ଛତିଶଗଡ଼ ବସ୍ ଦୁର୍ଘଟଣାରେ ବେଲଗୁଣ୍ଠା ବ୍ଲକ୍ ରୁ ଦୁଇ ଶ୍ରମିକ ମୃତ

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ): କରୋନା ଭୟରେ ଗତ ମଇ ଏବଂ ଜୁଲାଇ ମାସରେ ଲକ୍ଷ ଲକ୍ଷ ଶ୍ରମିକ ସୁରତ, ତାମିଲନାଡ଼ୁ, ମହାରାଷ୍ଟ୍ର ଭଳି ଅଞ୍ଚଳରୁ ନିଜ ଭିଟାମାଟିକୁ ଫେରିଥିବା ବେଳେ ନିଜ ଅଞ୍ଚଳରେ କୌଣସି କାମ ଧନ୍ଦା ନ ପାଇ ଲକ୍ ଡ଼ାଉନ୍ କୋହଳ ହେବା ପରେ ନିଜ ପେଟ ପାଟଣା ପାଇଁ ଏବେ ପୁଣି ସେହି ଶ୍ରମିକମାନେ ବାହାର ରାଜ୍ୟକୁ ଛୁଟିବାରେ ଲାଗିଛନ୍ତି ଓ ବିଶେଷ କରି ଗୁଜୁରାଟର ସୁରତ ଅଞ୍ଚଳରୁ ଲକ୍ଷାଧିକ ଶ୍ରମିକ ଜିଲ୍ଲାକୁ ଫେରିଥିବା ବେଳେ ବିଭିନ୍ନ ଦଲାଲମାନଙ୍କ ଦ୍ଵାରା ବସ୍ ଯୋଗେ ସେମାନେ ପୁଣି ସୁରତ ଫେରୁଛନ୍ତି ଓ ସେହିପରି ପରି ଗତ କାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଆସ୍କା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଆଦି ବ୍ଲକ୍ ରୁ ୬୦ ରୁ ଉର୍ଦ୍ଧ୍ଵ ଶ୍ରମିକକୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆଜି ଭୋର୍ ସମୟରେ ଛତିଶଗଡ଼ର ରାୟପୁର ନିକଟସ୍ଥ ଚେରି ଖେଡ଼ି ଠାରେ ଦୁର୍ଘଟଣାର ଶିକାର ହୋଇ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ଓ ଆଠ ମୃତକଙ୍କ ମଧ୍ୟରେ ବେଲଗୁଣ୍ଠଓ ବ୍ଲକ୍ ର ଦୁଇ ଜଣ ଯୁବକ ରହିଛନ୍ତି ଓ ପ୍ରଥମ ମୃତକ ଜଣଙ୍କ ବେଲଗୁଣ୍ଠା ବ୍ଲକ୍ ର କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ହରିହର ସାହିର ସୁଶାନ୍ତ ସ୍ଵାଇଁ (୩୬) ବୋଲି ଜଣା ପଡ଼ିଛି ଓ ମୃତକ ସୁଶାନ୍ତ ୧୨ ବର୍ଷ ତଳେ ବିବାହ କରିଥିଲାବେଳେ ତାଙ୍କର ଗୋଟିଏ ୧୦ ବର୍ଷର ଝିଅ ଏବଂ ୫ ବର୍ଷର ପୁଅ ରହିଛି | ମୃତକ ସୁଶାନ୍ତ ଏବଂ ତାଙ୍କ ଭାଇ ମଇ ମାସରେ ସୁରତରୁ ଗାଆଁକୁ ଫେରିଥିବା ବେଳେ ଏବେ ସୁଶାନ୍ତ ପ୍ରଥମେ ସୁରତ ଯାଇ କାମ ବ୍ୟବସ୍ଥା କରି ବିଷ୍ଣୁକୁ ଡାକିବ ବୋଲି କହିଥିଲେ ଓ ସେହିପରି ବେଲଗୁଣ୍ଠା ବ୍ଲକ୍ ର ଦ୍ଵିତୀୟ ମୃତକ ଜଣଙ୍କ ହେଲେ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରି ଗ୍ରାମର ସ୍ଵର୍ଗତ ପଞ୍ଚୁ ଗୁରୁଙ୍କ ପୁତ୍ର ନାରାୟଣ ଗୁରୁ (୨୬) | ନାରାୟଣ ଚାରି ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଏବଂ ସ୍ତ୍ରୀ ସୁଜାତା ଚାରି ମାସର ଗର୍ଭବତୀ ଅଛନ୍ତି|ମୃତକ ନାରାୟଣ ଆଠ ମାସ ତଳେ ତିନି ଲକ୍ଷ ଟଙ୍କା ଧାର କରି ଘର ତିଆରି କରିଥିବା ବେଳେ ସେହି ଧାର ଟଙ୍କାକୁ ଶୁଝିବା ପାଇଁ ଅନ୍ୟ ଉପାୟ ନ ପାଇ ସୁରତ କାମ କରିବାକୁ ବାହାରିଥିଲେ , ନାରାୟଣଙ୍କ ବାପା ପଞ୍ଚୁ ମଧ୍ୟ ମୁମ୍ବାଇରେ ଶ୍ରମିକ ଭାବେ କାଯ୍ୟ କରୁଥିବା ବେଳେ ଗତ ବର୍ଷ ଟାଇ ଫଏଡ୍ ଜ୍ଵରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ | ଏବେ ପୁଅ ଚାଲିଯିବା ପରେ ବିଧବା ବୁଢି ମାଆ ବିଧବା ବୋହୂ ଏବଂ ନାତିକୁ ନେଇ ଚଳିବା କଷ୍ଟକର ହୋଇପଡିବ ବୋଲି ଆଲୋଚନା ହେଉଛି | ଦୁଇ ଯୁବକଙ୍କ ମୃତ୍ୟୁରେ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି| ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ସହ ନାରାୟଣଙ୍କ ପରିବାର ଏବଂ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ସହ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଓ ସୂଚନା ଯୋଗ୍ୟ ଯେ ପ୍ରତି ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ