ଚୌଦ୍ୱାର ଦଶହରା ପୂଜା କମିଟି ମୁଖପାତ୍ର “ବିରାଟ ଚୌଦ୍ୱାର” ଉନ୍ମୋଚିତ
ଚୌଦ୍ୱାର, (ଦୀପକ୍ କୁମାର ବେଉରା) : କୋଭିଦ୍ କଟକଣା ଯୋଗୁଁ ପ୍ରସିଦ୍ଧ ଚୌଦ୍ୱାର ରୂପଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେଉନାହିଁ । ହେଲେ ପରମ୍ପରାକୁ ଦୃଷ୍ଟିରେ ରଖି କେବଳ ୪୦ଟି ପୂଜାମଣ୍ଡପରୁ ମେଢ ଗୁଡିକ କଟକଣା ମଧ୍ୟରେ ବିନା ଶୋଭାଯାତ୍ରାରେ ରୂପଯାତ୍ର ପଡିଆକୁ ଆସି ବିସର୍ଜନ ନିମନ୍ତେ ଯିବେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ସୂଚନା କେନ୍ଦ୍ର ମଧ୍ୟରେ ଯାତ୍ରାର ଉଦ୍ଘାଟନି ଉତ୍ସବ ଅବସରରେ ଦଶହରା ପୂଜା କମିଟିର ମୁଖପାତ୍ର “ବିରାଟ ଚୌଦ୍ୱାର” ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ୍ଣ କୋବିଡ କଟକଣା ମଧ୍ୟରେ ଯାତ୍ରା କମିଟି ସଭାପତି ସୁବୋଧ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନାରାୟଣ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକ, ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡା, ବିଷ୍ଣୁ ଚରଣ ବେହେରା, ରବିନାରାୟଣ ସାହୁ ଅତିଥିଭାବେ ଉପସ୍ଥିତ ଥିଲେ । ପ୍ରଥମେ ଅତିଥିମାନେ ରୂପଯାତ୍ରାର ପ୍ରତିଷ୍ଠାତା ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ମଙ୍ଗରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥିମାନେ ମିଳିତଭାବେ ମୁଖପାତ୍ର “ବିରାଟ ଚୌଦ୍ୱାର” ର ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ବିରଞ୍ଚି ନାରାୟଣ ପତି ସମସ୍ତେ କମିଶନରେଟ ପୁଲିସ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ଭଷାଣୀ ଉତ୍ସବକୁ ପରିଚାଳନା କରିବାକୁ ଅନୁରୋଧ କରିଥିଲେ । ଉତ୍ସବକୁ ସୂର୍ଯ୍ୟନାରାୟଣ ଦାସ, ସରୋଜ ନାୟକ, ସୁଜିତ କୁମାର ଜେନା, ନରୋ ମ ଦାସ, ଗୋଲୋକ ନାୟକ, ପରିଚାଳନାରେ ସହଯୋଗ କରିଥିଲେ ।


