ଛାତ୍ରୀଙ୍କ ଠାରୁ ମୋବାଇଲ ଲୁଟ୍ ଘଟଣା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ସିକରି ଗ୍ରାମ ନିକଟରୁ ଗତ ୨୫ ତାରିଖ ସନ୍ଧ୍ୟାରେ ଜୈନିକା କଲେଜ ଛାତ୍ରୀଙ୍କ ଠାରୁ ୩ ଦୁର୍ବତ୍ତ ବଳପୂର୍ବକ ଭ୍ୟାନିଟି ବ୍ୟାଗକୁ ଛଡାଇ ନେଇ ଚମ୍ପଟ ମାରିଥିଲେ । ଛାତ୍ରୀଙ୍କ ଭ୍ୟାନିଟି ବ୍ୟାଗରେ ମୋବାଇଲ ଫୋନ୍ ସମେତ ଶିକ୍ଷାଗତ ଯୋଗ୍ୟତା ମୂଳ ପ୍ରମାଣପତ୍ର ରହିଥିଲା । ଘଟଣା ନେଇ ଛାତ୍ରୀ ହିଞ୍ଜିଳି ଥାନା ବାଦିଆମ୍ବଗାଁର ସନ୍ଧ୍ୟାରାଣୀ ଜେନା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୪୪୫/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଶୁକ୍ରବାର ସକାଳେ କୌଣସି ସୁତ୍ରରୁ ଖବର ପାଇ ଲୁଟ୍ ଘଟଣାରେ ସଂପୃକ୍ତିି ଥିବା ପାଟପୁର ଥାନା କଙ୍କୋରଡା ଗ୍ରାମର ଅଶୋକ ବିଷୋୟୀଙ୍କୁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରୁ କାବୁ କରିଥିଲା । ଅଶୋକ ଲୁଟ୍ ଘଟଣାରେ ସଂପୃକ୍ତି ଥିବା ଏବଂ ଘଟଣାରେ ଅନ୍ୟ ୨ ସହଯୋଗୀ ରହିଥିବା ପୁଲିସକୁ ସୂଚନା ଦେଇଥିଲା । ପରେ ହିଞ୍ଜିଳି ପୁଲିସର ଏକ ଟିମ୍ କଙ୍କୋରଡା ଗ୍ରାମରେ ପହଞ୍ଚି ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନାଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଠାରୁ ଏକ ହିରୋ ଏଚ ଏଫ ଡିଲକ୍ସ ବାଇକ୍ (ଓଡି୦୭ଏଫ ୮୮୮୮୯) ସହ ଲୁଟ୍ ହୋଇଥିବା ଗୋଟିଏ ମୋବଇଲ ଫୋନ ସମେତ ବ୍ୟାଙ୍କ ପାସବୁକ, ଆଧାରକାର୍ଡ ଓ ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣପତ୍ରକୁ ଜବତ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିବା ସହ ଲୁଟର ଶିକାର ହୋଇଥିବା ଛାତ୍ରୀଙ୍କୁ ସମସ୍ତ ଲୁଟ ସାମଗ୍ରୀ ହସ୍ତାନ୍ତର କରିଛି । ଘଟଣା ପରେ ଛାତ୍ରୀଙ୍କ ପରିବାର ଓ ଗ୍ରାମବାସୀ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପୁଲିସ ଟିମଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ଗତ ୨୫ ତାରିଖ ଦିନ ସନ୍ଧ୍ୟାରେ ସନ୍ଧ୍ୟା ସହପାଠୀ ମାନଙ୍କ ସହ ହିଞ୍ଜିଳିକାଟୁ କଲେଜରୁ ପାଠପଢା ସାରି ସାଇକେଲ ଯୋଗେ ଗାଁକୁ ଫେରୁଥିବା ବେଳେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଲୁଟ୍ ର ଶିକାର ହୋଇଥିଲେ ।