ଛତିଶଗଡ଼ ଛୁଇଁଲେ ପଙ୍ଗପାଳ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବେଶ କଲେ ପଙ୍ଗପାଳ ପଲ । ଛତିଶଗଡ଼ କୋରିଆଁ ଜିଲ୍ଲାର ଭରତପୁର ଜଙ୍ଗଲରେ ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ପଙ୍ଗପାଳ ପଲ ଗାଁକୁ ମୁହାଁଇବା ସମ୍ଭାବନା ଥିବାରୁ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି । ଏବେ ପଙ୍ଗପାଳ ଦଳ ବସ୍ତର ଜିଲ୍ଲାକୁ ମୁହାଁଇବା ଆଶଙ୍କା କରାଯାଇଛି । ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପଙ୍ଗପାଳ ପହଞ୍ଚିଛନ୍ତି । ପଙ୍ଗପାଳ ଦଳକୁ ଘଉଡ଼ାଇବା ପାଇଁ ଗାଁ ଲୋକେ ଉଦ୍ୟମ ଜାରି ରଖିଛନ୍ତି । ବାଣ ଫୁଟାଇ, ଟିଣ ବାଡେ଼ଇ ଲୋକମାନେ ପଙ୍ଗପାଳ ଦଳକୁ ଘଉଡ଼ାଉଛନ୍ତି । ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବା ସୂଚନା ମିଳିଛି । ଛତିଶଗଡ଼ରୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ୩ କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ଓୟୁଏଟି ଡିନ ଲଳିତ ମୋହନ ଗଡ଼ନାୟକ କହିଥିଲେ ଯେ, ଓଡ଼ିଶାକୁ ଜୁନରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ । ବର୍ଷା ଆରମ୍ଭ ହେଲେ ସେମାନେ ପଳାଇବେ । ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଟିମ ଗଠନ ସହ ଏସଓପି ଜାରି ହେବ । ଓୟୁଏଟି ଓ ବିଦ୍ୟାଧର ଫାର୍ମର କୀଟ ତତ୍ତ୍ୱବିତଙ୍କୁ ନେଇ ଟିମ ଗଠନ ହେବ । ଏସଓପି ଜାରି କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ । ଦୈନିକ ରିପୋର୍ଟ ଜିଲ୍ଲା ଓ ବ୍ଲକସ୍ତରରୁ ଅଣାଯିବ । କୃଷି ନିର୍ଦ୍ଦେଶକଙ୍କ ଅଧୀନରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପ୍ରେୟର ଓ ଟ୍ରାକ୍ଟର ପାଇଁ ସରକାରଙ୍କୁ କୁହାଯାଇଛି ବୋଲି ଓୟୁଏଟି ଡିନ ଲଳିତ ମୋହନ ଗଡ଼ନାୟକ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ