ଛତ୍ରପୁର ପୋଲିସ କବ୍ଜା ରେ ବାଇକ୍ ଲୁଟେରା ଗ୍ୟାଙ୍ଗ;୯ବାଇକ୍ ସହ ୪ଜଣ ଅପରାଧୀଙ୍କୁ ଧରିଲା ପୁଲିସ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ପୋଲିସ୍ କୁ ମିଳିଛି ଆଉ ଏକ ବଡ ସଫଳତା । ଗତ ୧୭ ତାରିଖରେ ଏଟିଏମ କାର୍ଡ ବଦଳାଇ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗଙ୍କୁ ଧରି ସଫଳତା ଅର୍ଜନ କରିଥିବା ବେଳେ ଆଜି ପୁଣି ବାଇକ୍ ଚୋରୀ କରୁଥିବା ଲୁଟେରା ଗ୍ୟାଙ୍ଗଙ୍କୁ ଧରିଛି ଛତ୍ରପୁର ପୋଲିସ୍ । ଦୀର୍ଘ ଦିନ ଧରି ଏହି ଲୁଟେରା ଗ୍ୟାଙ୍ଗ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ଥାନା ଅଂଚଳରେ ବାଇକ୍ ଗୁଡିକୁ ବିଭିନ୍ନ ଉପାୟରେ ଚୋରୀ କରି ଗାଡିର ଇଂଜିନ ଓ ବିଭିନ୍ନ ସାମଗ୍ରୀ ଚତୁରତାରେ ବଦଳାଇ ବିକ୍ରି କରି ଅସାଧୁ ଉପାୟରେ ରୋଜଗାର କରୁଥିଲେ । ଏପରି ଏକ ବାଇକ୍ ଚୋରୀ ଲୁଟେରା ଚାରି ଜଣିଆ ଗ୍ୟାଙ୍ଗକୁ ଛତ୍ରପୁର ପୋଲିସ୍ ଗିରଫ୍ କରି ଘଟଣାର ପର୍ଦ୍ଦାଫାସ୍ କରିଛି । ଛତ୍ରପୁର ପୋଲିସ୍ ପକ୍ଷରୁ ବିଭିନ୍ନ ସମୟରେ ଥାନା ଅଂଚଳରେ ପେଟ୍ରୋଲିଂ କରି ଗାଡି ଗୁଡିକ ଯାଂଚ କରିଆସୁଥିବା ବେଳେ ଗତ କିଛିଦିନ ତଳେ ଏପରି ଏକ ଘଟଣାର ସୁରାକ୍ ମିଳିଥିଲା ପୋଲିସ୍ କୁ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଛତ୍ରପୁର ପୋଲିସ୍ କୁ ମିଳିଲା ଚୋରି ବାଇକ୍ ଲୁଟେରା ଗ୍ୟାଙ୍ଗର ସୁରାକ୍ । ଗତ କିଛି ଦିନ ଧରି ଛତ୍ରପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଘଟଣା ସଂପର୍କରେ ବିଭିନ୍ନ ଅଂଚଳରୁ ତଥ୍ୟ ସଂଗ୍ରହ କରି ଲୁଟେରା ମାନଙ୍କୁ ଠାବ କରିବା ନିମନ୍ତେ ବିଭିନ୍ନ ପ୍ରକାର ରଣକୌଶଳ ଜାରି ରଖିଥିଲା । ଏହି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣ ଜଣ କରି ୪ ଜଣ ଲୁଟେରା ପୋଲିସ୍ ହାବୁଡରେ ଧରା ପଡିଥିଲେ । ସେମାନଙ୍କ ମଧ୍ୟରୁୁ ୩ଜଣ ବାଇକ୍ ଚୋରୀ କରୁଥିବା ବେଳେ ଜଣେ ବାଇକ୍ ଗ୍ୟାରେଜ କରିଥିଲେ । ଚୋରୀ ବାଇକ୍ ଗୁଡିକର ବିଭିନ୍ନ ସାମଗ୍ରୀ କୁ ବଦଳାଇ ଅସାଧୁ ଉପାୟରେ ଟଙ୍କା ଉପାର୍ଜନ କରୁଥିଲେ ।ଆଜି ୪ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୯ ଗୋଟି ଚୋରୀ ବାଇକ୍ ଛତ୍ରପୁର ପୋଲିସ୍ ଜବତ କରିଛି । ଚୋରୀ ବାଇକ୍ ଗୁଡିକ କାହାର କେଉଁ ଅଂଚଳ ତାହାର ମଧ୍ୟ ତନାଘନା ଚଳାଇଛି ପୁଲିସ । ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଖୋଳତାଳ ମଧ୍ୟ ଆରମ୍ଭ କରିଛି ଛତ୍ରପୁର ପୋଲିସ୍ । ଜବତ ହୋଇଥିବା ୯ ଟି ଗାଡି ମଧ୍ୟରୁ ଦୁଇଟି ବାଇକ୍ ପୁରୁଷୋତ୍ତମପୁର ଓ ରାୟଗଡା ଅଂଚଳର ବୋଲି ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୪ଜଣ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଛତ୍ରପୁର ଥାନା ଅନ୍ତର୍ଗତ ଦୁଆନପଲ୍ଲୀ ଗ୍ରାମର ଅଜିତ୍ ବେହେରା । ସେ ଗତ କିଛି ଦିନ ହେଲା ବଡମାଧପୁର ଗ୍ରାମର ଏକ ଫାଷ୍ଟଫୁଡ ଦୋକାନରେ ରହି ସେଠାରେ ବିଭିନ୍ନ ଯୁବକମାନଙ୍କୁ ବାଇକ୍ ଚୋରୀ କରିବାର ପ୍ରଶିକ୍ଷଣ ଦେଇ ଆସୁଥିଲା । ଗ୍ରାମର ଏକ ବାଇକ୍ ଗ୍ୟାରେଜ କରିଥିବା ରବି ନାରାୟଣ ଖୁଣ୍ଟିଆ ଏମାନଙ୍କୁ ସହଯୋଗ କରି ଚୋରୀ ଗାଡି ଗୁଡିକର ବିଭିନ୍ନ ସାମଗ୍ରୀ ଗୁଡିକ ବଦଳାଇ ଅସାଧୁ ଉପାୟରେ ଟଙ୍କା ରୋଜଗାର କରୁଥିଲେ ବୋଲି ଛତ୍ରପୁର ଥାନା ଅଧିକାରୀ ଶ୍ରୀ ଛୋଟରାୟ ମଧ୍ୟ କହିଥିଲେ । ଗିରଫ୍ ହୋଇଥିବା ୪ ଜଣ ହେଲେ ବଡମାଧପୁର ଅଂଚଳର ରବି ନାରାୟଣ ଖୁଣ୍ଟିଆ ଓ ସୁରଜ୍ ଖୁଣ୍ଟିଆ, ଛତ୍ରପୁର ର ପପୁ ହାତୀ,ଦୁଆନପଲ୍ଲୀ ର ଅଜିତ୍ ବେହେରା । ଥାନା ପକ୍ଷରୁ ୩୨୪/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଗିରଫ୍ ହୋଇଥିବା ଲୁଟେରାମାନଙ୍କୁ କୋର୍ଟ ଚାଲାଣ କରାଯିବ ।


