ଛତ୍ରପୁରରେ ପଞ୍ଚସୂତ୍ରୂୀ ନିୟମକୁ ତଦାରଖ କରିଲେ ଗଂଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଦୀର୍ଘଦିନ ବ୍ୟବଧାନ ପରେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଦୋକାନ କୁ ଦୋକାନ ବୁଲି ମଙ୍ଗଳାବର ସନ୍ଧ୍ୟାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯାଞ୍ଚ କରିଛନ୍ତି । ଅପରବସଷ୍ଟାଣ୍ଡ ଠାରୁ ମୁଖ୍ୟରାସ୍ତା ଦେଇ ଦାଶିରି ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ଜିଲ୍ଲାପାଳ ଚାଲି ଚାଲି ସମସ୍ତ ଦୋକାନ ଯାଞ୍ଚ କରିଥିଲେ । ସାମାଜିକ ଦୂରତା, ବ୍ୟାରିକେଡ୍, କଣ୍ଟାକ୍ଟ ଡାଏରୀ, ମାସ୍କ୍ ଓ ସାନିଟାଇଜର ଆଦି ପଞ୍ଚସୂତ୍ରୂୀ ନିୟମକୁ ଦୋକାନୀ କଡାକଡି ଭାବେ ପାଳନ କରୁଥିବା ନେଇ ଜିଲ୍ଲାପାଳ ସନ୍ତୋଷଜନକ ହୋଇଥିଲେ । ଏହାସହ ସହରର ସଫେଇ କାର୍ଯ୍ୟକୁ ମଧ୍ୟ ତନଖୀ ଦେଖିଥିଲେ । ଯେଉଁ ମାନେ ଡଷ୍ଟବିନ୍ ବ୍ୟବହାର କରୁ ନାହାଁନ୍ତି ସେମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଛତ୍ରପୁର ସହରରେ ନାଇଟ୍ ସିପ୍ଟରେ ସଫେଇ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲଙ୍ଗେ ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରୋଗୀଙ୍କ ବିଷୟରେ କିଛି ସନ୍ଦେହ ଜାତ ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ନିମନ୍ତେ ଔଷଧ ଦୋକାନୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଯାଞ୍ଚ ବେଳେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ , ପରିମଳ ନୀରିକ୍ଷକ ଗୌରହରୀ ପଣ୍ଡା, ଏସ୍.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା, ଜଗଦୀଶ ରେଡ୍ଡୀ, ଶ୍ରୀମଦ୍ ପାତ୍ର ଓ ଠିକାଦାର ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।