ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ସମ୍ମିଳନୀ କକ୍ଷ ପରିସରରେ ରୋଗୀ କଲ୍ୟାଣ ସମିତିର ପରିଚାଲନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଡାକ୍ତର ଓ କର୍ମଚାରୀମାନେ ନିଜର ମନୋବଳ ଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ପରିସରରେ ଥିବା ତ୍ରିନାଥ-ସୁନ୍ଦରୀ ସ୍ୱତନ୍ତ୍ର କ୍ୟାବିନ୍ ଏବଂ ରେଡ୍କ୍ରସ୍ର ଥିବା ସ୍ୱତନ୍ତ୍ର କ୍ୟାବିନ୍ ଗୁଡିକର ମରାମତି ନିମନ୍ତେ ଆଲୋଚନା କରିଥିଲେ । ନିରାୟମ ୨୪ ଘଣ୍ଟା କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଥିବା ଫାର୍ମାସିଷ୍ଟ ପଦବି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର ହୋଇଛି । ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ପାଇଁ ମହିଳା ସ୍ୱୟଂ ସହାୟକମାନଙ୍କୁ ନିୟୋଜିତ କରିବା ପାଇଁ ଆଲୋଚନା ହୋଇଛି । ଖାଲି ପଡିଥିବା ଭେଷଜ ଓ ସର୍ଜରୀ ବିଭାଗର ଡାକ୍ତର ପଦବି ପୂରଣ ବିଷୟରେ ଆଲୋଚନା ହୋଇଥିଲା । ଡାକ୍ତରଖାନାକୁ ଅଲଟ୍ରାସାଉଣ୍ଡ୍ ମେସିନ୍ ଶୀଘ୍ର ଆସିବା ଲାଗି ବିଧାୟକ ଫୋନ୍ ମାଧ୍ୟମରେ କଥା ହୋଇଥିଲେ । ଏହାସହ ସ୍ପେଶାଲିଷ୍ଟ ଡାକ୍ତରମାନଙ୍କୁ କେବଳ ସକାଳ ୮ଟାରୁ ୧୨ ଟା ମଧ୍ୟରେ ସୀମିତ ନରଖି ବାକି ସମୟରେ ମଧ୍ୟ ରୋଗୀଙ୍କୁ ସେବା ଯୋଗାଇ ଦେବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୌଡ ସ୍ୱାଗତଣ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ କାୟାକଳ୍ପ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସମସ୍ତ କମିଟି ସଦସ୍ୟ ଶୁଭେଚ୍ଛା ଜଣାଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ସାଉଥ୍କୋର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ବଲ୍ଲଭ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ କାଳୁ ଚରଣ ପାତ୍ର, ଜିଇଡି ଯନ୍ତ୍ରୀ ପଙ୍କଜ ରଣା,ଏବିଇଓ ନୃସିଂହଚରଣ ମିଶ୍ର, ବିଜୟ କୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡା, ଏସ୍.ରେଖା ମହାନ୍ତି, ବସନ୍ତ କୁମାର ମହାରଣା ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ ।


