ଛାତ୍ରୀଛାତ୍ରଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍‌ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଟୋକନ ଦିଆଯାଇ ୯ କେଜି ଲେଖାଏ ଚାଉଳ ପ୍ରଦାନ କରାଯାଉଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ରହିଥିବା ଛାତ୍ରୀଛାତ୍ରଙ୍କୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରାଯାଉଥିବା ବେଳେ ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ କାର୍ଯ୍ୟକରୁଥିବା ମଙ୍ଗଳବିଭାଗ ଅଧିନରେ ରହିଥିବା ହଷ୍ଟେଲ ଛାତ୍ରୀଙ୍କୁ ୨୪ଶହ ଓ ଛାତ୍ର ୨୧୫୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ ବିଭାଗର ବିଦ୍ୟାଳୟରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରୀଛାତ୍ର (ଡେ ସ୍କଲାର)ଙ୍କୁ ଟୋକନ ପ୍ରଦାନ କରାଯାଇଥିଲେ ସୁଦ୍ଧା ଚାଉଳ ଦିଆଯାଉନାହିଁ। ବିଦ୍ୟାଳୟକୁ ଗଲେ ସେଠାରେ ମଧ୍ୟାନ୍ନ ଭୋଜନ ମିଳୁଥିବାବେଳେ ଏବେ ଲକ୍‌ଡାଉନରେ ଘରେ ଦୁଇଓଳା ଦୁଇମୁଠା ଖାଇବାକୁ ଦେବାକୁ ଅସୁବିଧା ହେଉଥିବା ଅଭିଭାବକ ପୂର୍ଣ୍ଣଚନ୍ଦ୍ର ନାୟକ, ସୋମନାଥ ସାହୁ, ବାଲିଚନ୍ଦ୍ର ନାୟକ, ଏଲିଓ ଦିଗାଳ, ପୀତବାସ ନାୟକ ପ୍ରମୁଖ କହିଛନ୍ତି। ଏନେଇ ମଙ୍ଗଳବିଭାଗର ବ୍ଲକ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ଯେ, ତାଙ୍କ ବିଭାଗ ଭୁଲବଶତଃ ଟୋକନ ପ୍ରଦାନ କରିଛି। ବିଭାଗ ପକ୍ଷରୁ ଚାଉଳ ଦେବାକୁ ନିର୍ଦ୍ଦେଶ ନାହିଁ। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ମଧ୍ୟ କହିଛନ୍ତି ସରକାରଙ୍କ ପକ୍ଷରୁ ସେଭଳି କିଛି ନିର୍ଦ୍ଦେଶ ନାହିଁ। ତେବେ ଟୋକନ କାହିଁକି ଦିଆଯାଇଥିବା ପ୍ରଶ୍ନରେ ବିଇଓ ରାଉତ କହିଛନ୍ତି ଯେ, ଭୁଲରେ ଦିଆଯାଇଥିଲା। ସିଆରସିସିଙ୍କ ଦ୍ୱାରା ଉକ୍ତ ଟୋକନ ଗୁଡ଼ିକ ପୁଣି ଫେରାଇ ଅଣାଯାଉଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ