ଛତ୍ରପୁର ପଂଚାୟତ ସମିତିର ପଂଚମ ଅଧିବେଶନ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପଂଚାୟତ ସମିତି ର ପଂଚମ ଅଧିବେଶନ ବୈଠକ ବୁଧବାର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପୂର୍ବରୁ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ କହିଥିଲେ । ୫ ଟି ଓ ମୋ ସରକାର ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଅର୍ଶୀବାଦରୁ ଛତ୍ରପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି ବୋଲି ବିଧାୟକ ଶ୍ରୀ ବେହେରା କହିବା ସହ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । କଂସାରୀଗଣ୍ଡ ଠାରେ ଋଷିକୁଲ୍ୟା ନଦୀ ଉପରେ ପ୍ରାୟ ୧୬୦ କୋଟି ଟଙ୍କା ବ୍ୟୟରେ ଆନ୍ତଃ ସ୍ରୋତ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତାମ୍ପରା ହ୍ରଦର ୫ ଟି ରୂପାନ୍ତରୀକରଣ ଓ ସୌନ୍ଦର୍ଯ୍ୟକରଣ, ୭ କୋଟି ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ କାଳିଆବାଲି ଏନଏସଜି ୧୬ ଠାରୁ ବଡ ମାଧପୁର ପିଏଚଇଡି ରାସ୍ତାର ଉନ୍ନତିକରଣ, ୨୨ କୋଟି ଟଙ୍କା ବ୍ୟୟରେ ଛତ୍ରପୁର ବ୍ଲକର ହଂସପୁର ଓ ଗଞ୍ଜାମ ବ୍ଲକର ବରୋଦା ମଧ୍ୟରେ ଋଷିକୁଲ୍ୟା ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ସହ ଛତ୍ରପୁର ବ୍ଲକରେ ବୃହତ୍ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି ବୋଲି ବିଧାୟକ ବୈଠକରେ କହିଥିଲେ । କେଉଁ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି ଓ ତାହାର ସ୍ଥିତି କଣ ରହିଛି ସେହି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପଂଚାୟତ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ କାର୍ଯ୍ୟ ଗୁଡିକ ସଠିକ୍ ଭାବେ ହୋଇପାରୁନଥିବା ଦେଖିବାକୁ ମିଳିଛି । କିଭଳି ସମସ୍ତ ବିଭାଗ ସହ ସମସ୍ତ ପଂଚାୟତରାଜ ପ୍ରତିନିଧି ମାନେ ସମନ୍ୱୟ ରଖି କାର୍ଯ୍ୟ କଲେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକରେ ପରିଣତ ହେବ ବୋଲି ବିଧାୟକ ନିଜ ବକ୍ତବ୍ୟରେ ଏହା କହିଥିଲେ । ଗଞ୍ଜାମ ଜିଲ୍ଲା ଏମନରେଗାରେ ପ୍ରଥମ ରହିଥୀବା ବେଳେ ଛତ୍ରପୁର ବ୍ଲକରେ ସମନ୍ୱୟ ଅଭାବରୁ ଏହା ବହୁତ ପଛରେ ପଡିଯାଇଛି । ଏଣୁ ଆଗାମୀ ଦିନରେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କଲେ ବ୍ଲକର ସମସ୍ତ କାର୍ଯ୍ୟ ଆଗେଇବ ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏମନରେଗା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସମ୍ପର୍କରେ ଆଜିର ବୈଠକରେ ବିସଦ୍ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଜିପିଇଓ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହା ପରେ କ୍ଷମତାକୁ ନେଇ ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀର ପଂଚାୟତ ପ୍ରତିନିଧି ମାନଙ୍କ ମଧ୍ୟରେ କିଛି ସମୟ ଧରି ବୈଠକ ଆରମ୍ଭ ହେବା ପୂର୍ବରୁ ହୋହାଲ୍ଲା ସହ ହଟଗୋଳ ସୃଷ୍ଟି ହୋଇଥିଲା । ଏଥିରେ ଛତ୍ରପୁର ବିଡିଓ ହସ୍ତକ୍ଷେପ କରି ଆଗାମୀ ଦିନରେ ବିଭିନ୍ନ ବିଷୟର ସଠିକ୍ ଭାବେ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବୈଠକ ଆରମ୍ଭ ହୋଇଥିଲା । ଶ୍ରୀରାମଚନ୍ଦ୍ରପୁର ପଂଚାୟତର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ସୁନ୍ଦରପୁର ପଂଚାୟତର ସମିତିସଭ୍ୟା ସୁଜ୍ଞାନୀ ସେଠୀ ସମିତିସଭ୍ୟଙ୍କ କ୍ଷମତା ନେଇ ବ୍ଲକ ଅଧ୍ୟକ୍ଷା ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ହୋହାଲ୍ଲା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷରେ ବଉଳଗାଁ ସମିତିସଭ୍ୟ ରାମଚନ୍ଦ୍ର ପରିଡା, ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍. ରମେଶ ରେଡ୍ଡୀ ଏବଂ ଭିକାରିପଲ୍ଲୀ ସରପଂଚ ମମତା ସୁବୁଦ୍ଧି ବ୍ଲକ ଅଧ୍ୟକ୍ଷା ସଠିକ୍ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବୈଠକରେ କହିଥିଲେ । କିଛୀ ସମୟ ଧରି ଉଭୟ ସପକ୍ଷ ଓ ବିପକ୍ଷ ଗୋଷ୍ଠି ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏହା ପରେ ପାନୀୟ ଜଳ ବିଭାଗର କାର୍ଯ୍ୟସୂଚୀ ଆରମ୍ଭ ହୋଇଥୀଲା । ଏଥିରେ ୨୦ ନଂ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍. ସଞ୍ଜୀବ ରେଡ୍ଡୀ, ପୋଟ୍ଟଲାମପୁର ସରପଂଚ ନିରଞ୍ଜନ ପ୍ରଧାନ, ଚମାଖଣ୍ଡି ସରପଂଚ ସି. ଏଚ୍. ମନୋଜ ରେଡ୍ଡୀଙ୍କ ସମେତ ବହୁ ପଂଚାୟତ ପ୍ରତିନିଧି ମାନେ ସେମାନଙ୍କ ପଂଚାୟତରେ ପାନୀୟ ଜଳ ସମସ୍ୟା ରହିଥିବା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ଏସ୍. ସାରଦା ରେଡ୍ଡୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ବିଡିଓ ସାରଦା ପ୍ରସନ୍ନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏବିଡିଓ ଜୟଶ୍ରୀ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ ୨୦୨୨-୨୩ ବର୍ଷର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବୈଠକରେ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ. ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରାଙ୍କ ସମେତ ସମସ୍ତ ପଂଚାୟତ ପ୍ରତିନିଧି ଏବଂ ବିଭୀନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


