ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା ) :ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତାରେ ରହି ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡସ୍ତରରେ ରାଜସ୍ୱ ଆଦାୟ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଗୁରୁତ୍ୱାରୋପ କରିଥିଲେ । ବସୁନ୍ଧରା ଯୋଜନାରେ ରହି ଯାଇଥିବା ହିତାଧିକାରୀ ମାନଙ୍କୁ ଚୟନ କରି ଅଗଷ୍ଟ ୩୧ ତାରିଖ ସୁଦ୍ଧା ସେମାନଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ଉପଜିଲ୍ଲାପାଳ କହିଥିଲେ । ଏହା ସହିତ ବକେୟା ରହିଥିବା ସଇରାତ୍ ଗୁଡ଼ିକ ତୁରନ୍ତ ନିଲାମ୍ କରି ନିୟମିତ କରିବା, ଗ୍ରାମ କଣ୍ଠକ ଜାଗା ଗୁଡ଼ିକ ନିର୍ଦ୍ଧାରିତ ଧାର୍ଯ୍ୟ ତାରିଖ ଅନୁସାରେ ନିୟମିତ କରିବା, ବେବନ୍ଦୋବସ୍ତ କେଶ୍ ଗୁଡ଼ିକ ତୁରନ୍ତ ଫଇସଲା କରିବା, ନିୟମିତ ଚଢାଉକୁ ଜାରି ରଖିବା ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ପ୍ରାଧାନ୍ୟ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରାଜସ୍ୱ ଅଧିକାରୀ ଡ. ବିଜୟାନନ୍ଦ ସେଠୀ, ଆସିଂଟାଣ୍ଡ୍ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ ପ୍ରଧାନ , ରାଜସ୍ୱ ବିଭାଗର ଅଖିଳ ସାବତଙ୍କ ସମେତ ଉପଖଣ୍ଡ ସ୍ତରର ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି କରୋନା ଲାଗି ବହୁ ଦିନ ବ୍ୟବଧାନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।