ଛତ୍ରପୁର ଏନଏସିକୁ ମୁନିସିପାଲଟି ଘୋଷଣା କରିବା ନିମନ୍ତେ ଅଣ୍ଟା ଭିଡିଲା ନାଗରିକ କମିଟି

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ସଦର ମହକୁମା ତଥା ସର୍ବ ପୁରାତନ ଛତ୍ରପୁର ଏନଏସିକୁ ମୁନିସିପାଲଟି ଘୋଷଣା କରିବା ନିମନ୍ତେ ଛତ୍ରପୁର ନାଗରିକ କମିଟି ଅଣ୍ଟା ଭିଡିଛି । ଏନେଇ ଆଜି ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ନାଗରିକ କମିଟିର ଏକ ସ୍ୱତନ୍ତ୍ର ବୈଠକରେ ଛତ୍ରପୁର ସହରର ବୁଦ୍ଧିଜୀବି, ଆଇନଜୀବି ଓ ସର୍ବ ଦଳୀୟ ନେତା ମାନେ ଯୋଗ ଦେଇ ଛତ୍ରପୁର ର ବିଭିନ୍ନ ଉନ୍ନତି ସକାଶେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ୧୯୫୫ ମସିହା ଠାରୁ ଛତ୍ରପୁର ଏନଏସି କାର୍ଯ୍ୟକାରୀ ହୋଇଥିବା ବେଳେ ବର୍ତ୍ତମାନ ମୁନିସିପାଲଟି ନିମନ୍ତେ ସମସ୍ତ ପ୍ରକାର ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ମୁନିସିପାଲଟି ଘୋଷଣା କରାଯାଇନାହିଁ । ଏଣୁ ଏନଏସି କୁ ତୁରନ୍ତ ମୁନିସିପାଲଟି ଘୋଷଣା କରିବା ଦାବୀ ନେଇ ନାଗରିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ହଂସପୁର ଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଛତ୍ରପୁର କୁ ହେଉଥିବା ଜଳ ଯୋଗାଣ ସମୟକୁ ବୃଦ୍ଧି କରାଯାଇ ୪ ଘଣ୍ଟା କରାଯାଉ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ର ମାନ୍ୟତା ପ୍ରଦାନ କରାଯାଉ ଏବଂ ଆଇଆଇସିୟୁ ଓ ଟ୍ରୋମା ସେଣ୍ଟର ପ୍ରତିଷ୍ଠା କରାଯାଉ, ଡିଆରଡିଏ ଓ କଲେଜ ଛକ ଠାରେ ଓଭରବ୍ରିଜ ନିର୍ମାଣ ନ ହେବା ପର୍ଯ୍ୟନ୍ତ ନିୟମିତ ଟ୍ରାଫିକ ପୋଷ୍ଟରେ ପୋଲିସ୍ ମୃତୟନ କରାଯାଉ, ଏହା ସହ ଯାନବାହାନ ବେଗ ନିୟନ୍ତ୍ରଣ କାର୍ଯ୍ୟକ୍ଷମ କରାଯାଉ, ନୂତନ ବସଷ୍ଟାଣ୍ଡରେ ସମସ୍ତ ଦୃତଗାମୀ ବସ୍ ରହଣି ସହ ପୁରୁଣା ବସଷ୍ଟାଣ୍ଡ ଦେଇ ଯାତାୟତ କରିବାକୁ ଅନୁମତି ଦିଆଯାଉ, ଋଷିକୁଲ୍ୟା ଜଳ ସେଚନ ପ୍ରଣାଳୀ ଛତ୍ରପୁର ଦେଇ ଯାଇଥିବା କେନାଳ ଗୁଡିକର ପୁନଃରୁଦ୍ଧାର କରାଯାଉ ଯାହା ଫଳରେ ସମସ୍ତ ବନ୍ଧରେ ଥିବା ପାନୀୟ ଜଳର ସମସ୍ୟା ଦୂର ହୋଇପାରିବ, ଛତ୍ରପୁର ଠାରେ ଦୃତ ଗାମୀ ଟ୍ରେନ ରହଣି ଓ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ଗୁଡିକ ଛତ୍ରପୁରକୁ ଅଣାଯାଉ, ଛତ୍ରପୁର ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଭଳି ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା । ଦୀର୍ଘ ବର୍ଷ ପରେ ଅଲମ୍ପିକ ରେ ମହିଳା/ ପୁରୁଷ ହକି ଟିମ୍ ଭାରତ ପାଇଁ ଗୌରବ ଆଣିଦେଇଥିବା ବେଳେ ନାଗରିକ କମିଟି ପକ୍ଷରୁ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଯାଇଥିଲା । ଏହି ବୈଠକରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଘନଶ୍ୟାମ ଚୈାଧୁରୀ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଋଷିକୁଲ୍ୟ ରୟତ ମହାସଭାର ସିମାଞ୍ଚଳ ନାହାକ, କାଳି ପ୍ରସାଦ ଦାଶ, କବି ମନୋଜ କୁମାର ବେହେରା, ଅନାମ ଚନ୍ଦ୍ର ପ୍ରଧାନ, ସୁଧିର ସାହୁ, ସୋମନାଥ ସାହୁ, ପର୍ଶୁରାମ ଗୌଡ, କେ. ସତ୍ୟ ନାରାୟଣ ରେଡ୍ଡି, ଡି. ଆଦି ନାରାୟଣ ରେଡ୍ଡି, ବାବୁ ନାହାକ, ଅରୁଣ କୁମାର ଶତପଥୀ, ଡଃ ରାଜେନ୍ଦ୍ର କୁମାର ଦାଶ, ଦିଲ୍ଲୀପ କୁମାର ସାମଲ, ଅଜିତ କୁମାର ସେଠୀ, ପୂର୍ବତନ ଉପନଗରପାଳ ରାମଚନ୍ଦ୍ର ବେହେରା, ଜି. ଶେଷୁ ରେଡ୍ଡି, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ