ଛାନ୍ଦସିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୬ ତମ ଜୟନ୍ତୀ ।
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡିଆ ଛନ୍ଦର ଗବେଷକ, ପ୍ରାବନ୍ଧିକ, ଭାଷାବିଦ, ସଙ୍ଗୀତଜ୍ଞ, ସମାଜସେବୀ ତଥା ସାହିତ୍ୟିକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ୧୫୬ ତମ ଜୟନ୍ତୀ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବେର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗବେଷକ ପୂର୍ଣ୍ଣଚନ୍ତ୍ର ମହାପାତ୍ର ଶ୍ୟାମ ସୁନ୍ଦର ରାଜଗୁରୁଙ୍କୁ ଓଡିଆ ସାହୀତ୍ୟର ଆଦ୍ୟ ସମାଲୋଚକ ବୋଲି ଅଭିହିତ କରିଥିଲେ । ସାହିତ୍ୟରେ ଆଞ୍ଚଳିକ ଶବ୍ଦ ପ୍ରୟୋଗର ପ୍ରଧାନ ସମୀକ୍ଷକ ଥିବା ରାଜଗୁରୁ ଓଡିଆ ସାହିତ୍ୟ ଇତିହାସର ଭିତ୍ତିଭୂମି ନିର୍ମାଣ କରିଥିଲେ । ଅବିଭକ୍ତ ଗଞ୍ଜାମର ପ୍ରଥମ ସ୍ନାତକ ଶ୍ୟାମ ସୁନ୍ଦର ରାଜଗୁରୁ ୧୮୯୪ରୁ ଆରମ୍ଭ କରି ୧୮୯୬ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଓଡିଶାର ଅନ୍ୟତମ ପ୍ରତିନିଧି ଭାବେ ଯୋଗଦେଇ ଜଣେ ଜାତୀୟସ୍ତରରର ନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିବା ବ୍ୟକ୍ତିତ୍ୱ, ଓଡିଆ ଭାଷା କୋର୍ଟ କଚେରୀ ଓ ବିଦ୍ୟାଳୟ ମାନଙ୍କରେ ପ୍ରଚଳନ କରିବା ଦାବୀ ତତ୍କାଳୀନ ମାନ୍ଦ୍ରାଜ ସରକାରୀ ମୁଖ୍ୟ ଲର୍ଡ କାନ୍ମୋରାଙ୍କ ଠାରେ ଦାବୀ କରି ସେଥିରେ ସଫଳତା ଲାଭ କରିଥିଲେ ବୋଲି କହିବା ସହ ରାଜଗୁରୁଙ୍କୁ ଓଡିଆ ଭାଷା ସୁରକ୍ଷାର ମହାନାୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶ । ଭାଷା, ସାହିତ୍ୟ ଓ ଓଡିଶା ପ୍ରଦେଶ ଗଠନରେ ପାରଳାଖେମୁଣ୍ଡିର ଅବଦାନକୁ ସ୍ମରଣ କରାଇଦେବା ସହ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ଷୀୟାନ୍ ସାହିତ୍ୟିକ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ୟାମ ସୁନ୍ଦରଙ୍କୁ ଓଡିଆ ଭାଷାର ତ୍ରାଣକର୍ତ୍ତା ତଥା ମହାନ ସମାଜେସେବୀ ଭାବେ ଅଭିହିତ କରି ତାଙ୍କୁ ଓଡିଆ ସାହିତ୍ୟର ପ୍ରଥମ ଓ ପ୍ରଧାନ ଗବେଷକ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଥିଲେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା । ଓଡିଶା ସାହିତ୍ୟ ଏକାଡେମୀ ପାରଳାଖେମୁଣ୍ଡି ଭଳି ଓଡିଆ ସାହିତ୍ୟର ପ୍ରାଣ କେନ୍ଦ୍ରକୁ କ୍ରମାଗତ ଅବହେଳା କରି ଆସୁଥିବା, ଶ୍ୟାମ ସୁନ୍ଦର ରାଜଗୁରଙ୍କ ଜୟନ୍ତୀ ଉପଲକ୍ଷେ କରାଯାଇଥିବା ଭର୍ଚୁଆଲ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର କାହାକୁ ସାମିଲ କରାଯାଇ ନଥିବାରୁ ସଭାରେ ଦୃଢ ପ୍ରତିବାଦ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନପରେ ସ୍ୱାଗତ ଭାଷଣ ଦେଇଥିଲେ ଆଶାଲତା ପାଣିଗ୍ରାହୀ ଓ ଅତିଥି ଆଂକର କରିଥିଲେ ମୀନା କୁମାରୀ ଟହଲ । ସହରର ବୁଦ୍ଧିଜିବୀ, ସ୍ୱର୍ଣ୍ଣ ପ୍ରଭା ପାଠୀ, ତ୍ରିପତି ପଣ୍ଡା, ମୁରଲୀ ପରିଚ୍ଛା ଜଗଦୀଶ ମହାପାତ୍ର, ନିତ୍ୟାନନ୍ଦ ଚୌଧୁରୀ, କାଳୀ ପ୍ରସାଦ ପାତ୍ର, ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ଧନ୍ୟବାଦ ଦେଇଥିଲେ ଭାରତଭୂଷଣ ମହାନ୍ତି ।