ଛାଡ଼ପତ୍ର ପରେ ଜୀବନକୁ ଏମିତି କରନ୍ତୁ ସରଳ ସୁନ୍ଦର
କୌଣସି ବି ପ୍ରକାରର ସମ୍ପର୍କ ଭାଙ୍ଗିବା, ସବୁବେଳେ କଷ୍ଟ ଦେଇଥାଏ। ବିଶେଷ କରି ପତି ପତ୍ନୀ ସମ୍ପର୍କ ଭାଙ୍ଗିଲେ ବହୁତ କଷ୍ଟ ହୋଇଥାଏ। ଛାଡ଼ପତ୍ର ନେଇ ସାଥୀଙ୍କଠାରୁ ଅଲଗା ରହିବାକୁ କେହି ଚାହାନ୍ତି ନାହିଁ। କିନ୍ତୁ ବେଳେ ବେଳେ ଏପରି ପରିସ୍ଥିତି ହୋଇଯାଏ ଯେ ନ ଚାହିଲେ ମଧ୍ୟ ଛାଡ଼ପତ୍ର ନେବା ଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ ଉକ୍ତ ଲୋକଙ୍କ ମଧ୍ୟରେ ସାମିଲ୍, ଯିଏ ଛାଡ଼ପତ୍ର ହେବା ପରେ ବହୁତ ଦୁଃଖି ଅଛନ୍ତି, ନିକୁ ସମ୍ଭାଳି ପାରୁ ନାହାନ୍ତି, ଆଗକୁ ବଢ଼ିବାକୁ ରାସ୍ତା ଖୋଜୁଛନ୍ତି, ତେବେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ।
ଛାଡ଼ପତ୍ର ପରେ ଇମୋସନାଲ ପରିବର୍ତ୍ତନ
କୌଣସି ବ୍ୟକ୍ତିଙ୍କ ସହିତ ଦୀର୍ଘ ସମୟ ଯାଏ ଭାବନାତ୍ମକ ଭାବେ ଯୋଡ଼ି ହୋଇଯାଇଥିଲେ, ତାଙ୍କଠାରୁ ଅଲଗା ହେବାର ପ୍ରଭାବ ଆପଣଙ୍କ ଇମୋସନ ସହିତ ମାନସିକ ସ୍ଥିତି ଉପରେ ମଧ୍ୟ ପଡ଼ିଥାଏ। ଅନେକ ଲୋକ ତାଙ୍କର ଛାଡ଼ପତ୍ର ହୋଇଯାଇଥିବା ସ୍ବୀକାର କରି ପାରନ୍ତି ନାହିଁ। ସେମାନଙ୍କ ସହ ଧୋକା ହୋଇଥିବା ସେମାନେ ଭାବନ୍ତି ଓ ଭିତରେ ଭିତରେ ଭାଙ୍ଗି ପଡ଼ନ୍ତି। ଆଉ କେତକ ଲୋକ ସବୁ ପାଇଁ ନିଜକୁ ଦାୟୀ କରନ୍ତି ଓ ନିଜ ଭିତରେ ଭୁଲ୍ ଖୋଜିବାରେ ଲାଗନ୍ତି। ଯଦିଓ ଥରେ ନିଜ ଭିତରର ରାଗ ଓ ଅପରାଧବୋଧ ଶାନ୍ତ ହୋଇଗଲା ପରେ ଆପଣ ଏହି ଛାଡ଼ପତ୍ରକୁ ଗ୍ରହଣ କରିବା ସହିତ ଧିରେ ଧିରେ ଏହି ପରିବର୍ତ୍ତନ ହିସାବରେ ବଞ୍ଚିବା ଶିଖିଯିବେ।
କ୍ୟାରିଅର ଉପରେ ଧ୍ୟାନ ଦିଅନ୍ତୁ
ଯଦି ଆପଣ ଛାଡ଼ପତ୍ର ହେବା ପୂର୍ବରୁ ନିଜ ସାଥୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିଲେ, ତେବେ ଛାଡ଼ପତ୍ର ପରେ ଅନୁଭବ କରିବେ ଯେ ଆପଣ କ୍ୟାରିଅର ଉପରେ ଧ୍ୟାନ ଦେବା କେତେ ଆବଶ୍ୟକ। ଯାହାଫଳରେ ନିଜ ଖର୍ଚ୍ଚ ଓ ଦାୟିତ୍ବ ନିଜେ ତୁଲାଇପାରିବେ। ନିଜେ କିଛି କରିବାର ଏହା ହେଉଛି ସବୁଠାରୁ ଉପଯୁକ୍ତ ସମୟ। ଯାହାଫଳରେ ଆର୍ଥିକ ସହାୟତା ପାଇଁ ଆପଣଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଦାୟିତ୍ବ ନିଅନ୍ତୁ
ଛାଡ଼ପତ୍ର ନେଇ ଅଲଗା ହୋଇଗଲା ପରେ ନିଜ ଦାୟିତ୍ବ ନିଜେ ନେବାକୁ ଚେଷ୍ଟା କରନ୍ତୁ। ନିଜକୁ ସଶକ୍ତ କରିବା ଦରକାର। ଏଥିପାଇଁ ଲଜ୍ଜା ଅନୁଭବ କରିବା ଉଚିତ ନୁହେଁ।
ବନ୍ଧୁଙ୍କୁ ଚିହ୍ନନ୍ତୁ
ଖରାପ ସମୟ ଆସିବାବେଳେ ଅସଲ ବନ୍ଧୁଙ୍କ ପରିଚୟ ହୋଇଥାଏ। ଏହି ସମୟରେ ଆପଣ ଏକୁଟିଆ ହୋଇଥିବାରୁ ଆପଣଙ୍କୁ ଇମୋସନାଲ ସପୋର୍ଟର ଆବଶ୍ୟକତା ରହିଛି। ଏହି ସମୟରେ ଆପଣଙ୍କ ଅସଲ ବନ୍ଧୁ କିଏ, ପରଖି ପାରିବେ।
ପିଲାଙ୍କ ଧ୍ୟାନ ଏପରି ରଖନ୍ତୁ
ଯଦି ଆପଣଙ୍କ ପିଲା ଅଛନ୍ତି ଓ ଛାଡ଼ପତ୍ର ପରେ ସେମାନେ ଆପଣଙ୍କ ସହିତ ରହୁଛନ୍ତି, ତେବେ ଆପଣଙ୍କୁ ହିଁ ସେମାନଙ୍କ ଧ୍ୟାନ ରଖିବାକୁ ପଡ଼ିବ। ଏହାର ଅର୍ଥ ହେଲା ଆପଣଙ୍କ ଦାୟିତ୍ବ ଆହୁରି ବଢ଼ିଯିବ। କିନ୍ତୁ ଏଥିପାଇଁ ଚିନ୍ତା କିମ୍ବା ଚାପରେ ରହନ୍ତୁ ନାହିଁ। ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରନ୍ତୁ ଓ ଭଲ ଭାବେ ଦାୟିତ୍ବ ନିଅନ୍ତୁ। ଯାହାଫଳରେ ପିଲା ଆପଣଙ୍କୁ ତାଙ୍କର ରୋଲ୍ ମଡେଲ୍ ମାନିବେ।
ଏହି ଭୁଲ୍ ଆଦୌ କରନ୍ତୁନି
ଅତୀତ ସମ୍ପର୍କରେ ଚିନ୍ତା କରନ୍ତୁନି। ବଜେଟ୍ ନ କରି ଖର୍ଚ୍ଚ କରନ୍ତୁନି। ନିଜ ପୂର୍ବତନ ସାଥୀଙ୍କୁ ସୋସାଲ ମିଡିଆ କିମ୍ବା ବାହାରେ ଅନୁସରଣ କରନ୍ତୁନି।