ଛତ୍ରପୁର ରେ ଫରୱାର୍ଡ଼ ବ୍ଲକ ର ଜନସମ୍ପର୍କ ପଦଯାତ୍ରା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତା ର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ l ଦେଶର କୃଷକ ବର୍ଗଙ୍କ ଉପାର୍ଜିତ ଫସଲର ଉପଯୁକ୍ତ ମୂଲ୍ୟ ଆଜିବି ମିଳିପାରୁନାହଁ l ମଦ ମାଫିଆ, ପୁଞ୍ଜିପତି ମାନେ ଗଣତନ୍ତ୍ର କୁ କବ୍ଜା କରି ଜନସାଧାରଣ ଙ୍କୁ ପଙ୍ଗୁ କରିଦେଲେଣି l ଏଣୁ ଦେଶପ୍ରେମ ର ବହ୍ନିକୁ ପ୍ରଜ୍ବଳିତ କରି ଭୋକ, ଭୟ, ଭ୍ରଷ୍ଟାଚାର, ବେକାରୀ,ଦରବୃଦ୍ଧି, ବିଷାକ୍ତ ମଦ ମୃତ୍ୟୁ ବିରୁଦ୍ଧରେ ନେତାଜୀଙ୍କ ସ୍ବପ୍ନର “ଜନତା ଙ୍କ ହାତରେ ଶାସନ ” ପ୍ରତିଷ୍ଠା ଦାବିରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ନିଷ୍ପତି ମୁତାବକ ସାରା ରାଜ୍ୟ ରେ ଜନ ସମ୍ପର୍କ ପଦଯାତ୍ରା ର ଗତ ସେପ୍ଟେମ୍ବର ୧ ତାରିଖରେ ଚିକିଟି ବ୍ଲକ ରୁ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲ୍ଲା ଫରୱାର୍ଡ଼ ବ୍ଲକ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଛତ୍ରପୁର ରେ ଏକ ପଦଯାତ୍ରା ଆଜି ସଂଗଠିତ କରାଯାଇଥିଲା l ଛତ୍ରପୁର ଅପର ବସ ଷ୍ଟାଣ୍ଡ ଠାରୁ ଏହି ପଦଯାତ୍ରା ର ଆରମ୍ଭ କରାଯାଇଥିଲା l ଏହି ପଦଯାତ୍ରା ଜ଼ିଲ୍ଲାପାଳ ଙ୍କ ଅଫିସ ଅତିକ୍ରମ କରି ଡିଆରଡିଏ ଛକ ସମାପ୍ତ କରାଯାଇଥିଲା, ଏହି ଅବସର ରେ ଭିଆଇପି ରୋଡ଼ ଠାରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସଭାପତି ବିଭୂଧେନ୍ଦ୍ର ପାଢ଼ୀ କୋଷାଧ୍ୟକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ, ଅଲ ଇଣ୍ଡିଆ ଆଗ୍ରଗାମୀ ମହିଳା ସମିତି ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଦୋରା, ଅଲ ଇଣ୍ଡିଆ ସ୍ଟୁଡେଣ୍ଟସ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ବାରିକ, ଦୁର୍ଯ୍ୟୋଧନ ପୂଜାରୀ, ଦଶରଥ ଖିଲ,ଜଗନ୍ନାଥ ପ୍ରଧାନ, ଛାତ୍ର ନେତା ଅଜିତ କୁମାର ସାହୁ, ଦିଲୀପ କୁମାର ଅଧିକାରୀ, ଇମ୍ରାନ ଖାନ ସମେତ ବହୁ ନେତା, କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ l ଏହି ଅବସରରେ ଛତ୍ରପୁର ଟାଉନ ରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ନେତାଜୀ ସୁଭାଷ ଚଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ସଠିକ ଭାବରେ ନିର୍ମାଣ କରାଯାଇନଥିବା ଏବଂ ସୂଚନା ଫଳକରେ ନେତାଜୀ ଙ୍କ ମୁର୍ତ୍ୟୁ ତାରିଖକୁ ଲିପିବଦ୍ଧ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିବା ସହ ଅବିଳମ୍ବେ ଜିଲ୍ଳା ପ୍ରଶାସନ ଏହାକୁ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଏଭଳି ଦାଇତ୍ୱ ହୀନତା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l