ଜଗତସିଂହପୁର ସୋମନାଥ ହାଟ ଚାଳଘରେ ନିଆଁ ଲଗାଇ ଜାଳି ଦେଲେ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଅପରାହ୍ନରେ ଜଗତସିଂହପୁର ସୋମନାଥ ହାଟ ଚାଳଘର ଗୁଡିକରେ କୌଣସି ଦୁର୍ବୁତ୍ତ ନିଆ ଲଗାଇ ଦେଇ ଥିବା ଦେଖିବାକୁ ମିଳିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଏହି ହାଟ ଉପରେ ଜିଲ୍ଲାର ୭୦ଭାଗ ଜନସାଧାରଣ ପନିପରିବା ଠାରୁ ଆରମ୍ଭ କରି ଗୋରୁ ଗାଈ ଛେଳି ମେଣ୍ଢା, ଶୀଳ ଚକି, ଦା, ପନିକି, କଟୁରୀ, ଡାଲି ତେଲ ଆଦି ପ୍ରତ୍ଯେକ ଜିନିଷ ପାଇଁ ନିର୍ଭର କରିଥାନ୍ତି। ପାଖାପାଖି ୩/୪ଟିଜିଲ୍ଲାର ଜନସାଧାରଣ ଏହି ହାଟରେ ବେପାର ବଣିଜ କରି ନିଜ ନିଜ ପରିବାର ଭରଣ ପୋଷଣ କରିଥାନ୍ତି। ସପ୍ତାହର ଦୁଇ ଦିନ ଶନିବାର ଓ ମଙ୍ଗଳ ବାର ଏହି ହାଟ ହୋଇଥାଏ। ରାତି ପାହିଲେ ଅଷ୍ଟମୀ ହାଟ ହୋଇଥାନ୍ତା। ଏବେ ଏହି ହାଟ ଉପରେ ନିର୍ଭର କରୁଥିବା ଗ୍ରାହାକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ। କାରଣ ସରକାରୀ କର୍ମଚାରୀ ପୁରୁଷ ନାରୀ ନିର୍ବିଶେଷରେ ସମସ୍ତେ ଅଫିସ୍ କାମ ସାରି ପନି ପରିବା ସମସ୍ତ ପ୍ରକାର ଘରୋଇ ସାମଗ୍ରୀ ପାଇଁ ସୋମନାଥ ହାଟକୁ ଆସନ୍ତି। ସକାଳ ୮ଟା ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ନିର୍ବିଘ୍ନରେ ସପ୍ତାହକ ପାଇଁ ଜିନିଷ ପତ୍ର କିଣି ଯାଇଥାନ୍ତି। କିଏ କାହିଁକି ଏହି ହାଟର ଚାଳଘର ସବୁ ପୋଡିଦେଲା ସେହି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଟ ପାଚେରୀ ନିକଟରେ ପୋଲିସ ଫାଣ୍ଡି ରହିଛି। ଦୁର୍ବୁତ୍ତ କିପରି କେତେବେଳେ କେମିତି ନିଆଁ ଲଗାଇଲା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଜଗତସିଂହପୁର ଦମକଳ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।