ଛାଡ଼ ଚାଷବାସ : କର ବନବାସ!

ଚାଲସବୁ ଚାଷବାସ ଛାଡିଦେବା, ହଳ ବଳଦ ବିକିଦେବା । ଆଉ କର କରିବାକୁ ପଡିବନି କି ବନ୍ୟାବାତ୍ୟା, ଧୋଇମରୁଡିର ଦରଦ ସହି କପାଳରେ କର ତାଡ଼ିବାକୁ ପଡ଼ିବନି । ଗୋଡ ଉପରେ ଗୋଡ ପକାଇ ମାହାଳିଆ ଖାଇ ହାକୁଟି ମାରିବା । ପଶାପାଲି, ତାସରେ ମଉଜ ମାରିବା । ଧନ୍ୟ ଧନ୍ୟ ସରକାର – ଏମିତି ଟଙ୍କାକରେ ଚାଉଳ ଦେଉଥା, ଏବେ ଟଙ୍କାକରେ ୫କିଲୋ ଚାଉଳ, ଅଧାକିଲୋ ଡାଲି, ଅଧାକିଲୋ ଲୁଣ ପାଇବୁ । ପୁଣି ଦିନକୁ ଦୁଇଶହ ମୋଫତ ଆଉ ଆମର ଚିନ୍ତା କ’ଣ? ଦେଶ ଭାସି ଯାଉ ସୁନାମିରେ କି ଦୋହଲିଥାଉ ଭୂମିକମ୍ପରେ, ଆକାଶରୁ ଅକାଳ ଚଡ଼କ ପଡ଼ି ପାତାଳରେ ପଶିଯାଉ ପଛେ – ଆମର କିଛି ଯାଏ ଆସେନା । ନାହିଁ ଆମର ହୋଲ୍ କି ଢୋଲ୍ – ବୋଲ ହରିବୋଲ୍!

ଆମକୁ ବେଶି ଭୋକ ହେଲେ ପୁଳା ପୁଳା ଖବରକାଗଜ, ନକଲି ୫୦୦, ୨୦୦୦ ଟଙ୍କିଆ ନୋଟ୍, ଟି.ଭି., କଳଗାଉଣା, ରେଡିଓ ଗୁଡାକୁ କୁମ୍ଭକର୍ଣ୍ଣ ଅଜଗର ସାପ ଗିଳିଲା ଭଳି ଗିଳିପକେଇବା । ଏଥିରେ ଯଦି ଭୋକ ଆୟତ ନହୁଏ, ତା’ହେଲେ ନେତା, ବେପାରୀଙ୍କ ଭଳି ଜମି, ପାଣି, ପବନ, ଜଙ୍ଗଲ, ବାଲିଗୋଡ଼ିମାଟି, ପାହାଡ, ପର୍ବତ, ସମୁଦ୍ରକୁ ଗିଳିଦେବା ! ବାଟରେ ଘାଟରେ ନାରାର ନାଗେରା ପିଟିବା – ଛାଡ଼ •ଷବାସ – କର ବନବାସ ।

ସେ’ଦିନ ଆମେ ପୁରୀ ବେଳାଭୂମିରେ ବୁଲୁଥିବାବେଳେ କିଛି ବିଦେଶୀ ସାମ୍ବାଦିକ ଓ ସମାଜବିଜ୍ଞାନୀଙ୍କ ସହ ଭେଟଭାଟ ହେଲା । ପୁରୀ ସାମ୍ବାଦିକ ବନ୍ଧୁ ସେମାନଙ୍କୁ ଚିହ୍ନାଇଦେଲେ । ସେମାନେ କହିଲେ – ଆମେ ବିଭିନ୍ନ ଦେଶର ପାଖାପାଖି ତିନି ହଜାର ସାମ୍ବାଦିକ ଭାରତବର୍ଷର କୋଣେଅନୁକୋଣେ ଛାଇ ହେଇଗଲୁଣି । ଏଥର ନିର୍ବାଚନରେ ଯାହାଯାହା ସବୁ ଘଟୁଛି, ଘଟିବାକୁ ଯାଉଛି, ତାହା ପୃଥିବୀର କୌଣସି ଦେଶ କି ରାଜ୍ୟରେ ଏପର୍ଯ୍ୟନ୍ତ ଘଟିନାହିଁ । ଏଇ ୨୦୧୯ ନିର୍ବାଚନରେ ଦଳ / ନେତାମାନେ ଅନ୍ଧାରୀ ଅନୈତିକତାର ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ । କୌଣସି ଦଳରେ ଉପଯୁକ୍ତ ନେତା ନାହାଁନ୍ତି । ଏଠାରେ ଦକ୍ଷିଣପନ୍ଥୀ, ବାମପନ୍ଥୀ, ମଧ୍ୟମପନ୍ଥୀ ବୋଲି କିଛିନାହିଁ । ସମସ୍ତେ ଗୋଟିଏ ନାଉର ମଞ୍ଜି । କିଏ ଚେପଟା, କିଏ ଶୁକୁଟା, କିଏ ଡେଙ୍ଗା, କିଏ ଗେଡା । ସଭିଏଁ ଗୋଟିଏ ଭାଡିର ପାରା । ସମସ୍ତେ ମିଛ ନାଟକର ହିରୋ ହେବାକୁ ହମ୍ ହମ୍ – ବୋଲତଗୁଡ଼ାକ ହାତ ସଫେଇ କରିବାରେ ଧୁରନ୍ଧର । ଏମାନଙ୍କ ନାଟକବାଜି ଦେଖି ଭାରତୀୟ ଭୋଟରମାନଙ୍କ ମଧ୍ୟରୁ କେତେ ହସୁଛନ୍ତି ତ, କିଏ ଆଖିକାନରେ ହାତଦେଇ କିଛି ନ’ଦେଖିଲା, ନ’ଶୁଣିଲା ଭଳି ଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ନେତା ଓ ଦଳମାନଙ୍କ ପ୍ରତି ଖାଲି ଅନାସ୍ଥା ନୁହେଁ – ପ୍ରବଳ ଘୃଣା ବଢିବାରେ ଲାଗିଛି । ଦଳମାନଙ୍କର ନେତା, ପ୍ରାର୍ଥୀ, ଆମଦାନୀ, ରତ୍ପାନୀ, ବେପାର ଜୋର ଜମିଛି । ସେମାନେ ଭୋଟରମାନଙ୍କୁ କିଣିବାପାଇଁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସମୟରେ ଦୁନିଆର ବହୁ ଧନୀଦେଶ ଭାରତକୁ ଭାଙ୍ଗି ଟୁକୁରାଟୁକୁରା କରି ଖଣ୍ଡେଖଣ୍ଡେ ଭାଙ୍ଗିନେବାର ଚକ୍ରାନ୍ତରେ ଅଶୁଭ ଶାଗୁଣା ଆଖି ପକେଇ ସାରିଲେଣି । ସେମାନେ ପୃଥିବୀର ଶ୍ରେଷ୍ଠ ଗଣତନ୍ତ୍ରର ଦେଶକୁ କବରଦେଇ ପୁଣି ସାମ୍ରାଜ୍ୟବାଦୀମାନେ ବ୍ରିଟିଶ୍ ଭଳି ଦଖଲ କରିନେବାକୁ ସବୁ କଳକୌଶଳ ଖଞ୍ଜି ସାରିଲେଣି । ତେଣୁ ଏ ଭୟଙ୍କର ନିର୍ବାଚନ ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି, ବିଦେଶୀ ସାମ୍ବାଦିକମାନେ ସବୁ ଟିକିନିଖି ଖବର, ଫଟୋ, ଭିଡିଓ ସଂଗ୍ରହକରି ପଠାଇବାରେ ଲାଗିଛନ୍ତି । ଏ ନିର୍ବାଚନ କ’ଣ ସତରେ ଶେଷ ନିର୍ବାଚନ ହେଇଯିବ ? ସବୁ ଦେଶ, ରାଜ୍ୟକୁ କ’ଣ ରାତିଅଧିଆ ଚଢଉ ଚଳାଇ ମିଲ୍ଟାରୀମାନେ ଦଖଲ କରିଯିବେ? ଚାଲିବ କ’ଣ ଭୟଙ୍କର ମିଲଟାରୀ- ପୁଲିସ୍ରାଜ? ହିଟ୍ଲର, ମୁସଲୀନ୍ ଭଳି ଭାରତର ଜଘନ୍ୟ ଫାଶୀବାଦୀମାନେ ମିଛୁଟାରେ ଏମରଜେନ୍ସି ଜାରିକରି ବର୍ଷବର୍ଷ ଧରି ରାଷ୍ଟ୍ରପତି ଶାସନ ଚଳାଇବେ କି?
ଏବେ ନିର୍ବାଚନ ବୈତରଣୀ ପାର ହେବାପାଇଁ ଦଳର ନେତାମାନେ ବର୍ଷବର୍ଷ ଧରି ରାଜକୋଷ ଲୁଣ୍ଠନକରି ପର୍ବତ ପ୍ରମାଣ ଅଚଳାଚଳ ସମ୍ପତ୍ତିରୁ ପୁଳାଏ ପୁଳାଏ ଫିଙ୍ଗିବାରେ ଲାଗିଛନ୍ତି । ଲୋକଙ୍କୁ ଦାନା-କନା-ମକାନ ସବୁ ମାହାଳିଆ ଦେବେ ବୋଲି ଗର୍ଜନତର୍ଜନ କରି ଘୋଷଣା କରୁଛନ୍ତି । ଚାଷୀଙ୍କୁ କହୁଛନ୍ତି – ବନ୍ଦ କର ଚାଷବାସ୍ । ଆମଠାରୁ ଅନୁଦାନ, ବୋନସ୍ ନେଇ ହଟେଇ ଦିଅ ତୁମର ଭୋକ, ଶୋଷ, ରୋଗ, ବୈରାଗ, ଦୁଃଖ, ହତାଶା, ନିରାଶା, ପାରିବାରିକ ଅସୁବିଧାକୁ! ତମ ଝିଅ, ପୁଅ, ବାପ, ମା’ଙ୍କ ଦୁଃଖ ବୁଝିବାକୁ ଆମେ ଭଣ୍ଡାରଘର ସାହାଣମେଲା କରିଦେଇଛୁ । ଯେତେ ପାରୁଛ ସେତେ ବୋହିନିଅ । ଦେଶର ୯୫ ଭାଗ ନିରନ୍ନ ନିରୀହ, ଖୁଦିତ, ତୃଷିତ, ପୀଡିତ, ଶୋଷିତ, ନିର୍ଯାତିତ, ଅପମାନିତ ଜନଗଣ ସେଇ ୫ ଭାଗେ ଶୋଷକଙ୍କ ଭଣ୍ଡାରଘର ସମ୍ପତ୍ତିର ପାହାଡ ଉପରେ ନଜର କଲେଣି । ସେ ସମୟ ଆସିଗଲାଣି । ଭୋକିଲା ମଣିଷ କ’ଣ ପାପ ନ’କରେ; ଭୋକର ଦାଉରେ ଛଟପଟ ହେଉଥିବା ମଣିଷମାନେ ଭଣ୍ଡାରଘର ତାଲା ଭାଙ୍ଗି ପୁଞ୍ଜି ପାହାଡକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ସବୁ ଧନସମ୍ପତ୍ତି ବୋହିନେବେ । ୧୯୪୨ ଦୁର୍ଭିକ୍ଷବେଳେ ଯେଭଳି ବଙ୍ଗଳାରେ ଲୁଟପାଟ ଚାଲିଥିଲା, ଏବେ ଭାରତରେ ସେଇ ୭୮ବର୍ଷର ଘଟଣା ହଜାରେ ଗୁଣରେ ବଢିଯିବ । ଏଥର ସମ୍ଭାଳ!

ଭାରତୀୟ ସବୁ ଦଳର ନେତାମାନେ ଲୋକଙ୍କୁ ସବୁକିଛି ମାହାଳିଆ ଯୋଗାଇ ଦେବାପାଇଁ ଯେଉଁ ଘୋଷଣା କରୁଛନ୍ତି, ପୁଞ୍ଜି ଆସିବ କେଉଁଠୁ? ଆମେରିକା, ଇଂଲଣ୍ଡ, ଚୀନ୍, ଜାପାନ, ଜର୍ମାନୀ ପ୍ରମୁଖ ଦେଶମାନେ ଆଗେଇ ଆସି ପ୍ରସ୍ତାବ ବାଢିଛନ୍ତି ତମର ଯାହା ଟଙ୍କା ଦରକାର ଆମ ଗଚ୍ଛିତ ପୃଥିବୀ ବ୍ୟାଙ୍କରୁ ନେଇଯାଅ – ଆମେ ତ ଜାଣୁ – ତମେ ମୂଳ ବି ଶୁଝିପାରିବନି, ସୁଧ ବି ଦେଖପାରିବନାହିଁ – ଆମ ସହିତ ଭିତିରିଆ ଚୁକ୍ତି କର । ଆମେ ଭାରତର ଜମି, ଜଳ, ଜଙ୍ଗଲ, ପାହାଡ, ପର୍ବତ, ସମୁଦ୍ର ସବୁ ଠାବ କରିଛୁ – ଖଣ୍ଡେ ଖଣ୍ଡେ ବାଂଟିନେବୁ । ତମେ ତମ ଦାମି ପୋଷାକ ତଳେ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଭାରତର ଭାଗ୍ୟଟାକୁ (ରଖିଦବ) – ଲୋକେ ମଲେ କେତେ, ଗଲେ କେତେ – ତମର କ’ଣ ଯାଏ, ଆସେ ? ଆପେ ବଂଚିଲେ ବାପର ନାଁ ନୀତିରେ ଚାଲ । ଏ ସବୁ ଉପଦେଶକୁ ଆମ ନେତା, ଦଳମାନେ ପାଣିଭଳି ପିଇଯାଇଛନ୍ତି । ସେଇ ସାମ୍ରାଜ୍ୟବାଦୀ ଦେଶମାନଙ୍କୁ ଭାରତକୁ ବିକିଦେବପାଇଁ କୋଟିକୋଟି ଡଲାର, ପାଉ୍ଣ୍ଡ ବଇନା ନେଇଆସିଛନ୍ତି । ଆମର ଭାରତରେ ଯେମିତି ସବୁକାମରେ ପିସି କାରବାର, ଅର୍ଥାତ୍ ଲାଂଚ କାରବାର କ୍ୟାନସର ଭଳି ମାଡିଗଲାଣି, ଏମନ୍ତ ଅବସ୍ଥା ଦେଖି ବିଦେଶୀ ରୋଗାକ୍ରାନ୍ତ ଭାରତବର୍ଷକୁ ପଶିଆସି ଆହୁରି ସ୍ଲୋ-ପଏଜନ୍ ଦେଇ ସମସ୍ତଙ୍କ ମୁଣ୍ଡ ବିଗାଡି ଦେବେ, ଦେଲେଣି ମଧ୍ୟ ।

ସାରା ଭାରତର କୋଟି କୋଟି ଲୋକ ଭୋକ, ଶୋଷରେ ଆଉଟୁପାଉଟୁ ହେଇ ମରିଯିବେ । ଏପାରିସେପାରି ବେପାରୀମାନଙ୍କର ଆଉ ଭାରତର କୋଟିକୋଟି ଲୋକଙ୍କର ଦରକାର ନାହିଁ । ସମସ୍ତଙ୍କୁ ଛଟପଟ ଅବସ୍ଥାରେ ମରାଇଦେଇ ଅଳ୍ପକିଛି ଲୋକଙ୍କୁ ତାଙ୍କ ଦୋନମ୍ବରୀ ଦପ୍ତର ଗୁଡ଼ାକରେ ବାହାରେ ରଖି ତାଙ୍କ କାମ ଚଳେଇନେବେ । ଆମେ କ’ଣ ସତରେ କୁଣ୍ଢାକୁଣ୍ଢି ହୋଇ ଅକାଳରେ ନିପାତ ହୋଇଯିବା? ସତରେ କ’ଣ କଳିଯୁଗର ଏ ଶିଳାନ୍ୟାସ? ସତରେ କ’ଣ ସମସ୍ତେ ଗ୍ରହଣ କରିନେବେ କଳିଯୁଗର ଏ କଳଗାଉଣିଆ କୋହଲାଗୀତ – ଛାଡ଼ •ଷବାସ – କର ବନବାସ? ବେଳ ଥାଉ ଥାଉ ଏ କଥାକୁ ଟିକେ ହେଜ ! ଆଉ ପାପଡଙ୍ଗାରେ ନ’ଚଢି, ଧର୍ମଡଙ୍ଗାକୁ ଆସ । କାଳେ ଶେଷ ମୁହୂର୍ତରେ ଆମେ ମରୁମରୁ ବଂଚିଯିବା!
ହେଜି ନପାରିଲେ ଶେଷରେ ‘ଭଜୁକିନା ରାମ ନାମରେ ତୁମର, ଭଜୁକିମା ରାମ ନାମ’ ଗାଇ ଗାଇ ଆମେ ଅନାଥ ଦଳ ନାଥ ବେଶରେ ଘୂରି ବୁଲୁଥିବା ଗାଁଗଣ୍ଡା-ଗଡ଼-ଗଡ଼ଜାତ! ରାଜ୍ୟରେ ‘ରୋଡ଼ ଶୋ’ •ଲିଥିବ ରଙ୍ଗିଲା ରାଜ୍ୟର ଆଉ କେନ୍ଦ୍ରରେ ଆମ ସ୍ୱର ଶୁଣା ଯାଉଥିବ କରୁଣ କେନ୍ଦରାର କୁଣ୍ଠିତ କୁଁ କୁଁ କାନ୍ଦଣା ପରିକା । ମିଛ ମହାଜନୀମାନଙ୍କ ଦୋନମ୍ବରୀ ଦାନପତ୍ର ସହ ସବୁ ଆମ ଉପରେ ଅଜାଡ଼ି ଦେବାର ସେହି ନକଲି ତାଲିକା ଶୁଣାଇ ଯେଉଁମାନେ ଆଜି ରାଜନୀତିର ରିଂ-ରୋଡ଼ରେ ସେମାନଙ୍କ ରଙ୍ଗ୍-ନମ୍ବର୍ ଡ଼ାଏଲ୍ କରି •ଲିବାରେ ମଜଗୁଲ୍, ଏବେଠୁ ଯଦି ସେମାନଙ୍କୁ ନୂଆ ତରିକାରେ ନିକାଲି ଦେବାର ନିଷ୍ପତ୍ତି ନ ନେଇପାରିବା-ତା’ହେଲେ ବିପତ୍ତି ଆମ ପାଇଁ ଆଗକୁ ଥୁଆ । ସାବଧାନ! ନକଲି ସୁନା କଳସରୁ ଏବେ ଯାହା ଝରି ଆସିବାରେ ଲାଗିଛି, ତାହା କଳାଟଙ୍କାର କୁବେରମାନଙ୍କ କର୍ତ୍ତୃତ୍ୱାଧୀନ କଳକାରଖାନାର ପ୍ରଦୂଷିତ ନଳପାଣି! ଆଜି ଏ ବାରି ବିଷବାରି-କାଲି ଯାହା ଆମ ଅଶ୍ରୁବାରି ବର୍ଷଣ ପାଇଁ ଉପୁଜାଇବାକୁ ଯାଉଛି ଅଚିନ୍ତନୀୟ ଉକ୍ରଟ ଭବିଷ୍ୟତ! ଅତଏବ ବର୍ତ୍ତମାନରେ ଭୁଲିଯାଅନା-ହେଜ ଟିକେ-ହୁଅ ହୁସିଆର-ଉଠା ହତିଆର!! ନୋହିଲେ ସତକୁ ସତ ଛାଡ଼ •ଷବାସ : କର ବନବାସ!!!
ଯାଯପୁର ରୋଡ଼, ଯାଜପୁର
ମାୟାଧର ନାୟକ
ମୋ : ୯୮୬୧୦୩୪୧

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ