ଛତିଶଗଡ଼ ପୋଲିସର ଦାଦାଗିରି ଚନ୍ଦାହାଣ୍ଡି ବ୍ଲକ ଟିଭି ସାମ୍ବାଦିକଙ୍କୁ ଫାଇରିଂ ଧମକ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଜୋନରେ କାର୍ଯ୍ୟରତ ଏକ ଘରୋଇ ଟି ଭି ଚାନେଲର ସାମ୍ବାଦିକଙ୍କୁ ଛତିଶଗଡ ଅମଲିପଦର ପୋଲିସ ଦ୍ଵାରା ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି । ଟି ଭି ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଟାକ୍ରି ଜଣେ ଦକ୍ଷ ସାମ୍ବାଦିକ ଭାବେ ଚାନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ଦିନ ୧୨ଟା ବେଳେ କୋଇଲିମୁଣ୍ଡା ଗ୍ରାମ ନିକଟସ୍ଥ ଏକ ଢାବା ହୋଟେଲରେ ଛତିଶଗଡ ପୋଲିସ କର୍ମଚାରୀ ମାନେ ହୋଟେଲରୁ ଜୋର ଜବରଦସ୍ତ ଜିନିଷପତ୍ର ବୋହି ନେଉଥିବା ଓ ହୋଟେଲ ମାଲିକଙ୍କୁ ଧମକ ଚମକ ଦେଉଥିବା ଦେଖିବାକୁ ପାଇଥିଲେ । ସେ ଏହି ଦୃଶ୍ୟ ନିଜ ମୋବାଇଲରେ ଉତ୍ତୋଳନ କରିବା ବେଳେ ଛଅରୁ ସାତ ଜଣ ଛତିଶଗଡ ପୋଲିସ ପୂର୍ଣ୍ଣଙ୍କ ଦୁଇଟି ମୋବାଇଲ ଓ ଟିଭି ବୁମ ଛଡେଇ ନେବା ସହ ସେମାନେ ସଙ୍ଘବଦ୍ଧ ଭାବେ ଲାତବିଧା ମାରି ରିପୋଟରର୍ଗିରୀ ଦିଖାଏଗା ତୋ ଶାଲେ କୋ ଫାଇରିଙ୍ଗ କରଦେଙ୍ଗେ ବୋଲି ଧମକେଇ ଥିଲେ। ଏଥିସହ ପୂର୍ଣ୍ଣ ଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ୨୫ ବର୍ଷୀୟ ଯୁବକ ସୂରଜ ବଗର୍ତି ଙ୍କୁ ଜୋର ଜବରଦସ୍ତ ଟାଣି ନେଇ ସେମାନଙ୍କ ଗାଡିରେ ବସାଇ ନେଇ ଯାଇଛନ୍ତି । ଏହାକୁ ନେଇ ଚନ୍ଦାହାଣ୍ଡି ଥାନାରେ ପୂର୍ଣ୍ଣ ଏତଲା ଦେଇଛନ୍ତି। ଏହି ଘଟଣାକୁ ଜିଲ୍ଲା ୱାର୍କିଂ ଜର୍ନାଲିଷ୍ଟ ଯୁନିଅନ ସଭାପତି ପି ପ୍ରକାଶ କଡା ନିନ୍ଦା କରିବା ସହ ଦୁର୍ବ୍ୟହାର କରିଥିବା ଛତିଶଗଡ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।