ଛତିଶଗଡ ର ୧୬ ଇଟାଭାଟି ଶ୍ରମିକ ଦିଗପହଣ୍ଡି ରାସ୍ତାକଡ ରୁ ଉଦ୍ଧାର : ତହସିଲଦାର କଲେ ତଦନ୍ତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଗଣିଆନାଳ ଛକ ରାସ୍ତାକଡ ରୁ ଛତିଶଗଡ ଅଞ୍ଚଳର ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ସେମାନଙ୍କ ମଧ୍ୟରେ ୨ ଶିଶୁ ଙ୍କ ସମେତ ୭ ମହିଳା ଥିବା ଜଣାପଡିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ବିଳମ୍ବିତ ରାତି ରେ ଉଦ୍ଧାର ଶ୍ରମିକମାନଙ୍କୁ ସିଦ୍ଧେଶ୍ଵର ଗ୍ରାମ ହାଇସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ରେ ସେମାନଙ୍କୁ ଥଇଥାନ କରାଯାଇଥିଲା। ଗୁରୁବାର ମଧ୍ୟାହ୍ନରେ ଦିଗପହଣ୍ଡି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର,ରାଜସ୍ଵ ନୀରିକ୍ଷକ ଫକୀର ମୋହନ ରାଉତ,ତିଳୋତ୍ତମା ଦୋରା କ୍ୱାରେଣ୍ଟାଇନ ସେଣ୍ଟର ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ସିଦ୍ଧେଶ୍ଵର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା ଜଣାଇଛନ୍ତି। ଉଦ୍ଧାର ଅଣଓଡ଼ିଆ ଶ୍ରମିକ ରଥରାମ୍ ଟେଣ୍ଡନ୍,ନରେଶ ଜୋଲେହେ,ନବୀନ ଟେଣ୍ଡନ, ହିରାଲାଲ କୁରେ, ଅବିନାଶ ୱାରେ, ରାମକୃଷ୍ଣ ଟେଣ୍ଡନ,ବିଜୟ କୁମାର ଟେଣ୍ଡନ,କହ୍ନେୟା ୱାରେ ଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ଯେ ସେମାନେ ଗତ ପ୍ରାୟ ୪ ମାସ ହେଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ଗ୍ରାମସ୍ଥିତ ରୋହିତ ନାହାକ ଙ୍କ ଇଟାଭାଟି ରେ ଚୁକ୍ତିଭିତ୍ତିକ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।ଲକ୍ ଡାଉନ୍ ପରଠାରୁ କାମ ବନ୍ଦ ଥିଲା।କାମବନ୍ଦ ପରେ ଇଟାଭାଟି ମାଲିକ କିଛିଦିନ ସେମାନଙ୍କୁ ଖାଦ୍ୟସାମଗ୍ରୀ ଯୋଗାଣ ପରେ ଗତ ରବିବାର ଠାରୁ ଖାଦ୍ୟସାମଗ୍ରୀ ଦେଇନଥିଲେ।ଯାହାକିଛି ଖାଦ୍ୟସାମଗ୍ରୀ ଥିଲା ସେସବୁ ସରିଯାଇଥିଲା।୨ ଦିନ ଦୁଃଖକଷ୍ଟ ରେ ଚଳି ଯାଇଥିଲେ।ଖାଦ୍ୟ ତାଡନା ଅସହ୍ୟ ହେବାରୁ ସେମାନେ ଭୋକ ଓପାସ ରେ ସେଠାରେ ପଡି ରହିବା ଅପେକ୍ଷା ବାଧ୍ୟହୋଇ ବୁଧବାର ରାତି ପ୍ରାୟ ୯ ଟା ରେ ପିଲାଛୁଆ ଙ୍କୁ ଧରି ଚାଲି ଚାଲି ଗାଁ ଅଭିମୁଖେ ବାହାରିଥିଲେ । ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ଏନେଇ ଖବର ପାଇବା ପରେ ଗଞ୍ଜାମ ଜିଲାପାଳ ଙ୍କୁ ଏନେଇ ସବିଶେଷ ସୂଚନା ଦେଇଥିଲେ।ରାତି ପ୍ରାୟ ସାଢେ଼ ୧୧ ଟା ରେ ଶ୍ରମିକ ମାନଙ୍କୁ ସିଦ୍ଧେଶ୍ଵର – ଗଣିଆନାଳ ଛକଠାରେ ଠାବ କରାଯାଇଥିଲା।ବିଡ଼ିଓ ହଳଧର ଶବର ଙ୍କ ଠାରୁ ସୂଚନାପାଇ ସରପଞ୍ଚ ପ୍ରତିନିଧି କିଛି ଗ୍ରାମବାସୀଙ୍କ ସହ ଗଣିଆନାଳ ଛକ ରେ ପହଞ୍ଚି ଶ୍ରମିକମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରିବାସହ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ରେ ରଖିଥିଲେ। ଗୁରୁବାର ସକାଳେ ସେମାନଙ୍କୁ ଜଳଖିଆ ଓ ମଧ୍ୟାହ୍ନ ରେ ରନ୍ଧାଖାଦ୍ୟ ଦିଆଯାଇଥିଲା। ପରେ ସମସ୍ତ ଶ୍ରମିକଙ୍କୁ କୋଟିନଡ଼ା ଗ୍ରାମ ସ୍ଥିତ ଇଟାଭାଟି ପରିସରରେ ଥିବା ଅସ୍ଥାୟୀ ବାସଗୃହ କୁ ନିଆଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିୟମିତ ରନ୍ଧାଖାଦ୍ୟ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ