ଜଗନ୍ନାଥ ଜମି ଚିହ୍ନଟ ପାଇଁ ଗଠନ ହେବ କମିଟି
ଭୁବନେଶ୍ୱର: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଚିହ୍ନଟ ପାଇଁ କମିଟି ଗଠନ କରାଯିବ । ରାଜସ୍ୱ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ କୁହାଯିବ । କମିଟି ପ୍ରଭୁ ଜଗନ୍ନାଥଙ୍କ ଜମି ଚିହ୍ନଟ କଲେ ସେସବୁକୁ ଅଣାଯାଇ ପାରିବ ବୋଲି ସେ କହିଛନ୍ତି ।
ସେହିପରି ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଜପତି ମହାରାଜ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ଅଦିନିଆ ରଥଯାତ୍ରା ଆଉ ନକରିବାକୁ ଗଜପତି ଇସ୍କନ ମୁଖ୍ୟଙ୍କୁ ଜଣାଇବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।


