ଜଗାକୁ କନ୍ଧମାଳ ଡାକ୍ତରଖାନାରେ ରଖିବାକୁ ମା’ଙ୍କ ଆବେଦନ, ଏମସ୍‌ ଡାକ୍ତରଙ୍କ ସହ ଆଲୋଚନା କରିବେ ଏସ୍‌ସିବି କର୍ତ୍ତୃପକ୍ଷ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳର ଯାଆଁଳା ଭାଇ କାଳିଆ ମୃତ୍ୟୁପରେ ଜଗା ଏକୁଟିଆ ହୋଇଯାଇଛି। ବାରମ୍ବାର କାଳିଆକୁ ଖୋଜୁଛି। କାଳିଆ ଗାଁରେ ଅଛି ବୋଲି ଆମେ ତାକୁ ବୁଝାଇ ଦେଇଛୁ। ଏହାବାଦ୍‌ କାଳିଆର ଅଧିକ ଚିକିତ୍ସା ଓ ଡାକ୍ତରୀ ନିରୀକ୍ଷଣ ଆବଶ୍ୟକ ପଡୁଥିଲା । ହେଲେ ଜଗା କ୍ଷେତ୍ରରେ ସେଭଳି ଆବଶ୍ୟକତା ନାହିଁ । ତେଣୁ ଜଗାକୁ ଏସ୍‌ସିବି ପରିବର୍ତ୍ତେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖି ଚିକିତ୍ସା କରିବାକୁ ଜଗାର ମା’ ପୁଷ୍ପାଞ୍ଜଳି କହଁର ଏସ୍‌ସିବି ଅଧୀକ୍ଷକଙ୍କ ନିକଟରେ ଆବେଦନ କରିଛନ୍ତି। ପୁଷ୍ପାଞ୍ଜଳିଙ୍କ ଏହି ଆବେଦନ ଉପରେ ଏସ୍‌ସିବି କର୍ତ୍ତୃପକ୍ଷ ଏମ୍‌ସ୍‌ ଡାକ୍ତରଙ୍କ ସହ ଆଲୋଚନା କରିବେ। ଯଦି ସ୍ଥିତି ଅନୁକୂଳ ହୁଏ ତେବେ ଜଗା ଏସ୍‌ସିବି ଛାଡ଼ିବ ।ଗତ ବର୍ଷ ସେପ୍ଟେମ୍ବରରୁ ଏସ୍‌ସିବିରେ ଡାକ୍ତରୀ ନିରୀକ୍ଷଣ ଭିତରେ ଥିବା ଜଗାକୁ ଡିସ୍‌ଚାର୍ଜ କରିବା ନେଇ ହୋଇଥିବା ଆବେଦନ ଉପରେ ଗୁରୁବାର ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ସମେତ ଶିଶୁରୋଗ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ ।ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଜଗାକୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯିବା ସଂପର୍କରେ ଦିଲ୍ଲୀ ଏମସ୍‌ ଡାକ୍ତରଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ । ଏହାପରେ ଏମସ୍‌ ଡାକ୍ତରଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଜଗାକୁ ଉପସ୍ଥିତ କରାଯାଇ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯିବ । ପରେ ଏମସ୍‌ ଡାକ୍ତର ଦେଇଥିବା ମତାମତ, ଏସସିବି ଡାକ୍ତରଙ୍କ ଅବଜରଭେସନ ରିପୋର୍ଟ ଆଦିକୁ ଭିତ୍ତି କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦିଆଯିବ । ତା’ପରେ ଜଗା ଏସ୍‌ସିବି ଛାଡିବ କି ନାହିଁ ସେସମ୍ପର୍କରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ