ଛୟାଳସିଂ ଗ୍ରାମ୍ୟ ରାସ୍ତା ତାଡି ଦେଲା ପ୍ରଶାସନ, ଯାତାୟତରେ ଅସୁବିଧା ଭୋଗୁଛନ୍ତି ଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ଆର୍.ଆଇ ଅଫିସ ଦେଇ ଛୟାଳସିଂ ଗ୍ରାମକୁ ଯାଇଥିବା ରାସ୍ତାକୁ ଗତ ୧୩ ତାରିଖରେ ନିକଟସ୍ଥ ଯେନା ସାହି ରାସ୍ତାରେ ପାଣି ଜମି ରହିବା ଫଳରେ ପ୍ରଶାସନ ପକ୍ଷରୁ ତାଡି ଦିଆଯାଇଥିଲା । ୪ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ପାଇପ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଗ୍ରାମବାସୀ ମାନେ ଦେଢ କିମି ଦୂର ରାସ୍ତା ବୁଲି ବଜାରକୁ ଯାଆସ କରୁଥିବା ଦେଖାଯାଇଛି । ଉକ୍ତ ଗ୍ରାମର ୭ନଂ.ୱାର୍ଡର ପ୍ରାୟ ଦେଢ ଶହରୁ ଉର୍ଦ୍ଧ୍ୱ ଘରର ପ୍ରାୟ ହଜାରେ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏଥିସହ ବିଭିନ୍ନ ପଞ୍ଚାୟତରୁ ଲୋକ ମାନେ ଆର୍.ଆଇ ଅଫିସକୁ ଯାଇଥାନ୍ତି । ଏହା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହାକୁ ତୁରନ୍ତ ମରାମତି କରିବା ପାଇଁ ବିଜୟ ନାୟକ, ଖଗେଶ୍ୱର ବେହେରା, ରାମ ଚନ୍ଦ୍ର ମହାନ୍ତି, କାର୍ତ୍ତିକ ଜେନା, ଲିଟୁ ଜେନା, ବାପି ଜେନା, ରମେଶ ତ୍ରିପାଠୀ, କୂଳମଣି ନାୟକ, ଦୁର୍ଗା ଚରଣ ପଣ୍ଡା, ସନ୍ତୋଷ କୁମାର ନାୟକ, ପିଣ୍ଟୁ ଜେନା, ଗଜେନ୍ଦ୍ର ଜେନା ପ୍ରମୁଖ ତହସିଲଦାର ଓ ବିଡିଓଙ୍କୁ ଜଣାଇଛନ୍ତି । ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନ ପାଇଁ ପାଇପ ବ୍ୟବସ୍ଥା କରି ମରାମତି କରିବାକୁ ଦାବୀ ହୋଇଛି ।