ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଛତ୍ରପୁର ,(ଦେବଦତ୍ତ ମହାରଣା): ସ୍ଥାନୀୟ ପୁଲିସ ଗ୍ରାଉଣ୍ଡ୍ ଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଯୋଜନା ଓ ସଂଯୋଜକ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯାଗ ଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ତାଙ୍କ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାରେ ଘୁମୁସର ବିଦ୍ରୋହ ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ୱାଧିନତା ସଂଗମର ପଦଧ୍ୱନୀ ଏବେ ଇତିହାସରେ ଗୁଞ୍ଜରୀତ ହେଉଛି । ଓଡିଶାର ପ୍ରଥମ ଖଦି କେନ୍ଦ୍ର ଗଞ୍ଜାମରେ ହୋଇଥିଲା । ଗଞ୍ଜାମର ଅର୍ଜୁନ ବେହେରା, ନନ୍ଦ କିଶୋର ମିଶ୍ର,ଦିବାକର ପଟ୍ଟନାୟକ,ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ,ଶ୍ରୀରାମ ଚନ୍ଦ୍ର ମର୍ଦ୍ଦରାଜ,ଶଶି ଭୂଷଣ ରଥ ଭଳି ଅନେକ ସଂଗ୍ରାମୀଙ୍କୁ ଏହି ଅବସରରେ ସେ ସ୍ମରଣ କରିଥିଲେ । ଗଞ୍ଜାମ ମାଟି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, କବିସୁର୍ଯ୍ୟ ବଳଦେବ ରଥ ଓ କବି ଗୋପାଳ କୃଷ୍ଣଙ୍କୁ ଜନ୍ମ ଦେଇଛି । ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟଙ୍କ ପରି କୃତୀ ସନ୍ତାନ ଏହି ମାଟିର ଗୌରବ ବୃଦ୍ଧି କରିଛନ୍ତି । ଓଡିଶାର ସାମାଜିକ – ସାସ୍କତିକ- ରାଜନୈତିକ – ଅର୍ଥ ନୈତିକ ଓ ଆଧ୍ୟାତ୍ମିକ ପ୍ରେକ୍ଷାପଟକୁ ଗଞ୍ଜାମର ଅବଦାନ ଅତୁଳନୀୟ । ଆଜି ସାରା ଓଡିଶାରେ ଗଞ୍ଜାମ ହେଉଛି ବୃହତ୍ତମ ଜନବହୁଳ ଜିଲ୍ଲା । ଗଞ୍ଜାମ ଜିଲ୍ଲାର କଳା ସ୍ଥାପତ୍ୟ ଓ ସଂସ୍କୃତି , ନୃତ୍ୟ ଓ ଲୋକକଳା , ସଙ୍ଗୀତ.ଲୋକବାଦ୍ୟ , କାବ୍ୟକବିତା, ଭାଷା ଆନ୍ଦୋଳନରେ ଭାଗିଦାରି ପ୍ରଦର୍ଶନ କରିଥିବା ସମସ୍ତ କୃଷକ ମାନଙ୍କ ମହାନ୍ କାର୍ଯ୍ୟଧାରା ଏବେ ମଧ୍ୟ ସାରା ରାଜ୍ୟର ଜନଜୀବନକୁ ପ୍ରଭାବିତ କରିଛି । ମୁଁ ଆଜିର ପବିତ୍ର ଲଗ୍ନରେ ଗଞ୍ଜାମ ଜିଲ୍ଲା ମାଟିକୁ ଆଭୁମ ପ୍ରଣାମ କରୁଛି । ଗତ ଏକ ବର୍ଷ ଧରି ସମଗ୍ର ବିଶ୍ୱ କୋଭିଡ୍ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି । କୋଭିଡ୍ ଦ୍ୱାରା ଆମର ସାମାଜିକ ଜୀବନ ଓ ଅର୍ଥ ନୈତିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ରହିଛି । ତେବେ କୋଭିଡ୍ ପରିଚାଳନାରେ ଭିତ୍ତିଭୁମି ସୃଷ୍ଟି ,ସମୟ ଉପଯୋଗୀ ଚିକିତ୍ସା ସେବା ଯୋଗାଇ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଏବଂ ନିର୍ଣ୍ଣାୟକ ନିଷ୍ପତ୍ତି ପାଇଁ ଓଡିଶା ଏ କ୍ଷେତ୍ରରେ ସାରା ଦେଶରେ ଉଦାହରଣ ସୃଷ୍ଠି କରିଛି । ଏଥିପାଇଁ ବିଶ୍ୱ ସ୍ତରୀୟ ସ୍ୱୀକୃତି ସାଙ୍ଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଆମ ରାଜ୍ୟକୁ ପ୍ରଶଂସା କରିଛି । କୋଭୀଡ୍ ଯୋଦ୍ଧା ଡାକ୍ତର,ନର୍ସ , ପୋଲିସ୍, ପୌର କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କୋଭିଡ ରେ ପ୍ରାଣବଳୀ ଦେଇଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଗଞ୍ଜାମ ଜିଲ୍ଲା ଜନବହୁଳ ଜିଲ୍ଲା ହୋଇଥିବାରୁ କୋଭିଡ୍ ନିୟନ୍ତ୍ରଣରେ ଏକ ଅଗ୍ରଣୀୟ ଭୁମିକା ଗ୍ରହଣ କରି ଲୋକଙ୍କ ସୁରକ୍ଷା ଦିନରାତି ଅହରହ କାର୍ଯ୍ୟ କରୁଥିଲେ ଏଠାକାର ପ୍ରଶାସନିକ ଅଧୀକାରୀ ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧୀକାରୀ ଗଣ । ସେଥି ସକାଶେ ସମସ୍ତଙ୍କୁ ସେ ପ୍ରଶଂସା କରିଥିଲେ । ଗଞ୍ଜାମ ଜିଲ୍ଲାର ବିକାଶ ନିମନ୍ତେ ଅନେକ ଗୁଡିଏ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ କ୍ରୀଡାର ବିକାଶ ନିମନ୍ତେ ହିଞ୍ଜିଳି ଓ ଛତ୍ରପୁର ଠାରେ ମଲ୍ଟି ପର୍ପୋଜ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏବଂ ହକି ଖେଳର ବିକାଶ ଦିଗରେ ଆଷ୍ଟ୍ରୋ ଟ୍ରୁଫ୍ ପ୍ରସ୍ତୁତ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକାରେ ତାହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ବ୍ରହ୍ମପୁର ସହରରେ ବହୁ ପୁରାତନ ରାମଲିଙ୍ଗେଶ୍ୱର ପୋଖରିର ପୁନଃଉଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇସାରିଚି , ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣି ମନ୍ଦିରର ବିକାଶ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଜିଲ୍ଲାର ପାନୀୟ ଜଳ ସକାଶେ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଜାନବିଲ୍ ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁରର ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଛି । ବ୍ରହ୍ମପୁର ସହର ମଧ୍ୟରେ ରେଲୱେ ଓଭରବ୍ିଜ୍ କରାଯାଇ ଲୋକଙ୍କ ସୁବିଧା ଯାତାୟତ ଦିଗରେ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ତାମ୍ପରା,ପୋତାଗଡ,ଜଉଗଡ ଅଂଚଳର ଉନ୍ନତି କରି ପର୍ଯ୍ୟଟନର ବିକାଶ ଦିଗରେ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଗୋପାଳପୁର,ସୁନାପୁର ବେଳାଭୁମିର ବିକାଶ ସକାଶେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇି ଓ ଛତ୍ରପୁର ଠାରେ ବହୁ ପୁରାତନ ପିଲି ବନ୍ଧର ପୁନଃରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟମାନ ଓ ଶିଶୁ ଉଦ୍ୟାନ କାର୍ଯ୍ୟ କରାଯାଉଛି । ଜିଲ୍ଲାର ସମ୍ପୁର୍ଣ୍ଣ ବିକାଶ ଦିଗରେ ମୁଖ୍ୟ ମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପୁର୍ଣ୍ଣ ପ୍ରୟାସ ଜାରି ରହିଛୀ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । କୋଭିଡ୍ ଏ ପର୍ଯ୍ୟନ୍ତ ସଂପୁର୍ଣ୍ଣ ଭାବେ ଅପସରି ନାହିଁ । ବର୍ତ୍ତମାନ ରାଜ୍ୟ ସରକାର ବ୍ୟାପକ କୋଭିଡ୍ ଟିକାକରଣ ଜାରି ରଖିଛନ୍ତି । ଯେଉଁ ପର୍ଯ୍ୟନ୍ତ କୋଭିଡ୍ ମୁକ୍ତ ହୋଇନାହିଁ କୋଭିଡ ନିୟମାବଳୀ, ସାମାଜିକ ଦୂରାତା,ମାସ୍କ ପିନ୍ଧିବା ଏସବୁ ର କଡାକଡି ପାଳନ କରିବାକୁ ମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଥିଲେ । ଆଜିର ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଓଏସ୍ଏପି ଅଷ୍ଟମ ବାଟାଲିୟାନ ଓ ଗଞ୍ଜାମ ରିଜର୍ଭ ପୋଲିସ୍ ଦଳ ଭାଗ ନେଇଥିବା ବେଳେ ବ୍ୟାଣ୍ଡ ଓ ଘୋଷବାଦ୍ୟ ମଧ୍ୟ ଅଂଶଗ୍ରହଣ କରିଥଲେ । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି ଓ ସେକେଣ୍ଡେଣ୍ଟ କମାଣ୍ଡେଣ୍ଟ ସର୍ଜେଣ୍ଟ ବିବେକାନନ୍ଦ ନାୟକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଜିଲ୍ଲାରେ କୋଭିଡ୍ ମହାମାରୀ ସମୟରେ ଆଗ ଧାଡିରେ କାମ କରିଥିବା କୋଭିଡ୍ ଯୋଦ୍ଧା ସ୍ୱାସ୍ଥ୍ୟ , ସ୍ୱେଚ୍ଛାସେବୀ, ଅଗ୍ନିଶ୍ରମ ବିଭାଗ (ବ୍ରହ୍ମପୁର ଓ ଛତ୍ରପୁର) , ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବରିଷ୍ଠ ପୋଲିସ୍ ଅଧିକାରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉପେଢୈାକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ଜିଲ୍ଲାରେ କୋଭିଡ ସମୟରେ ସଠିକ୍ ପରିଚାଳନା କରିବା ସହ ଉତ୍ତମ ସେବା ଯୋଗାଇଦେଇ ଆସୁଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ଓ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଦ୍ୱାରା ଉପଢୌକନ ସହ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରବେସିନାଲ ଆଇପିଏସ ଅଫିସର ଜି. ରାଘବେନ୍ଦ୍ର ରେଡ୍ଡି , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୀକାରୀ ରବି ନାରାୟଣ ବେହେରା ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।