ଛତ୍ରପୁରରେ ଧର୍ମଘଟ;ରେଳରୋକ ସହ ଅଫିସ, ଦୋକାନ ବଜାର ବନ୍ଦ
ଛତ୍ରପୁର,(ଦେବଦତ୍ତ ମହାରଣା): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଦେଖିବାକୁ ମିଳିଛି । ଛତ୍ରପୁରଠାରେ ସିପିଆଇ, କଂଗ୍ରେସ ଓ ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ଓ ଚାଷୀ ନେତା ମାନେ ଏକତ୍ର ହୋଇ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ l ଏହାକୁ ସଫଳ କରିବା ନିମନ୍ତେ ସମସ୍ତେ ଏକ ହୋଇ ବାଇକ ଶୋଭାଯାତ୍ରା ମାଧ୍ୟମରେ ପିକେଟିଂ କରି ବିଭିନ୍ନ ଅଫିସ, ଦୋକାନ ବଜାର ବନ୍ଦ କରିଛନ୍ତି । ସ୍ଥାନୀୟ ରେଳ ଷ୍ଟେସନଠାରେ ଏଆଇଟିୟୁସି, ଆଇଏନଟିୟୁସି ଏବଂ କିଛି ଶ୍ରମିକ ସଙ୍ଗଠନ ର ମିଳିତ ଆନୁକୁଲ୍ୟରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନକୁ ୮ଟାରୁ ୮.୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ଏଥିରେ ଆଇଏନଟିୟୁସି ନେତା ଜି.ଏରେୟା, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, କଂଗ୍ରେସ ନେତା ଭାଗିରଥୀ ବେହେରା, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଅମିନ ଖାଁ, ସିପିଆଇର ଯୁବନେତା ଚିଙ୍କରା ବେହେରାଙ୍କ ସମେତ ବହୁ ଶ୍ରମିକନେତା ମାନେ ଏହି ରେଳରୋକରେ ସାମିଲ ହୋଇଥିଲେ । ସେହିପରି ଛତ୍ରପୁରର ବିଭିନ୍ନ ସ୍ଥାନକୁ ବାଇକ ଯୋଗେ ଶୋଭାଯାତ୍ରାରେ ବାହାରି ପିକେଟିଂ ମାଧ୍ୟମରେ ଶ୍ରମିକ ନେତାମାନେ ବିଭିନ୍ନ ଦୋକାନ ବଜାର ବନ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ବ୍ଲକ କାର୍ଯ୍ୟାଳୟ, ଏନଏସି କାର୍ଯ୍ୟାଳୟ, ଗଞ୍ଜାମ ଆରଟିଓ କାର୍ଯ୍ୟାଳୟ, କୋର୍ଟ, ଜିଲ୍ଲା ଯୋଗାଣ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଅଫିସ,ପୋଷ୍ଟ ଅଫିସ ଓ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବନ୍ଦ କରିଥିଲେ । କାର୍ଯ୍ୟାଳୟ ଅଧିକାରୀମାନଙ୍କୁ ଅଫିସ ନଯିବା ସହ ଏହି ଧର୍ମଘଟକୁ ସଫଳ କରିବା ନିମନ୍ତେ ସେମାନେ ଅନୁରୋଧ କରିଥିଲେ । ଏଥିରେ ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ଆଇନଜୀବୀ ଡି.ଆଦିନାରାୟଣ ରେଡ୍ଡି, ପ୍ରଫୁଲ କୁମାର ପାଣିଗ୍ରାହୀ, ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ.ଭାନୁମତି ରେଡ୍ଡି, କଂଗ୍ରେସ ନେତା ଭାଗିରଥୀ ବେହେରା, ଗଣପତି ବାରିକ, ଏଚଏମଏସର ରାଜେନ୍ଦ୍ର ପ୍ରସାଦ ଦାସ, ମମତା ନାୟକ, ସିପିଆଇ ନେତା ଚିଙ୍କରା ବେହେରା, ସିପିଏମ୍ ନେତା ପର୍ଶୁରାମ ଗୌଡ଼, ବହୁଜନ କ୍ରାନ୍ତି ମୋର୍ଚ୍ଚାର ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନ ସଂଘର ସଭାପତି କାଳୁଚରଣ ନାୟକଙ୍କ ସମେତ ବହୁ ଶ୍ରମିକ, ଚାଷୀ ମାନେ ଏହି ଧର୍ମଘଟରେ ସାମିଲ ହୋଇଥିଲେ ।