ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଗୁହାଳପଡା ସ୍ଥିତ ଏକ ଘରୋଇ ଆବାସିକ କଲେଜ ର ଛାତ୍ରୀ ନିବାସ ୩୦୭ ନମ୍ବର କୋଠରୀରୁ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ରୀଙ୍କ ଘର ଜଗତସିଂହପୁର ନାଉଗାଁ ଥାନା ତୋନ୍ତେଇ ଗାଁରେ । ମୃତ ଛାତ୍ରୀଙ୍କ ନାଁ ଲିଜାରାଣୀ ସାହୂ । ଲିଜା କିଛି ଦିନ ତଳେ ଗାଁକୁ ଯାଇଥିଲେ । ଏକ ସପ୍ତାହ ହେଲା ସେ ହଷ୍ଟେଲ ଫେରିଥିଲେ । ଆଜି ସକାଳୁ ତାଙ୍କ ରୁମ ମେଣ୍ଟ ୩ ଜଣ ସାଙ୍ଗ କ୍ଳାସକୁ ଯାଇଥିଲେ । ଲିଜା ଅସୁସ୍ଥତା ଦର୍ଶାଇ କଲେଜ ଯାଇନଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଲିଜାଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପାଇଁ ଆସିବା ବେଳେ ଲିଜାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଝରକା ପଟେ ଦେଖି ପୁଲିସ ଓ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ନିମାପଡ଼ା ଥାନା ପୋଲିସ ଓ ପୁରୀରୁ ଏକ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ରେ ପହଞ୍ଚି ଛାତ୍ରୀ ଙ୍କ ମୃତଦେହ କୁ ଜବତ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି । ତେବେ ମୃତା ଲିଜା ପ୍ରଥମେ ବ୍ଲେଡ଼ରେ ନିଜ ହାତ କାଟିଛନ୍ତି ଓ ପରେ ଲୁଗାପଟା ଶୁଖା ଯାଇଥିବା ରଶି ବେକରେ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ଜୈନିକ ଯୁବକଙ୍କ ଏକ ତରଫା ପ୍ରେମ ପାଇଁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ବାପା ନଟବର ସାହୁ ପୋଲିସ ରେ ଲିଖିତ ଅଭିଯୋଗ କରିଛନ୍ତି । ନାଉଗାଁ ଥାନା ଅନ୍ତର୍ଗତ କୋରୁଆ ଗାଁର ଜଣେ ଯୁବକ ଏକ ତରଫା ପ୍ରେମକରି ଲିଜା ଙ୍କୁ ବିବାହ କରିବାକୁ ଅଡି ବସିଥିଲେ । ଏହି ପ୍ରସ୍ତାବ ରେ ସେ କିମ୍ବା ତାଙ୍କ ଝିଅ ରାଜି ନ ହେବାରୁ ଯୁବକ ଜଣକ ନିକଟସ୍ଥ ଗଙ୍ଗଦା ହାଟରେ ଥିବା ମୃତା ଲିଜାଙ୍କ ବାପାଙ୍କ ଦୋକାନକୁ ଆସି ତାଙ୍କ ଝିଅର ଫଟୋ ଭାଇରାଲ କରିଦେବି କହି ଧମକ ଦେଇଥିଲେ । ଲୋକ ଲଜ୍ଜ୍ୟାକୁ ଡରି ଝିଅ ଆତ୍ମହତ୍ୟା କରିଥିବା ଲିଜାଙ୍କ ବାପା ଅଭିଯୋଗ କରିବା ସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନିମାପଡା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ପରିବାରର ଅଭିଯୋଗ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର କହିଛନ୍ତି । ଏହି ଘଟଣା ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।