ଛଅ ନମ୍ବର ୱାର୍ଡ କାଉନସିଲର ଭେଙ୍କଟ ରାବଣାଙ୍କ ଅକାଳ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଛଅ ନମ୍ବର ୱାର୍ଡ କାଉନସିଲର ତଥା ବିଜେଡିର ଜଣେ ଟାଣୁଆନେତା ଭାବେ ପରିଚିତ ଜି.ବେଙ୍କଟ ରାବଣା (୫୧) ଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ରାରଣା ଆଜି ଅପରାହ୍ନ ସମୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଜର ସ୍ବାସ୍ଥ୍ୟ ଚିକିତ୍ସା ନିମନ୍ତେ ଯାଇଥିଲେ । ହେଲେ ସେଠାରେ ସେ ଟଳିପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ପ୍ରଚାରିତ ହେବାପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଥିଲା । ସ୍ବର୍ଗତ ଭେଙ୍କଟ ରାବଣା ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିବା ବେଳେ ସେ ଛାତ୍ର ଜୀବନରୁ ହିଁ ରାଜନିତୀରେ ପାଦଥାପିଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢିବା ସମୟରେ ଦୁଇ ଦୁଇ ଥର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହି ଛାତ୍ର ଜୀବନରୁ ହିଁ ସେ ସମାଜସେବକ ଭାବେ ପାରଳା ସହରରେ ଖୁବ ପରିଚିତ ହୋଇଥିଲେ । ପରେ ସେ ଭାଜପାରେ ଯୋଗଦେଇ ଜିଲ୍ଲାସଭାପତି ମଧ୍ୟ ହୋଇଥିଲେ । ହେଲେ ୨୦୨୨ ପୌର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିଲେ । ସେବେଠାରୁ ସେ ବିଜେଡିର ଜଣେ ତୁଙ୍ଗ ନେତାଭାବେ ସକ୍ରିୟ ହୋଇ ପାରିଥିଲେ । ସ୍ବର୍ଗତ ରାବଣା ଜଣେ ମିଷ୍ଠଭାଷୀ, ପରଉପକାରୀ, ବନ୍ଧୁବତ୍ସଳ ପ୍ରକୃତିର ଲୋକ ହୋଇଥିବାରୁ ବିଶେଷ ପାରଳା ସହରର ଜଣ ସାଧାରଣଙ୍କ ପ୍ରିୟଭାଜନ ଥିଲେ । ଯେ କୌଣସି ବ୍ୟକ୍ତି ଯେତେବେଳେ ରାବଣାଙ୍କ ସହାୟତା ଲୋଡିବ ତକ୍ଷଣାତ ସେ ହାଜର ହେଇଯାଉଥିଲେ । ବିଶେଷ କରି ଯୁବ ଗୋଷ୍ଠିଙ୍କୁ ନେଇ ତାଙ୍କର ବେସ୍ ଖ୍ୟାତି ଥିଲା । ସେହିଭଳି ସମାଜସେବା କ୍ଷେତ୍ର ବହୁ କାମ କରିଯାଇଛନ୍ତି । ସ୍ବର୍ଗତ ରାବଣା ଏପରି ଏକ ବ୍ୟକ୍ତିତ୍ବ ଥିଲେ ଯେ ସେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ତାଙ୍କର ସାଥି ଥିଲେ । ଏଭଳି ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗକୁ କେହି ସହଜରେ ବିଶ୍ବାସ କରିପାରୁ ନାହାନ୍ତି । ତାଙ୍କର ନିଧନରେ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସହରର ଜନସାଧାରଣ ଏବଂ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।