ଛୋଟ ଉଦ୍ୟମ, ବଡ଼ ଉଦାହରଣ ଛାତ ଉପରେ ସବୁଜିମାର ସମ୍ଭାବନା ସୃଷ୍ଟି କରୁଛନ୍ତି ସୁଶାନ୍ତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌):ନାନା ପ୍ରଜାତିର ଚାରା ସଂଗ୍ରହ ଚାଲିଛି । ଦିନର ଏକ ବଡ଼ ସମୟ ଚାରାର ଯତ୍ନ ପାଇଁ ବି ନିଆଯାଉଛି । ଶିଶୁ ଭଳି ଯତ୍ନ ପାଇବା ପରେ ଛାତ ଉପରେ ଠିଆ ହେଉଛି ଚାରା । ଏବେ ଏଭଳି ହଜାରେ ପଣସ ଚାରା ବଡ଼ କରିଛନ୍ତି ରାଜଧାନୀର ଜଣାଶୁଣା ସମାଜସେବୀ ସୁଶାନ୍ତ ସାହୁ । ସୁଶାନ୍ତ ରହୁଥିବା ଘରର ଛାତ ଉପରେ ବଡ଼ କରାଇଥିବା ପଣସ ଚାରାକୁ ସହର ଉପକଣ୍ଠର ଆଦିବାସୀ ପଲ୍ଲୀରେ ବାଣ୍ଟିବା ପାଇଁ ଯୋଜନା କରିଛନ୍ତି ।ସମ୍ପ୍ରତି ପ୍ରକୃତି ଯେଉଁ ମାତ୍ରାରେ ବିଗିଡ଼ି ଗଲାଣି ତାହା ପରିବେଶବିତ୍‌, ପରିବେଶପ୍ରେମୀଙ୍କ ଚିନ୍ତାର କାରଣ ପାଲଟି ଯାଇଛି । କେତେବେଳେ ସୁପର ସାଇକ୍ଲୋନ ତ ଆଉ କେତେବେଳେ ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ବୁଲ୍‌ବୁଲ ପରି ସାମୁଦ୍ରିକ ଝଡ଼ । ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ କାରଣ ଯୋଗୁଁ ଛଅ ଋତୁ ଆଜି ସାତ ସପନ । ଶ୍ରାବଣରେ ବୈଶାଖୀର ତାତି, ପୌଷ, ମାଘ ମାସରେ ଗରମ ଅନୁଭୂତ ହେଉଛି । ଆଷାଢରେ  ମୌସୁମୀ ନିଖୋଜ । ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ବଢିଚାଲିଛି । ଭୂତଳ ଜଳ ନିମ୍ନଗାମୀ ହେଉଛି । ମୃତ୍ତିକା କ୍ଷୟ ବଢିବା ସହ ବୃଷ୍ଟିପାତ କମିବାରେ ଲାଗିଛି । ରୋଗ ଆଣୁଛି ପାଣିପାଗ । ଏସବୁକୁ ନିୟନ୍ତ୍ରଣ ପାଇଁ ମାନବ ସମାଜର ବ୍ୟକ୍ତିଗତ ଉଦ୍ୟମ ଶୂନ । ଯଦି ଏବେଠୁ ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ଚିନ୍ତା ନ କରନ୍ତି, ମାନବ ସମାଜ ସମୂଳେ ଧ୍ୱଂସ ପାଇଯିବ । ପରିବେଶ ପ୍ରତି ଏଭଳି ଭୟାବହତାକୁ ଉପଲବ୍ଧି କରି ସୁଶାନ୍ତ ନିଜ ବ୍ୟକ୍ତିଗତ ଉଦ୍ୟମରେ ମାଟି, ଗୋବରଖତ, ବାଲି, ଚାରା ଜରି, ବିହନ ଏକାଠି କରି ଛାତ ଉପରେ ପ୍ରସ୍ତୁତ କରିଛନ୍ତି ଏକ ହଜାର ପଣସ ଚାରା । ଏ ସମ୍ପର୍କରେ ପଚାରିଲେ ସୁଶାନ୍ତ କୁହନ୍ତି ଜଙ୍ଗଲର ପରିସୀମା ଧୀରେ ଧୀରେ ସଙ୍କୁଚିତ ହେଉଛି । ଖାଦ୍ୟ ଅଭାବ ଯୋଗୁଁ ବନ୍ୟଜନ୍ତୁ ପ୍ରତ୍ୟହ ଜନବସତି ମୁହାଁ ହେବା ସହ ଶେଷରେ ସେମାନଙ୍କର ଅକାଳ ବିୟୋଗ ହେଉଛି । କିଛି ବର୍ଷ ହେଲା ସାମୁଦ୍ରିକ ଝଡ଼ରେ ଲକ୍ଷ ଲକ୍ଷ ଫଳଗଛ ଉଜୁଡ଼ି ଯାଇଛି । ଏହି ପରିପ୍ରେକ୍ଷୀରେ ପକ୍ଷୀ ହୁଅନ୍ତୁ ବା ଜୀବଟିଏ ହେଉ ସେମାନଙ୍କ ପାଇଁ ଖାଦ୍ୟ ନିହାତି ଦରକାର । ନିକଟରେ ଥିବା ଚନ୍ଦକା-ଡମ୍‌ପଡ଼ା ଅଭୟାରଣ୍ୟରେ ଏ ପଣସ ଚାରା ଲଗାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରୀ ସାହୁଙ୍କ ଏହା ଏକ ଛୋଟିଆ ଉଦ୍ୟମ ହେଲେ ବି ଅନ୍ୟମାନଙ୍କ ପାଇଁ ଏହା ବଡ଼ ଉଦାହରଣ ନୁହେଁ ତ ଆଉ କ’ଣ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ