ଛୋଟ ପିଲାଙ୍କୁ ମୋବାଇଲର କୁପ୍ରଭାବରୁ ରକ୍ଷା କରିବାକୁ କରାଯାଉଛି ସଚେତନ

କଟକ, (ଯୁଗାବ୍ଦ ନ୍ୟୁଜ):ଛୋଟ ପିଲାମାନଙ୍କ ମଧ୍ୟରେ ଅତ୍ୟଧିକ ମୋବାଇଲ ବ୍ୟବହାର ଏବେ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି। ବିଶେଷ କରି ସ୍କୁଲ୍ ଯାଉଥିବା ପିଲାମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଯାହାର ପ୍ରଭାବ ସେମାନଙ୍କ ପାଠ ପଢ଼ା ସହ ବ୍ୟକ୍ତିତ୍ବ ଗଠନ ଉପରେ ପଡ଼ୁଛି। କୋଭିଡ ସମୟରେ ଆରମ୍ଭ ହୋଇଥିବା ଅନଲାଇନ ପାଠପଢ଼ା ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ଯେତିକି ଉପକୃତ କରିଥିଲା ଅଭିଭାବକ ମାନଙ୍କ ପାଇଁ ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଥିଲା । ଅନଲାଇନରେ ପାଠ ପଢ଼ିବା ବାହାନାରେ ଅନେକ ଛୋଟ ଛୋଟ ପିଲା ବିଭିନ୍ନ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଏହାର ବହୁଳ ବ୍ୟବହାର କରିବା ଦେଖାଯାଇଥିଲା। ଫଳରେ ସଠିକ୍ ଭାବେ ଅନଲାଇନରେ ଭାବ ଆଦାନ ପ୍ରଦାନର କାଇଦା କଟକଣା ଜାଣିନଥିବା ଛୋଟ ଛୋଟ ପିଲାମାନେ ସାଇବର ଠକଙ୍କ ଶୀକାର ହେବା ସହ ଅସାମାଜିକ ତତ୍ତ୍ଵମାନଙ୍କର ଶୋଷଣର ଶୀକାର ହୋଇଥିଵା ଅନେକ ନଜିର ରହିଛି। ଏବେବି ଏହି ଧାରା ଜାରି ରହିଛି। ଏମିତିରେ ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ମଧ୍ୟରେ ମୋବାଇଲର ଅନୁଚିତ ବ୍ୟବହାରରୁ ନିବୃତ୍ତ ରହିବା ପାଇଁ ଡିଜିଟାଲ ଡିଆଡିକ୍ସନ ଅଭିଯାନ ଆରମ୍ଭ କରିଛନ୍ତି। ସେପଟେ ଅଧିକାଂଶ ଶିକ୍ଷକ, ଅଭିଭାବକ କହିଛନ୍ତି ମୋବାଇଲର ସଦୁପଯୋଗ କରିପାରିଲେ,ଏହା ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନର ପରିସୀମା ବୃଦ୍ଧିରେ ସହାୟକ ମଧ୍ୟ ହୋଇପାରିବ। ଅନଲାଇନରେ ଅନେକ କିଛି ଭଲ ଜିନିଷ ମଧ୍ୟ ରହିଛି। ଛୋଟ ଛୋଟ ପିଲା ମାନେ ଅନଲାଇନରେ ବିଭିନ୍ନ ପାଠ ବୁଝିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ନିଜ ନିଜ ରୁଚି ଅନୁସାରେ ବା ନିଜର ହବି ଅନୁସାରେ କିଛି ଶିଖିବାର ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ପିଲାମାନଙ୍କୁ ଅନଲାଇନରେ ସେଭଳି ଜିନିଷ ଦେଖିବା ପାଇଁ ପ୍ରେରଣା ଦେବା ଉଭୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ବୋଲି ଅନେକ ମତ ଦିଅନ୍ତି। ତେଣୁ ଛୋଟ ଛୋଟ ପିଲାମାନେ ଯଦି ସେଭଳି ଉଦାହରଣକୁ ଅନୁକରଣ ବା ଅନୁସରଣ କରିବେ, ତେବେ ସ୍ମାର୍ଟ ଫୋନ୍ ସେମାନଙ୍କ ପାଇଁ ଆଶୀର୍ବାଦ ପାଲଟିଯିବ ବୋଲି ମତ ଦେଇଛନ୍ତି ଅଧିକାଂଶ ଶିକ୍ଷକ, ଶିକ୍ଷୟିତ୍ରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ