ଛାତ୍ରଛାତ୍ରୀଙ୍କ ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତା ପାଇଁ ମନସ୍ତାତ୍ତ୍ୱିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମନୋଦର୍ପଣ କାର୍ଯ୍ୟକ୍ରମକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଶିକ୍ଷା ବିଭାଗର ସଚିବ ଅମିତ ଖରେ, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ଅନିତା କଡ଼ୱାଲ ତଥା ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମନୋଦର୍ପଣ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀମତୀ କଡ଼ୱାଲ ସବିଶେଷ ତଥ୍ୟ ଏହି ଅବସରରେ ଉପସ୍ଥାପନ କରିଥିଲେ । ମନୋଦର୍ପଣ ପ୍ରୟାସର ଅଂଶସ୍ୱରୂପ ଏକ ଜାତୀୟ ଟୋଲ ଫି୍ର ହେଲ୍‌ପ ଲାଇନ ୮୪୪୮୪୪୦୬୩୨, ଏକ ସ୍ୱତନ୍ତ୍ର ୱେବ ପେଜ୍‌ ଏବଂ ମନୋଦର୍ପଣ ଉପରେ ଏକ ହ୍ୟାଣ୍ଡବୁକ୍‌କୁ ମନ୍ତ୍ରୀ ପୋଖରିୟାଲ ଉନ୍ମୋଚନ କରିଥିଲେ । ମନୋଦର୍ପଣ ୱେବ ପେଜ୍‌ଟି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତଣାଳୟର ୱେବସାଇଟରେ ଉପଲବ୍‌ଧ ହେଉଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଏହା କେବଳ ଏକ ଗୁରୁତର ସ୍ୱାସ୍ଥ୍ୟଜନିତ ପ୍ରସଙ୍ଗ ହୋଇରହିନାହିଁ; ଏହା ମଧ୍ୟ ସମସ୍ତଙ୍କ ପାଇଁ ମନସ୍ତାତ୍ତ୍ୱିକ ଓ ସାମାଜିକ ଚାପ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଶିଶୁ ଏବଂ କିଶୋରମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ସେମାନେ ଅତ୍ୟଧିକ ମାନସିକ ଚାପ, ଉକ୍ରଣ୍ଠା ଏବଂ ଭୟ ସମେତ ବିଭିନ୍ନ ପ୍ରକାର ଭାବନାତ୍ମକ ଓ ବ୍ୟବହାରଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମନ୍ତ୍ରଣାଳୟ ଅନୁଭବ କରିଛି ଯେ ଶୈକ୍ଷିକ ବାତାବରଣ ଜାରି ରଖିବାର ଆବଶ୍ୟକତା ସହିତ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ସୁସ୍ଥତାର ଗୁରୁତ୍ୱ ମଧ୍ୟ ସମାନଭାବେ ରହିଛି । ସେଥିପାଇଁ ଉଭୟକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଉଛି । ଏଥିପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ମନସ୍ତାତ୍ତ୍ୱିକ ସମର୍ଥନ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ ଏବଂ ମନସ୍ତତ୍ତ୍ୱ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଆଯାଇ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି । ଏହି ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଏହାର ସମାଧାନ ପାଇଁ ଆବଶ୍ୟକ ପରାମର୍ଶ ଦେବେ । ମୁଖ୍ୟତଃ ମନସ୍ତାତ୍ତ୍ୱିକ ସମର୍ଥନ ଯୋଗାଇ ଛାତ୍ରଛାତ୍ରୀଙ୍କୁ ମାନସିକସ୍ତରରେ ସୁସ୍ଥ ରଖିବାକୁ ଅନ୍‌ଲାଇନ ରିସୋର୍ସ ଓ ହେଲ୍‌ପ ଲାଇନ ମାଧ୍ୟମରେ ପରାମର୍ଶ ସେବା ଯୋଗାଇଦେବେ । ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି । ମନୋଦର୍ପଣ ପ୍ରୟାସ ଏହାର ଏକ ଅଂଶବିଶେଷ । ମାନବିକ ପୁଞ୍ଜିକୁ ସଶକ୍ତ କରିବା ସହିତ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶିକ୍ଷା କ୍ଷେତ୍ରରେ ଦକ୍ଷ ସଂସ୍କାରବାଦୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଏହାର ଲକ୍ଷ୍ୟ । ସେ ଆହୁରି କହିଛନ୍ତି ଯେ ମନୋଦର୍ପଣ ନାମରେ ଏକ ୱେବ ପେଜ୍‌ ମଧ୍ୟ ଆରମ୍ଭ ହୋଇଛି । ଏହା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ୱେବ ସାଇଟରେ ଉପଲବ୍‌ଧ । କୋଭିଡ ମହାମାରୀ ସମୟ ଏବଂ ଏହା ପରେ ମଧ୍ୟ ଏହି ପେଜ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ମାନସିକ ଓ ସ୍ୱାସ୍ଥ୍ୟଗତ ପ୍ରସଙ୍ଗରେ ମନସ୍ତାତ୍ତ୍ୱିକ ସମର୍ଥନ ଯୋଗାଇ ଦେବ । ଏଥିରେ ପରାମର୍ଶ, ପ୍ରାକ୍ଟିକାଲ ଟିପ୍‌ସ, ପୋଷ୍ଟର, ପଡ୍‌କାଷ୍ଟ, ଭିଡିଓ ଏବଂ ମନସ୍ତାତ୍ତ୍ୱିକ ସମର୍ଥନ ପାଇଁ କ’ଣ କରଣୀୟ ଓ କ’ଣ ବର୍ଜନୀୟ ସେସବୁ ସ୍ଥାନ ପାଇଛି । ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଏବଂ ଅନ୍‌ଲାଇନ କ୍ୱେରି ସିଷ୍ଟମ ଏଥିରେ ସ୍ଥାନ ପାଇଛି । ଏହାକୁ ଅଭିଜ୍ଞ ପରାମର୍ଶଦାତା, ମନସ୍ତତ୍ତ୍ୱବିତ୍‌ ଏବଂ ଅନ୍ୟାନ୍ୟ ପେସାଦାର ଚିକିତ୍ସକମାନେ ପରିଚାଳନା କରିବେ । କୋଭିଡ ସଂକଟ ପରେ ମଧ୍ୟ ଏହି ସେବା ଜାରି ରହିବ । ଏହି ହେଲ୍‌ପ ଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ମନସ୍ତତ୍ତ୍ୱିକ ସମସ୍ୟା ସଂପର୍କରେ ଟେଲି କାଉନ୍‌ସେଲିଂ ସୁବିଧା ଯୋଗାଇ ଦିଆଯିବ । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଧୋତ୍ରେ କହିଛନ୍ତି ଯେ ଏହି ମହାମାରୀ ଦ୍ୱାର ଉଭୟ ପିଲା ଏବଂ ବୟସ୍କ ମାନସିକ, ମନସ୍ତାତ୍ତ୍ୱିକ ଓ ଭାବନାତ୍ମକ ସ୍ତରରେ ପ୍ରଭାବିତ ହୋଇଛନ୍ତି । ଏଭଳି ଏକ ପରିବେଶରେ ଆମେ ସୁବ୍ୟବସ୍ଥିତ ଓ ଆନୁଷ୍ଠାନିକ ସହାୟତା ପ୍ରଦାନ ବ୍ୟବସ୍ଥା ପ୍ରସ୍ତୁତ କରିଛୁ । ଏକ ସମାଜ ଓ ତାହାର ସଦସ୍ୟଙ୍କ ଉତ୍ପାଦକତା ସହ ମାନସିକତା ସ୍ୱାସ୍ଥ୍ୟର ସିଧାସଳଖ ସଂପର୍କ ରହିଛି । ତେଣୁ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ସମାଜର ଅନ୍ୟାନ୍ୟ ବର୍ଗର ଲୋକଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ବିଶେଷ ଗୁରୁତ୍ୱ ରଖେ । ଏହାଦ୍ୱାରା ଏକ ପୂର୍ଣ୍ଣାଙ୍ଗ, ପରସ୍ପର ଉପରେ ନିର୍ଭରଶୀଳ ଓ ସମର୍ଥ ସମାଜ ଆଗକୁ ବଢିପାରିବ । ସେ କହିଛନ୍ତି ଯେ ମନୋଦର୍ପଣ କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ । ମାନବିକ ପୁଞ୍ଜିକୁ ଦକ୍ଷ ଓ ସଶକ୍ତକରି ଉତ୍ପାଦକତା ବଢାଇବା ଏହାର ଉଦେଶ୍ୟ । ଏହା ମଧ୍ୟ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ସଂସ୍କାର ଆଣିବାକୁ ଅଭିପ୍ରେତ । ମନୋଦର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁସବୁ କାର୍ଯ୍ୟ କରାଯିବ ତଦ୍ଦ୍ୱାରା ଛାତ୍ରଛାତ୍ରୀ, ସେମାନଙ୍କ ପରିବାର ଓ ଶିକ୍ଷକ ଆବଶ୍ୟକ ମନସ୍ତାତ୍ତ୍ୱିକ ସମର୍ଥନ ପାଇବେ । ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବାକୁ ଥିବାରୁ କରୋନା ପରେ ମଧ୍ୟ ଏହାର ସୁଯୋଗ ମିଳିପାରିବ । ମନୋଦର୍ପଣ କାର୍ଯ୍ୟକ୍ରମର ପ୍ରମୁଖ ବିଷୟବସ୍ତୁ ଗୁଡିକ ମଧ୍ୟରେ, ପରାମର୍ଶ ନିର୍ଦ୍ଦେଶାବଳୀ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଥିବା ଶିକ୍ଷାଦାନ ସହ ଜଡିତ ବ୍ୟକ୍ତିବିଶେଷ ଏବଂ ସେମାନଙ୍କର ପରିବାରଙ୍କୁ ମାନସିକ ଓ ମନସ୍ତାତ୍ତ୍ୱିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ ପ୍ରଦାନ କରାଯିବ । ୱେବ ପେଜ୍‌ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ୱେବସାଇଟରେ ଏକ ସ୍ୱତନ୍ତ୍ର ପେଜ୍‌ଭାବେ ଉପଲବ୍‌ଧ ହେବ । ଏଥିରେ ପରାମର୍ଶ, ପ୍ରାକ୍ଟିକାଲ ଟିପ୍‌ସ, ପୋଷ୍ଟର, ଭିଡିଓ, ମନସ୍ତାତ୍ତ୍ୱିକ ସମର୍ଥନ ପାଇଁ ଡୁଜ୍‌ ଏଣ୍ଡ ଡୁ ନଟ୍‌ସ ଏବଂ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ତଥା ଅନ୍‌ଲାଇନ କ୍ୱେରି ସିଷ୍ଟମ ରହିଛି । ନ୍ୟାସନାଲ ଲେବୁଲ ଡାଟା ବେସ୍‌ ଏବଂ ଡିରେକ୍ଟରି ଅଫ୍‌ କାଉନ୍‌ସେଲର୍ସ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ କାର୍ଯ୍ୟକରିବ । ଏହାର ସେବା ସ୍ୱେଚ୍ଛାକୃତ ଭାବେ ଟେଲି କାଉନ୍‌ସେଲିଂ ସେବା ଆକାରରେ ଜାତୀୟ ହେଲପ୍‌ ଲାଇନରେ ଉପଲବ୍‌ଧ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରାଣଳୟ ପକ୍ଷରୁ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ ଦେଶବ୍ୟାପୀ ମିଳିପାରିବ । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇବେ । ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ମନସ୍ତତ୍ତ୍ୱବିତ୍‌ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ଏହି ହେଲପ ଲାଇନରେ ପରାମର୍ଶ ଦେବାକୁ ଉପଲବ୍‌ଧ ହେବେ । କୋଭିଡ-୧୯ ପରେ ମଧ୍ୟ ଏହା କାର୍ଯ୍ୟ କରିବ । ହ୍ୟାଣ୍ଡବୁକ୍‌ ସପୋର୍ଟ ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କୁ ମନସ୍ତାତ୍ତ୍ୱିକ ସମର୍ଥନ ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ଏକ ହ୍ୟାଣ୍ଡବୁକ୍‌ ଅନ୍‌ଲାଇନରେ ପ୍ରକାଶିତ ହେବ । ଏଥିରେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର, ମାନସିକ, ମନସ୍ତାତ୍ତ୍ୱିକ ବିଷୟକ ବିଭିନ୍ନ ତଥ୍ୟ ଏକ ମିଥ୍‌ ଆଦି ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ତଥ୍ୟ ଦିଆଯାଇ ସେମାନଙ୍କର ବ୍ୟବହାର ଓ ଭାବପ୍ରବଣତାକୁ ଠିକ୍‌ଭାବରେ ପରିଚାଳନା କରିବାର ପ୍ରୟାସ କରାଯିବ । ଇଣ୍ଟରାକ୍ଟ ଅନ୍‌ଲାଇନ ଚାର୍ଟ ପ୍ଲାଟଫର୍ମ ଜରିଆରେ କଣ୍ଟାକ୍ଟ, କାଉନସେଲିଂ ଓ ଦିଗ୍‌ଦର୍ଶନ ପ୍ରଦାନର ବ୍ୟବସ୍ଥା ହୋଇଛି । ମନସ୍ତତ୍ତ୍ୱବିତ୍‌ ଏବଂ ଅନ୍ୟାନ୍ୟ ମାନସିକ ବିଶେଷଜ୍ଞ ଏହା ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସେମାନଙ୍କ ପରିବାରକୁ ଜରୁରୀ ପରାମର୍ଶ ଯୋଗାଇଦେବ । ୱେବ ପେଜ୍‌ରେ ୱେବିନାର, ଭିଡିଓ, ପୋଷ୍ଟର, ଫ୍ଲାୟର୍ସ, କମିକ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ରମାନ ଦୃଶ୍ୟ-ଶ୍ରାବ୍ୟ ଉପକରଣଭାବେ ଅପ୍‌ଲୋଡ୍‌ କରାଯିବ । ଏହି ସୁବିଧା ଦେଶବ୍ୟାପୀ ସବୁ ପିଲା ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ