ଜଗଦଳପୁର ହାଇସ୍କୁଲର ବାର୍ଷିକ ଉତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ୬୧ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ବୁଧବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ମୁଖ୍ୟବକ୍ତା ରୂପେ ଖଣ୍ଡଦେଉଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ଶଙ୍କର ନାରାୟଣ ବେଜ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା, ରେଳ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସୁରେନ୍ଦ୍ର ନାଥ ପଣ୍ଡା, ସରପଞ୍ଚ ଶୈଳବାଳା ଦଳେଇ, ସମିତି ସଭ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ଉପରେ ସ୍ମୃତି ଚାରଣ କରି ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ କହିଲେ ଯେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲର ପୁରସ୍କାର ବିତରଣ ଉତ୍ସବ ଅବସରରେ ସ୍ୱର୍ଗତ ରଘୁନାଥ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ସାଗରିକା ତ୍ରିପାଠୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ଶୁଭମ୍ ବେହେରା, ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ଶୁଭମ୍ ରାଉତ, ୨୦୨୩-୨୪ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ଟପର୍ ହୋଇଥିବା ଶୁଭମ୍ ଦାଶ, ଦୀପକ କୁମାର ନାୟକ, ଲକ୍ଷ୍ମୀ ଦାଶ, ବାର୍ଷିକ ଖେଳକୁଦ ପ୍ରତିଯୋଗିତାରେ ବାଳକ ବର୍ଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ବିକାଶ ଲେଙ୍କା ଓ ବାଳିକା ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଆଦ୍ୟାଶା ଗୌଡ, ଶ୍ରେଷ୍ଠ ଛାତ୍ର ରୂପେ ଆୟୁଷ ଗୌଡଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକଙ୍କୁ ବିମୋହିତ କରିଦେଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପୁଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲର ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ଶିକ୍ଷକ ସୁଶିଲ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଶ୍ରୀମତୀ ସୁନିତା ପରିଚ୍ଛା, ଶ୍ରୀମତୀ ଇଶ୍ୱରୀ ମହାପାତ୍ର, କୁମାରୀ ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନିଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା