ଛେଳିଆପଡ଼ା ଗ୍ରାମବାସୀଙ୍କ ଥାନା ଘେରାଉ
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ଅନୁଗୋଳ ପୋଲିସ ସୁରକ୍ଷା ଦେଇଛି । ସେ କରିଥିବା ଅଭିଯୋଗ ମିଥ୍ୟା ହୋଇଥିଲେ ବି ପୋଲିସ ଛେଳିଆପଡ଼ା ଗ୍ରାମର ତିନି ନୀରିହ ଯୁବକଙ୍କୁ ଥାନାକୁ ଉଠାଇ ଆଣିଛି । ଏପରି ଅଭିଯୋଗ କରି ମଙ୍ଗଳବାର ଛେଳିଆପଡ଼ା ଗ୍ରାମବାସୀ ଅନୁଗୋଳ ଥାନା ଘେରାଉ କରିଥିଲେ । ନୀରିହ ଯୁବକଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ୍ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଶେଷରେ ପୋଲିସ ୩ ଯୁବକଙ୍କୁ ଥାନାରୁ ଛାଡ଼ିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା ।
ଗ୍ରାମବାସୀଙ୍କ କହିବାନୁଯାୟୀ ଛେଳିଆପଡ଼ାରେ ଗତ ୨୧ ତାରିଖରେ ଦୋଳ ମେଳଣ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୁବୁ ଭଞ୍ଜ ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ । ଗ୍ରାମବାସୀ ବାରଣ କରିବାରୁ ବୁବୁ ସେଠାରୁ ଚାଲି ଯାଇଥିଲା । ହେଲେ ଗ୍ରାମବାସୀଙ୍କ ପାନେ ଦେବାକୁ ଚକ୍ରାନ୍ତ କରି ସେ ସେହି ରାତିରେ ନିଜ ପାଳଗଦରେ ନିଆଁ ଲଗାଇ ଦେଇଥିଲା । ଏହାପରେ ଥାନାରେ ପହଞ୍ଚି ଗ୍ରାମବାସୀ ତାଙ୍କ ପାଳ ଗଦ ପୋଡ଼ି ଦେଇଥିବା ଏତଲା ଦେଇଥିଲା । ଏତଲା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ମତ ନେଇଥିଲା । କିନ୍ତୁ ରାତିରେ ଗ୍ରାମର ୩ ଯୁବକଙ୍କୁ ପୋଲିସ ଉଠାଇ ଆଣିଥିଲା । ଏପରିକି ସମ୍ପୃକ୍ତ ଯୁବକମାନେ ବୁବୁଙ୍କ ପାଳଗଦାରେ ନିଆଁ ଲଗାଇ ଥିବା ପୋଲିସ କହିଥିଲା । କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ । ସେମାନେ ପୋଲିସକୁ କହିଥିଲେ, ପୂର୍ବରୁ ବୁବୁଙ୍କ ନାମରେ ଅନୁଗୋଳ ଥାନାରେ କୁକୁଡ଼ା ଫାର୍ମ ପୋଡ଼ି, ଦୋକାନ ପୋଡ଼ି ସହ ଚୋରି ଡକାୟତି ଭଳି ମାମଲା ରହିଛି । ସେ ପୂର୍ବରୁ ଜେଲ୍ ମଧ୍ୟ ଯାଇ ସାରିଛନ୍ତି । ଜେଲ୍ରୁ ଆସିବା ପରେ ସହଯୋଗୀଙ୍କ ସହ ବିଭିନ୍ନ ସମୟରେ ଗାଁ ଲୋକଙ୍କୁ ଗାଳିଗୁଲଜ କରୁଛନ୍ତି । ପୋଲିସ କର୍ମଚାରୀଙ୍କ ପୁଅ ହୋଇଥିବାରୁ ପୋଲିସ ତାକୁ ସୁରକ୍ଷା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଗ୍ରାମର ନୀରିହ ଯୁବକଙ୍କୁ ପୋଲିସ ଛାଡ଼ି ବୁବୁକୁ ଗିରଫ କରିବାକୁ ଛେଳିଆପଡ଼ା ସରପଞ୍ଚ ଅଶୋକ ଦେହୁରୀ, ପ୍ରଫୁଲ୍ଲ କୁମାର ପ୍ରଧାନ, ରାଜେଶ ସାହ, ବଣ୍ଟି ମହାଳିକ, ଅନୁଭବ ବାରିକ, ଅଜିତ ପ୍ରଧାନ, ଦୀପକ ବାଘ, ଅନାଦି ସାହୁ, ପ୍ରଶାନ୍ତ ମୁଦୁଲି, ଲୋଚନ ପ୍ରଧାନ, ଜୀବନ ବାଘ, ପୁରନ୍ଦରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିଥିଲେ ।
ଘଟଣା ସମ୍ପର୍କରେ ଅନୁଗୋଳ ଥାନାଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଗ୍ରାମରେ ମେଳଣ ଦିନ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ୩ ଯୁବକଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଛୁ । ଗ୍ରାମବାସୀ ଉଠାଇଥିବା ଅଭିଯୋଗ ଭିତ୍ତିହୀନ । କୌଣସି ଅପରାଧିଙ୍କୁ ପୋଲିସ ପ୍ରଶୟ ଦେବନାହିଁ । ଲୋକମାନେ ଧୈର୍ଯ୍ୟ ରଖିଲେ ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


