ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ ; ବୋଲେର ପିକ୍ଅପ ସହିତ ବାଇକ୍ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ଛେଳି ଚୋରି ଘଟଣା ସାଧାରଣ କଥା  ହୋଇଯାଇଛି। ଏହି ଛେଳି ଚୋରକୁ ନେଇ ସମଗ୍ର ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବହୁ ଚାଷୀ ଛେଳିଚୋରକୁ ରୋକିବା ପାଇଁ ଏବେ ରାତ୍ର ଉଜାଗର ମଧ୍ୟ ରହିବାକୁ ବାଧ୍ୟ ହେଉଛନ୍ତି। ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ  ପ୍ରାୟଲୋକ ଛେଳି ପାଳନ କରିଥାନ୍ତି। ଏଥିରୁ ଯଥେଷ୍ଟ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। ତେବେ ଗାଁ ଗହଳିର ନିରିହ ଜନସାଧାରଣଙ୍କ ସରଳତାର ଯଥେଷ୍ଟ ଫାଇଦା ମଧ୍ୟ ଉଠାନ୍ତି ଚୋର ମାନେ। ଥାନା କୋର୍ଟ କଚେରିର ଝାମଲା ଭିତରେ କିଏ ପସିବ କହି ପ୍ରାୟ ଲୋକ ଛେଳି ଚୋରି ହେଲେ ମଧ୍ୟ ନିଜ ଉଦ୍ୟମରେ ଖୋଜାଖୋଜି କରି ଛେଳି ନମିଳିଲେ ଚୁପ ରହିଯାଉ ଥିବା ନଜିର ରହିଛି। ଏହି ସବୁଥିରୁ ଚୋର ମାନଙ୍କୁ ଚୋରି କରିବାପାଇଁ ସାହସ ମିଳୁଥିବା କୁହାଯାଏ। ୪ରୁ୫ ଦିନ ତଳେ ଛେଳିଚୋରି ମାମଲାରେ ଜେଲ ଯାଇଥିବା ଅପରାଧି ବେଲରେ ନ ଆସୁଣୁ ପୁଣି ଆଜି ରବିବାର ଦିନ ଘଟିଥିବା ଏକ ଛେଳି ଚୋରି ଘଟଣାରୁ ଏହି ସମସ୍ତ ବିଷୟ ସ୍ପଷ୍ଟ ବାରି ହୋଇଛି।ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୨ଟା ସମୟରେ ଏକ ନକଲି ନଂମ୍ବର ଥିବା ବୋଲେର ପିକ୍ଅପ୍ ଧରି ଚାରି ଜଣ ଚୋର ଛେଳି ଚୋରି କରିବା ଉଦ୍ୟମ କରୁଥିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଂଚାୟତର ମାଡାସୁପାଜୁ ଗ୍ରାମବାସୀ ଏହି ଚୋର ମାନଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ରାତ୍ର ତମାମ୍ ଏହି ଚୋର ମାନଙ୍କୁ ଶିକ୍ଷାଦେବା ପାଇଁ ଗ୍ରାମ ମଝିରେ ଏକ ଖୁଣ୍ଡରେ ମଧ୍ୟ ବାନ୍ଧି ରଖିଥିବାର ଦେଖାଯାଇଛି। ଏନେଇ ରବିବାର  ସକାଳେ ତୁମୁଡ଼ିବନ୍ଧ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ସେଠାରେ ପହଞ୍ଚିବା ପରେ ଗିରଫ ଅଟକ ରଖିଥିବା ମାନଙ୍କୁ ପୁଲିସ୍ କବଜାରେ  ଦେଇଥିବା ପ୍ରକାଶ। ଏହି ମାମଲାରେ ପୁଲିସ୍ ଏକ ମାମଲା ରୁଜୁକରି ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମର ତୁମୁ ନାୟକ (୨୪), ମ.ରାମପୁର ବ୍ଲକ ଅନ୍ତର୍ଗତ କୁଟେଡପାଟା ଗ୍ରାମର ରବି ନାୟକ (୨୬), ଶୁସିଲ ନାୟକ (୩୦) ଏବଂ ଖଲିଆମୁଣ୍ଡା ଗ୍ରାମର ଦୁସମନ୍ତ ମାଝୀ (୨୧) ଙ୍କୁ ଗିରଫ କରିବା ସହ ଏକ ନକଲି ନମ୍ବର ଥିବା ବୋଲେର ପିକ୍ଅପ୍ ଜବତ କରିବା ସହିତ ଏକ ବାଇକ୍ ମଧ୍ୟ ଜବତ କରିଥିବା ଥାନା ଅଧିକାରୀ ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ