ଛତ୍ରପୁର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ ଯୋଗ ଦେଇ ଏହି ଜନ ଶୁଣାଣୀ ଶିବିର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସୂଚନା ଦେବା ସହ ଉପସ୍ଥିତ ଥିବା ପଂଚାୟତ ପ୍ରତିନିଧି ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ନିମନ୍ତେ କହିଥିଲେ । ପରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ସେମାନଙ୍କ କାର୍ଯ୍ୟ ଓ ପ୍ରକଳ୍ପ ଗୁଡିକୁ ଉପସ୍ଥାପନ କରିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷ ସାମାଜିକ ସମୀକ୍ଷା ଅବଧି ୧ ଅପ୍ରେଲ ୨୦୨୦ ଠାରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୮୫୧ ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୮୨୪ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି । ୨୭ ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଛି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତରେ ୨୪୯୯୪ ଜଣ ପରିବାର ଜବକାର୍ଡ ଧାରୀ ରହିଥିବା ବେଳେ ୧୬୭୧୯ ଜଣ ସକ୍ରିୟ ଜବକାର୍ଡ ଧାରୀ ରହିଛନ୍ତି । ସେଥି ମଧ୍ୟରୁ ୨୭୪୪୯ ଜଣ ଜବକାର୍ଡ ଧାରୀ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ୯୨୩୮୨୭ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୮୦୬୫ ଲକ୍ଷ ଖର୍ଚ୍ଚ ହୋଇଛି । ସେଥି ମଧ୍ୟରୁ ଅଣ କୁଶଳୀ ବାବଦରେ ୬୬୭.୪ ଲକ୍ଷ ଓ ଅର୍ଦ୍ଧକୁଶଳୀ ବାବଦରେ ୦.୪୨ ଲକ୍ଷ ଏବଂ ସାମଗ୍ରିକ ଭାବେ ୧୩୮୬ ଲକ୍ଷ ଅର୍ଥ ଖର୍ଚ୍ଚ ହୋଇଥିବା ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଛତ୍ରପୁର ବ୍ଲକରେ ୧୦୫୩୭୩ ଜଣ ରାସନ କାର୍ଡ ହିତାଧିକାରୀ ରହିଥିବା ବେଳେ ସେଥି ମଧ୍ୟରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳୟରେ ୧୫୦୫ ଜଣ ହିତାଧିକାରୀ ରହିଛନ୍ତି । ୨୨୭୧ ଜଣ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ବ୍ଲକ ଯୋଗାଣ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରିଣୀ ଅର୍ଚ୍ଚିତା ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ଇଂଜିନିୟର ଲଗ୍ନଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜନଶୁଣାଣୀ ଶିବିର ରେ ୧୮ ଟି ପଂଚାୟତର ବହୁ ସଂଖ୍ୟକ ପଂଚାୟତ ପ୍ରତିନିଧି ଉପସ୍ଥିତ ରହିଥିବା ବେଳେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା ଏବଂ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମନରେଗା କାର୍ଯ୍ୟରେ ଅଧିକାଂଶ ପଂଚାୟତରେ ଟଙ୍କା ମିଳିନଥିବା ଏହି ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।