ଛିଣ୍ଡା ବିତ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ବାଦି ଆମ୍ବଗାଁ ପୋଖରୀ ନିକଟରେ ପଡ଼ିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁବାର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ନିମିଗାଁ ଗ୍ରାମର ଯୁବକ ବିଶିକେଶନ ଗୌଡ଼ (୧୯)। ଗୁରୁବାର ସକାଳେ ନିଜ ଧାନ ଚାଷ ଜମିରେ ସାରପିଡିଆ ପକାଇ ଘରକୁ ଫେରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୭୭୯/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଗାଡ଼ି ସହଯୋଗରେ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ଦାବି କରି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ହିଞ୍ଜିଳିକାଟୁ ଟିପିଏସ୍ଓ ଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଶବକୁ ରଖି କ୍ଷତିପୂରଣ ଦାବୀ କରିଛନ୍ତି। ଘଟଣା ମୁତାବକ ଗୁରୁବାର ପ୍ରାୟ ୧୧ଘଣ୍ଟା ସମୟରେ ଧାନ ବିଲରେ ସାର ପିଡିଆ ପକାଇ ଘରକୁ ଫେରୁଥିବା ବେଳେ ବହୁ ଦିନ ଧରି ପୋଖରୀ ନିକଟରେ ପଡ଼ିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେହି ଠାରେ ହିଁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବିଦ୍ୟୁତ୍ ବିତରଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଗୋପାଳ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ସ୍ୱାଇଁ ଏବଂ ସହକାରୀ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଥିଲେ। ଉକ୍ତ ସ୍ଥାନରେ ଜଣେ ବ୍ୟକ୍ତି ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରି ପାଣି ମୋଟର ଚଳାଉ ଥିବା ବେଳେ ଏଭଳି ଦୁର୍ଭାଗ୍ୟ ଜନକ ଘଟିଥିବା ନେଇ ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହା ପୁର୍ବରୁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ନିମନ୍ତେ ଚୁକ୍ତି କରିଥିବା ଠିକା ସଂସ୍ଥାର ବିଦ୍ୟୁତ ତାର ଚୋରୀ ହୋଇଥିବା ବେଳେ ଠିକାଦାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି। ରାସ୍ତା କଡ଼ରେ ପଡ଼ିଥିବା ଛିଣ୍ଡା ତାର ହଟାଇବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ଵାର ଅଭିଯୋଗ କରିଛନ୍ତି। କିନ୍ତୁ ଏଭଳି ସମ୍ବେଦନଶୀଳ ଅଭିଯୋଗ ପ୍ରତି ଅଣଦେଖା କାରଣରୁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ମୃତକଙ୍କ ପରିବାର ଓ ଗ୍ରାମବାସୀ ସମ୍ପୁକ୍ତ ଠିକାଦାରଙ୍କୁ ସିଧାସଳଖ ଦାୟୀ କରିବା ସହ କ୍ଷତିପୂରଣ ଦାବୀ କରି କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। ଖବର ଲେଖା ହେଲା ପର୍ଯ୍ୟନ୍ତ୍ ଅତିରିକ୍ତ ଥାନା ଭାର ପ୍ରାପ୍ତ ଅଧିକାରୀ ପଦ୍ମ ଚରଣ ଭଟ୍ଟ, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ଲୋକଙ୍କ ସହ କ୍ଷତିପୂରଣ ଅର୍ଥ ନେଇ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବା ସହ ମୃତକଙ୍କୁ ସାନଭାଇଙ୍କୁ ଡିପ୍ଲୋମା ପାଠ ପଢିବା ପାଇଁ ଖର୍ଚ୍ଚ ବହନ କରିବା ଏବ ମୃତକଙ୍କ ଭାଇ ସାବାଳକ ହେବା ପରେ ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ ପରେ ଉତ୍ୟକ୍ତ ଗ୍ରାମବାସୀ ଧାରଣାରୁ ଓହରି ଥିଲେ। ଟିପିଏସଓଡିଏଲ ପକ୍ଷରୁ ଏଥିରେ ବ୍ୟତିକ୍ରମ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉତ୍ୟକ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ