ଚୌକିଦାରକୁ ଇସ୍ତଫାପତ୍ର ଦେଇ ଦଳ ଛାଡ଼ିଲେ ସାଂସଦ
ଲକ୍ଷେ୍ନø(ଏଜେନ୍ସି): ଉତ୍ତରପ୍ରଦେଶ ରାଜ୍ୟ ବିଜେପିର ସାଂସଦ ତଥା ଜଣେ ପୁରୁଣା ନେତା ଆଜି ଦଳ ଛାଡିବାକୁ ନେଇ ଯେତିକି ଆଲୋଚନା ନହେଉଛି, ତା’ଠାରୁ କାହିଁ କେତେଗୁଣରେ ଅଧିକ ଚର୍ଚ୍ଚା ହେଉଛି ତାଙ୍କର ଇସ୍ତଫା ପତ୍ର ଦେବାର ତରିକାକୁ ନେଇ । ମିଳିଥିବା ସୂଚନାନୁସାରେ ସାଂସଦ ଅନଶୁଲ ବର୍ମା ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ନେଇ ସେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ ମାତ୍ର ଦଳୀୟ ସଭାପତିଙ୍କୁ ଇସ୍ତଫା ପତ୍ର ନଦେଇ ବାହାରେ ବସିଥିବା ଜଣେ ଚୌକିଦାରକୁ ଦେଇଥିଲେ । ଏଥିସହ ସେ ଉକ୍ତ ଚୌକିଦାରକୁ କିଛି ଟଙ୍କା ମଧ୍ୟ ଦେଇଥିଲେ ଏବଂ ଚାଲିଯାଇଥିଲେ । ୨ଠ୧୪ ନିର୍ବାଚନରେ ଉତ୍ତରପ୍ରଦେଶର ହରଦୋଇ ଆସନରୁ ଜିତି ସାଂସଦ ହୋଇଥିବା ଅନଶୁଲ ବର୍ମାଙ୍କୁ ଚଳିତ ଥର ଦଳ ପକ୍ଷରୁ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ହୋଇପଡି ଏପ୍ରକାର ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । କୁହାଯାଉଛି, ତାଙ୍କ ବଦଳରେ ଏଥର ଏହି ଆସନରେ ବିଜେପି ଜୟପ୍ରକାଶ ରାୱତଙ୍କୁ ପ୍ରାର୍ଥୀ କରିବାକୁ ନେଇ ସେ ଆହୁରି କ୍ରୋଧିତ ହୋଇଯାଇଥିଲେ ଏବଂ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ଅନୁଶୁଲ ବର୍ମା ଆଜି ବିଜେପିରୁ ଇସ୍ତଫା ଦେବା ପରେ ପରେ ସିଧାସଳଖ ଯାଇ ସମାଜବାଦୀ ପାର୍ଟିରେ ଯୋଗଦେଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ‘ମୈ ଭି ଚୌକିଦାର’ ପ୍ରଚାର ଦ୍ୱାରା ବେଶ୍ ପ୍ରଭାବିତ ହୋଇ ସେ ଆଜି ଜଣେ ଚୌକିଦାରକୁ ଇସ୍ତଫା ପତ୍ର ଦେଇଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।


