ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଶନିବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରି ଉପଖଣ୍ଡସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମକଣ୍ଠକ ଦାଖଲ ଖାରଜ, ବେ ବନ୍ଦୋବସ୍ତ ମକଦ୍ଦମା ଗୁଡିକର ତୁରନ୍ତ ଫୈସଲା କରି ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ନୀତ କରିବାକୁ କୁହାଯାଇଛି । ସେହିପରି ବସୁନ୍ଧରା ଯୋଜନାରେ ହିତାଧିକାରୀ ମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ମଧ୍ୟ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ଉପଖଣ୍ଡସ୍ତରର ୫ – ଟି ରୁପାନ୍ତରିତ ହୋଇଥିବା ୧୩୮ ଟି ହାଇସ୍କୁଲର ପଟ୍ଟା ତୁରନ୍ତ ପ୍ରଦାନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା । ବନ୍ୟା, ବାତ୍ୟା ସାପକାମୁଡା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ବରଣ ଲୋକଙ୍କ ପରିବାର ବର୍ଗକୁ ସରକାରଙ୍କ ପକ୍ଷରୁ ଆସୁଥିବା ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବା , ସରକାରୀ ଜମିର ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲ।। ରାଜସ୍ୱ ବିଭାଗର ଅଧିନରେ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସୁବିଧା ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ଶ୍ରୀ ପାତ୍ର କହିଥିଲେ । ମୋ ଗାଁରେ ତହସିଲ କାର୍ଯ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀ ମାନଙ୍କ ନିକଟରେ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ଏହାକୁ ଅଧିକ ମାତ୍ରାରେ କରିବାକୁ କୁହାଯାଇଛି । ଚଳିତ ବର୍ଷ ବର୍ତ୍ତ ମାନ ସୁଦ୍ଧା ଛତ୍ରପୁର ଉପଖଣ୍ଡରେ ଲଘୁ ଖଣିଜ ଚୋରା ଚାଲାଣ ବେଳେ ୮୩୩ ଟି ଗାଡି ଜବତ କରାଯାଇ ୨ କୋଟି ୮୯ ଲକ୍ଷ ୩୦ ହଜାର ୯୨୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ଜମିଜମା ଫୈସଲା କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବାପାଇଁ ଉପଜିଲ୍ଲାପାଳ ଶ୍ରୀ ପାତ୍ର ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କହିଥିଲେ । ଏହି ସମୀକ୍ଷା ବୈଠକରେ ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରାଙ୍କ ସମେତ ଉପଖଣ୍ଡସରର ବହୁ ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ ।