ଚୋରି ମୋବାଇଲ ଓ ଟଙ୍କା ଫେରିପାଇଲେ ରାଜେନ୍ଦ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ଦିନ ଚୋରି ହୋଇଥିବା ମୋବାଇଲ ଓ ଟଙ୍କା ଫେରିପାଇଲେ ମୌଳାଭଞ୍ଜା ପଞ୍ଚାୟତ ବଳଧିଆ ଗ୍ରାମର ରାଜେନ୍ଦ୍ର ପ୍ରଧାନ । ସୂଚନା ପ୍ରକାରେ ରାଜେନ୍ଦ୍ର ଗତ ୧୩ ତାରିଖ ଦିନ ନିଜ ବ୍ୟକ୍ତିଗତ କାମରେ ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ ଥିବା ୭୯ ହଜାର ଟଙ୍କା କେହି ଜଣେ ଦୁବୃର୍ତ୍ତ ଉଠାଣ କରିଛନ୍ତି । ଏହାପରେ ନିରାଶ ହୋଇ ଘରକୁ ଫେରି ନିଜ ମୋବାଇଲ ଓ କଭର ପଛରେ ଥିବା ଏଟିଏମ୍ କାର୍ଡ ଖୋଜିଥିଲେ । ରାଜେନ୍ଦ୍ର ବହୁ ଖୋଜାଖୋଜି ଏବଂ ସାହି ପଡୋଶୀଙ୍କୁ ପଚାରଉଚୁରା କରିଥିଲେ । ଯାହାଫଳରେ ସେ ୧୫ ତାରିଖ ଦିନ ପାଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୪୩୧/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଘଟଣାପରେ ପୋଲିସ ଅଭିଯୋଗ କାରୀଙ୍କ ମୋବାଇଲ ସିମ୍ କାର୍ଡ ଟ୍ରାକ୍ କରିଥିଲା । ତେବେ ଉକ୍ତ ସିମ୍ କାର୍ଡକୁ ଦୁବୃର୍ତ୍ତ ଜଣକ ରାଜେନ୍ଦ୍ରଙ୍କ ମୋବାଇଲରୁ କାଢି ନିଜ ମୋବାଇଲରେ ସିମ୍ ପକାଇ ଫୋନ୍ ପେ ଆକାଉଣ୍ଟ ଖୋଲି ରାଜେନ୍ଦ୍ରଙ୍କ ଆକାଉଣ୍ଟରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଟଙ୍କା ଚାଳାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଉକ୍ତ ଦୁଇ ଯୁବକଙ୍କୁ ଉଠାଇ ଆଣି ଥାନାରେ ତଦନ୍ତ ଚଳାଇବା ପରେ ମୁଖ୍ୟ ଅଭିଯୁକ୍ତଙ୍କ ସଠିକ ଖବର ପାଇଥିଲା । ଘଟଣାପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଥାନାକୁ ଆଣି ଜେରା କରିବା ପରେ ସେ ୧୦ ତାରିଖ ଦିନ ମୋବାଇଲ ଚୋରି କରିବା ସହ ଏଭଳି କାମ କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ , ଏଟିଏମ୍ କାର୍ଡ ଓ ଉଠାଣ ଟଙ୍କାକୁ ଜବତ କରିଥିଲା । ତେବେ ଆଜି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶ ରେ ପୋଲିସ କର୍ମକର୍ତ୍ତା ରାଜେନ୍ଦ୍ରଙ୍କ ବଳଧିଆ ଗ୍ରାମ ଘରକୁ ଯାଇ ନଗଦ ୭୯ ହଜାର ଓ ମୋବାଇଲ , ଏଟିଏମ୍ କାର୍ଡ ଫେରାଇ ଥିଲା । ତେବେ ପୋଲିସ ଏଭଳି କାର୍ଯ୍ୟଦକ୍ଷତା ପାଇଁ ରାଜେନ୍ଦ୍ରଙ୍କ ପରିବାର ସମେତ ସମଗ୍ର ପାଟପୁର ଥାନା ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇବା ସହ ଖୁବ୍ ପ୍ରଶଂସା କରିଥିବା ଜଣାପଡିଛି ।


