ଛତ୍ରପୁର ବ୍ଲକରେ ଖୋଲିଲା ଧାନ ମଣ୍ଡି
ଛତ୍ରପୁର, (ଦେବଦତ୍ତ ମହାରଣା) :ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ନରେନ୍ଦ୍ରପୁର ପଞ୍ଚାୟତ ର ନରେନ୍ଦ୍ରପୁର ଗ୍ରାମସ୍ଥିତ ସେବା ସମବାୟ ସମିତି (ପ୍ୟାକସ୍)ରେ ଧାନ ମଣ୍ଡିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ଉଦ୍ଘାଟନ କରିବା ସହ ଚାଷୀଙ୍କ ଧାନ କିପରି ସ୍ୱଚ୍ଛତା ଭାବେ କିଣାଯାଇପାରିବ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ନରେନ୍ଦ୍ରପୁର ସରପଂଚ ବାବୁଲା ବେହେରା, ଭିକାରିପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ଭିକାରିପଲ୍ଲୀ ସମିତିସଭ୍ୟ ଭାଗିିରଥି ପ୍ରଧାନ, ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ଏଆରସିଏସ ସୁକାନ୍ତ ପାଢୀ, ଏସଏଆରସିଏସ ଜୀବନ କୁମାର ପଟ୍ଟନାୟକ, ଛତ୍ରପୁର ବ୍ଲକ ଏମଆଇ ଜୟରାମ ଲେଙ୍କା, ନରେନ୍ଦ୍ପୁର ସେବା ସମବାୟ ସମିତିର ସମ୍ପାଦକ ହୃଷିକେଶ ରେଡ୍ଡିଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ସରକାରଙ୍କ ନିକଟରେ ଧାନ ବିକିବାକୁ ୧ ଲକ୍ଷ୨୩ ହଜାର ୨୮୪ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ସେଥି ମଧ୍ୟରୁ ଛତ୍ରପୁର ବ୍ଲକରେ ୫ ହଜାର ୭୯୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଜିଲ୍ଲାରେ ୩୬୬ ପ୍ୟାକସ୍, ୧୦୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଂଚାୟତକୁ ଧାନ କିଣାରେ ସାମିଲ କରାଯାଇଛି । ସେହିପରି ୩୮୩ ଜଣ ମିଲର ଧାନ କିଣାରେ ସହମତି ଦେଇଥିବା ସୂଚନା ମିଳିଛି । ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୩୬ ଲକ୍ଷ ୪ ହଜାର ୪୭୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରହିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଧାନ କିଣାରେ ସ୍ୱଚ୍ଛତା ପାଇଁ ଆଇଭିଆରଏସର ବ୍ୟବସ୍ଥା ରହିଛି । ପଞ୍ଜୀକୃତ କରିଥିବା ଚାଷୀ ମାନେ ୧୯୬୭ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କ ଟୋକେନ, କେଉଁ ତାରିଖରେ ଧାନ ବିକ୍ରି କରିବେ ଓ ଅନ୍ୟାନ୍ୟ ସୂଚନା ପାଇପାରିବେ ।


