିନୟ
ଯୋଡ଼ା(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଗାନ୍ଧି ଛକ ନିକଟରେ କିଛି ଯୁବକ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଧରିଥିଲେ । ଯୋଡା ଥାନା ପୋଲିସ ମଙ୍ଗଳବାର ଦିନ ସନ୍ଧ୍ୟା ୭ ଟା ସମୟରେ ଚୋରି ଅଭିଯୁକ୍ତ ଯୁବକ ଲେଙ୍ଗୁଡୁ କାରୁଆକୁ ଗିରଫ କରି କେଶ ନଂ ୧୩୨/୧୯, ଦଫା ୪୫୪ , ୩୮୦ ଆଇସି ରୁଜୁ କରି କୋର୍ଟ ଚାଲଣ କରିଛି । ଏନେଇ ଯୋଡା ଥାନା ଏସଆଇ ବିଶ୍ୱଜିତ୍ ବେହେରା ସୂଚନା ଦେଇ କହିଛନ୍ତି ଯେ, ଯୁବକ ଲେଙ୍ଗୁଡୁ କାରୁଆ ଏକ ଦୋକାନରୁ ମଟର ପାର୍ଟସ୍ ସାମଗ୍ରୀ ଚୋରି କରିଥିଲା । ଲେଙ୍ଗୁଡୁ କାରୁଆ ରାତିରେ ଚୋରି କରିଥାଏ ଓ ଦିନବେଳେ ପାଗଳ ଅଭିନୟ କରିଥାଏ ବୋଲି ବେହେରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଯୋଡାର ଏକାଧିକ ଯୁବକ ମିଶି ଉକ୍ତ ଅସହାୟ ଯୁବକଙ୍କୁ ପ୍ରବଳ ମାଡ ମାରୁଥିଲେ । ସେ ପିଟିଓ ପମ୍ପ ଓ ଗାଡିର କିଛି ଅନ୍ୟାନ ଯନ୍ତ୍ରାଂଶ ଚୋରି କରି ନେଇଥିବା ଅଭିଯୋଗ କରି ନିର୍ମମ ଭାବେ ଗାଡିରେ ବାନ୍ଧି ମାଡ ମାରୁଥିଲେ । ଏହି ଘଟଣା ବେଳେ ଘଟଣାସ୍ଥଳରେ ଶତାଧିକ ଲୋକ ଉପସ୍ଥିତ ରହି ଦେଖୁଥିବା ବେଳେ କେହି ହେଲେ ସେମାନଙ୍କୁ ବାରଣ କରୁନଥିଲେ । ଓଲଟା ମୋବାଇଲ ଯୋଗେ ଏହି ଘଟଣାର ଭିଡିଓ ସୁଟିଂ କରୁଥିଲେ । ଦୁଇ ଜଣ ବ୍ୟକ୍ତି ଏହି ରାସ୍ତା ଦେଇ ଯାଉଥିବା ବେଳେ ଏହି ଘଟଣା ଦେଖି ପୋଲିସକୁ ଫୋନ ଲଗାଇଥିଲେ । ଯୋଡା ଥାନାରେ ବିଭିନ୍ନ ଅଧିକାରୀଙ୍କୁ ଫୋନ ଲଗାଇଥିଲେ ହେଁ, କୌଣସି ଅଧିକାରୀ ଫୋନ ଉଠାଇନଥିଲେ । ଶେଷରେ କେହି ଫୋନ ନଉଠାଇବାରୁ ବଡବିଲ୍ ଏସଡିପିଓ ଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ଏସଡିପିଓ ଦିଲିପ କୁମାର ବାଗ୍ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହନଚି ଉକ୍ତ ଅସହାୟ ଯୁବକଙ୍କୁ ଉଦ୍ଧାର କରିଥିଲେ । ପୋଲିସକୁ ଦେଖି ମାଡ ମାରୁଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସାରା ଭାରତ ବର୍ଷରେ ଭିଡତନ୍ତ୍ରକୁ ନେଇ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ଯୋଡା ଭଳି ସହରରେ ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।


