ଛାଡ଼ଖାଇରେ ଆମିଷ ବଜାର ଭିଡ଼
ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ଏକମାସର ନିଷ୍ଠାପର ଭାବେ ମହାପଞ୍ଚକ ବ୍ରତ ପାଳନ ପରେ ଏହା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଉଦଯାପିତ ହୋଇଥାଏ । ମାସକ ଯାକ ଅରୁଆ ଭାତ ଓ ସମ୍ପୂର୍ଣ୍ଣ ଶୁଦ୍ଧ ନିରାମିଷ ଖାଇ ଆସିଥିବା ବ୍ରତଧାରୀଙ୍କ ପାଇଁ ପୂର୍ଣ୍ଣମୀ ପରଦିନ ଅର୍ଥାତ ଛାଡ଼ଖାଇର ଗୁରୁତ୍ୱ ଅଧିକ । ଏହି ଛାଡ଼ଖାଇ ଦିବସରେ ପ୍ରାୟ ପ୍ରତ୍ୟେକ ଓଡ଼ିଆ ଘରେ ଆମିଷ ଖାଇବାର ପରମ୍ପରା ବହୁ ଦିନରୁ ଚଳିଆସିଛି । ତେବେ ଚଳିତବର୍ଷ ପୂର୍ଣ୍ଣିମା ପରଦିନ ଶନିବାର ପଡ଼ିଥିଲେ ବି କାଁ ଭାଁ ପରିବାରକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଘରେ ଆଜି ଆମିଷ ଖାଦ୍ୟ ପ୍ରସ୍ତୁତି ହୋଇଛି । ଏନେଇ ସକାଳୁ ସକାଳୁ ବାଲେଶ୍ୱର ସହରର ମାଛ, ମାଂସ ଦୋକାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସହରର ଅରଡ଼ବଜାର, ନୂଆବଜାର, ମୋତିଗଞ୍ଜ ଓ ଓଟି ରୋଡ଼ ସିନ୍ଦୁରୀସ୍ଥିତ ମାଛ ଗୋଦାମ ସମେତ ଆଜିମାବାଦ, ଆଇଟିଆଇ ଛକ, ହେମକାପଦା ଛକ, ସୁନହଟ ଛକ ପ୍ରଭୃତି ମାର୍କେଟରୁ ଘରକୁ ମାଛ ନେବା ପାଇଁ ଲୋକେ ଭିଡ଼ ଜମାଇଥିଲେ । ରୋହି, ଭାକୁର ଆଦି ଦେଶୀ ପୋହଣା ସମେତ ଇଲିସି, ଫିରିକା, କୋରା, ଆଞ୍ଜି, ଶିଳା, ପାଣିଆଖିଆ ପ୍ରଭୃତି ବିଭିନ୍ନ ପ୍ରକାର ସମୁଦ୍ର ମାଛ ସାଙ୍ଗକୁ କଙ୍କଡ଼ା, ମଧୁର ଓ ଲୁଣି ଚିଙ୍ଗୁଡ଼ି ଅଧିକ ପରିମାଣର ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । କେଜି ପ୍ରତି୨ଶହରୁ ହଜାରେରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ମାଛ ବିକ୍ରି ହୋଇଥିଲା । ଶନିବାରରେ କିଛି ଲୋକେ ଆମିଷ ଖାଉ ନଥିବା ବେଳେ ଚଳିତ ଛାଡ଼ଖାଇରେ ଅନ୍ୟାନ୍ୟ ବର୍ଷ ତୁଳନାରେ କିଛି ପରିମାଣର ମାଛ କମ ବିକ୍ରି ହୋଇଥିବା ବେପୋରୀମାନେ ପ୍ରକାଶ କରିଛନ୍ତି । ତେବେ ମାଛର ମୂଲ୍ୟ ଦିନକୁ ଦିନ ବଢ଼ୁଥିବା ବେଳେ ସକ୍ଷମ ଅନୁସାରେ ଲୋକେ ନିଜ ପରିବାର ପାଇଁ ମାଛ କିଣି ନେଉଥିବା କେତେକ ଗ୍ରାହକ ସୂଚନା ଦେଇଛନ୍ତି । ସେହିଭଳି ବ୍ରୟଲର ଓ ଦେଶୀ କୁକୁଡ଼ା ସାଙ୍ଗକୁ ସହରର ବିଭିନ୍ନ ସ୍ଥାନରେ ଖାସିମାଂସ ଦୋକାନ ଗୁଡ଼ିକରେ ବି ଅନୁିରୂପ ଭିଡ଼ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼କଥା ହେଲା କରୋନା ସଂକ୍ରମଣର ବିପଦ ଅଦ୍ୟାବଧି ଟଳି ନଥିବା ବେଳେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ପ୍ରତି ଉଭୟ ବିକ୍ରେତା ଏବଂ ଗ୍ରାହକଙ୍କଠାରେ ବେଫିକର ଆଚରଣ ପରିଲକ୍ଷିତ ହୋଇଥିଲା ।


