ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସୋମବାର ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସ୍ତରରେ କିପରି ସଡକ ଦୁର୍ଘଟଣା ରୋକାଯାଇ ଧନଜୀବନ ରକ୍ଷା କରାଯାଇପାରିବ ସେଥି ନିମନ୍ତେ ଉପଜିଲ୍ଲାପାଳ କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ କେଉଁ କେଉଁ ଅଂଚଳରେ ବେଶିସଡ଼କ ଦୁର୍ଘଟଣା ଘଟୁଛି ସେଥି ନିମନ୍ତେ ଏକ ଯୁଗ୍ମ ଟିମ୍ ତଦାରଖ କରି ତାର ଡାଟାବେଶ୍ ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳ କହିଥିଲେ । ସ୍କୁଲ, କଲେଜ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ସଡକ ନିୟମ ଉପରେ ବ୍ୟାପକ ସଚେତନତା କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଦୁର୍ଘଟଣା ରେ ଆହାତ ଓ ଗୁରୁତର ବ୍ୟକ୍ତି ମାନଙ୍କୁ ଚିକିତ୍ସାଳୟ ଗୁଡିକରେ ଉପଯୁକ୍ତ ସେବା ପ୍ରଦାନ କରିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱ ଦେବା ସହ ପୋଲିସ୍ ଓ ଆଂଚଳିକ ପରିବହନ ବିଭାଗ ପକ୍ଷରୁ କଡାକଡି ଏନଫୋର୍ସମେଣ୍ଟ କରିବା ନିମନ୍ତେ ସେ କହିଥିଲେ । ଜାତୀୟ ରାଜପଥର ଅବହେଳା ଓ ବିଭିନ୍ନ ରାସ୍ତା ଗୁଡିକ ଗାଇ ଗୋରୁଙ୍କ ଅବରୋଧ ଯୋଗୁଁ ବିଭିନ୍ନ ସମୟରେ ଲୋକମାନେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଯାହା ଫଳରେ ବହୁ ଜୀବନ ହାନୀ ଘଟୁଛି । ଏହାକୁ ରୋକିବା ନିମନ୍ତେ ସେ କହିଥିଲେ । ଦୁର୍ଘଟଣା ହେବା ମାତ୍ରକେ ପ୍ରଥମ ଦେଖାଣାହାରୀ ମାନେ ଗୋଲ୍ଡେନ ହାୱାର ପିରିୟଡ ରେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କଲେ ଦୁର୍ଘଟଣା ଆହାତ ଓ ଗୁରତର ବ୍ୟକ୍ତି ମାନେ ମୃତ୍ୟୁ ମୁଖରୁ ବଂଚି ପାରିବେ ବୋଲି ମଧ୍ୟ କୁହାଯାଇଛି । ଯେଉଁ ମାନେ ଏହି କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ସେମାନଙ୍କୁ ଗୁଡ୍ ସମରିଟନ ଭାବେ ମାନପତ୍ର ସହ ୨ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରାଯାଉଛି । ଜିଲ୍ଲାର ଚିହ୍ନଟ ହୋଇଥିବା ବ୍ଲାକ ସ୍ପଟ ଗୁଡିକରେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ଷକ ଫେଜ ୧ , ଫେଜ ୨ ରେ ୫୦୦ ରୁ ଉଦ୍ଧ୍ୱ ବିଭିନ୍ନ ଦୋକାନୀ ଓ ପ୍ରଥମ ରେସପଣ୍ଡକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ଖୋର୍ଦ୍ଦା ଜିଲ୍ଲା ଠାରୁ ଦୁର୍ଘଟଣାରେ କମ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଅଧିକ ରହିଛୀ । ଯେହେତୁ ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ଘଟୁ ଘଟୁ ଆହାତ ଓ ଗୁରୁତର ମାନଙ୍କୁ ଗୋଲ୍ଡେନ ହାୱାର ସମୟରେ ଉପଯୁକ୍ତ ଚିକିତ୍ସା ସୁବିଧା ହୋଇପାରୁନଥିବାରୁୁ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ଜଣାପଡିଛି । ତେଣୁ ସମସ୍ତ ଚିକିତ୍ସାଳୟରେ ଦୁର୍ଘଟଣା ଗସ୍ତ ଆହାତ ଓ ଗୁରୁତର ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ସ୍କୁଲ ଓ କଲେଜର ଗାଡି ଗୁଡିକ ନିୟମିତ ଯାଂଚ କରାଯିବା ସହିତ ବିନା ହେଲମେଟରେ ଗାଡି ଚଲାଉଥିବା ବ୍ୟକ୍ତି ମାନଙ୍କ ଉପରେ କଡାକଡି ଯାଂଚ କରିବା ପାଇଁ କୁହାଯାଇଛି । ଛତ୍ରପୁର ଡିଆରଡିଏ ଛକ, କଲେଜ ଛକରେ ବହୁବାର ଦୁର୍ଘଟଣା ହେଉଥିବାରୁ ଏଠାରେ ଅଟୋ ସିଗନାଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୈଠକରେ ଆଲୋଚନା ହେବା ସହ ଏହା କିପରି କାର୍ଯ୍ୟକ୍ଷମ ହୋଇପାରିବ ସେଥି ନିମନ୍ତେ ଆଂଚଳିକ ପରିବହନ ବିଭାଗକୁ କୁହାଯାଇଛି । ବିଶେଷ କରି ମଦ୍ୟପାନ କରି ଗାଡି ଚଳାଚଳ କରିବା, ଗାଡି ଓଭରଲୋଡ ରେ ଚଳାଇବା, ସ୍ପିଡ ଚଳାଇବା ସମେତ ବିଭିନ୍ନ ସମୟରେ ଆଂଚଳିକ ପରିବହନ ବିଭାଗ ଦ୍ୱାରା ଯାଞ୍ଚ ଚାଳକ ମାନଙ୍କ ଲାଇସେନ୍ସ ଗୁଡିକ ୩ ମାସ ପର୍ଯ୍ୟନ୍ତ ରଦ୍ଦ କରିବା ନିମନ୍ତେ ସୁପାରିସ୍ କରାଯାଇଛି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଏ ଦିଗରେ ସଚେତନତା ହେଲେ ସେମାନେ ସେମାନଙ୍କ ଅଭିଭାବକ ମାନଙ୍କୁ ସଠିକ୍ ଭାବେ ଏହି ନିୟମ ପାଳନ କରିବା ପାଇଁ ପ୍ରବର୍ତ୍ତାଇବେ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଆଗାମୀ ଦିନରେ ଛତ୍ରପୁର ଉପଖଣ୍ଡ ସ୍ତରରେ ସଡକ ଦୁର୍ଘଟଣା ରୋକାଯାଇପାରିବ ସେଥି ନିମନ୍ତେ ସମସ୍ତେ ଆଗଭର ସହିତ କାମ କରିବା ନିମନ୍ତେ ଉପଜିଲ୍ଲାପାଳ କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଏମଭିଆଇ ରବିନ୍ଦ୍ର ନାଥ ଜେନା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଛତ୍ରପୁର ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମଳୟ ସାହୁ, ଛତ୍ରପୁର ଏନଏସି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ