ଛେଳିଗଡ଼ ବିସ୍ଥାପିତଙ୍କ ସମସ୍ୟା ଯୁଦ୍ଧକାଳିନ ଭିତ୍ତିରେ ସମାଧାନ ହେବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଛେଳିଗଡ଼ ବିସ୍ଥାପିତଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରତିଶ୍ରୁତି ଦେବା ସହ ସାତଦିନ ମଧ୍ୟରେ ପଟ୍ଟା ପ୍ରଦାନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି. ବିସ୍ଥାପିତମାନେ କନ୍ଦିଛନ୍ତି, ଦୀର୍ଘ ୧୦ ବର୍ଷ ହେଲା ସେମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସେମାନଙ୍କୁ କୌଣସି ସରକାରୀ ସୁବିଧା ମିଳୁନି। କଲୋନିରେ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ପାନୀୟଜଳ ସମସ୍ୟାର ସମାଧାନ କରାଯାଇନି ଯେଉଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଏଠାରେ ଥଇଥାନ କରାଯାଇଥିଲା ସେଗୁଡ଼ିକୁ ପୂରଣ କରିବାରେ ରାଜ୍ୟ ସରକାର ଓ ପ୍ରଶାସନ ବିଫଳ ହୋଇଛନ୍ତି। ନୀତିନିୟମ ଅନୁସାରେ, ଯେଉଁ ପ୍ୟାକେଜ୍ ମିଳିବା କଥା, ତାହା ମିଳିନାହିଁ। ସେହିପରି ଯେଉଁ ଜମିରେ ସେମାନଙ୍କ ପାଇଁ ପନ୍ଥା ନିର୍ମାଣ ହୋଇଛି, ତାହାର ପଟ୍ଟା ମଧ୍ୟ ପ୍ରଦାନ କରାଯାଇନି। ଏବେବି ରାସନ୍ ସାମଗ୍ରୀ ଓ ଭତ୍ତା ପାଇଁ ସେମାନଙ୍କୁ ୪୦ କିଲୋମିଟର ଦୂର ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ୍କୁ ଯିବାକୁ ପଚୁଛି| ଅନ୍ୟପକ୍ଷରେ ବିସ୍ଥାପିତମାନଙ୍କ ପାଇଁ ଯେଉଁ ସ୍ଥାନରେ କଲୋନି ନିର୍ମାଣ ହୋଇଛି ସେହି ଜମିର ପରିମାଣ ୪୧୧ ଏକରରୁ ଅଧିକ ହେବା ସେହି ସ୍ଥାନକୁ ଅକ୍ତିଆର କରି ଦିଗପହଣ୍ଡି ତହସିଲ ଅଧୀନ ଗଡ଼ସାମନ୍ତରାପୁର ଗ୍ରାମବାସୀ ଚାଷକାର୍ଯ୍ୟ କରୁଥିଲେ। ସରକାରଙ୍କୁ ଖଜଣା ଦେଉଥିଲେ। ତେବେ ସେଠାରେ ବିସ୍ଥାପିତ କଲୋନି ନିର୍ମାଣ ହେଲେ, ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧାସୁଯୋଗ ଦିଆଯାଉ ବୋଲି ଗ୍ରାମବାସୀ ସର୍ତ୍ତ ରଖିଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ପାଳନ ହୋଇ ନଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଶ୍ରୀ ମହାପାତ୍ର ସମସ୍ତ ଅଭିଯୋଗ ଏବଂ ସମସ୍ୟାକୁ ଶୁଣିବା ପରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାତଦିନ ମଧ୍ୟରେ ବିସ୍ଥାପିତଙ୍କୁ ଜମିପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଦିଗପହଣ୍ଡି ବ୍ଲକ୍ର ବାବୁଲିବନ୍ଧ, ବାଲିପାଟ୍ଟ, ଚାକୁଣ୍ଡାପଲ୍ଲୀ ଓ ଗଡ଼ସାମନ୍ତରାପୁରରେ ଥିବା ବିସ୍ଥାପିତ କଲୋନି ପରିଦର୍ଶନ କରିଥିଲେ । ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ବଂଶଧାରା-ନାଗାବଳୀ ବେସିନ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ମହାରଣା, ଦିଗପହଣ୍ଡି ତହସିଲଦାର ଅନ୍ୟତା କୁମାରୀ ସାହୁ, ଛେଳିଗଡ଼ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ର ଧୀରେନ୍ଦ୍ର କୁମାର ଜଗତ, ଛେଳିଗଡ଼ ଏସଡିଓ ଦେବାଶିଷ ନାୟକ, ଘୋଡ଼ାହାଡ଼ ଉପଖଣ୍ଡ ଅଫିସ୍ ଦିଗପହଣ୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଏ.ଗୋପାଳ ରାଓ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, କେ.ହରିବନ୍ଧୁ ରେଡ୍ଡୀ, ମନୋଜ କୁମାର ସାହୁ ଓ ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


