ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ ଗୁଣ୍ଠପଡା ଗ୍ରାମ ସ୍ଥିତ ଅତି ପୁରାତନ ଜଗଦଳପୁର ହାଇସ୍କୁଲର ୬୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଛାତ୍ର ମାନେ ପାଠପଢା ସହ ଖେଳକୁଦ ପ୍ରତି ଗୁରୁତ୍ୱ ଦେଲେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସାଙ୍ଗକୁ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବେ ବୋଲି ମତବ୍ୟକ୍ତ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, ଡିସ୍‌କସ୍ ଥ୍ରୋ, ସଟ୍‌ଫୁଟ୍ ଥ୍ରୋ, କବାଡି, ଖୋଖୋ, କ୍ରିକେଟ୍‍, ବ୍ୟାଡମିଣ୍ଟନ, ମ୍ୟୁଜିକ୍‍ ଚେୟାର୍‍ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୁଣ୍ଠପଡା ଛକ ସ୍ଥିତ ଜଗଦଳପୁର ହାଇସ୍କୁଲର ୬୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଘାଟନୀ ଦିବସରେ ଛାତ୍ରଛାତ୍ରୀମାନେ ପ୍ରସିଦ୍ଧ ଶୈବପୀଠ ଇଶାନେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସାରି ଏକ ମଶାଲ୍‍ ଶୋଭାଯାତ୍ରାରେ ବାହାରି ଖେଳିପଡିଆରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର କ୍ରୀଡାଧ୍ୱଜା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ସମାରୋହକୁ ଉଦ୍‍ଘାଟନ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡାଶିକ୍ଷକ ଜି.ଆନନ୍ଦ ପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଇଶ୍ୱରୀ ମହାପାତ୍ର, ସୁନିତା ପରିଚ୍ଛା, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, କିରାଣୀ ଆଶାଲତା ପ୍ରଧାନ, କର୍ମଚାରୀ ପ୍ରଶାନ୍ତ କୁମାର ମୁନିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୁଣ୍ଠପଡା ଛକ ସ୍ଥିତ ଜଗଦଳପୁର ହାଇସ୍କୁଲର ବାର୍ଷିକ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ