ଜଙ୍ଗଲଜମିକୁ ଖୋଳି ମାଟି ଆଣି ନିମ୍ନ ମାନର ରାସ୍ତା ନିର୍ମାଣ
ଯୋଡ଼ା (ସମୀର କୁମାର ଦାସ) : ଚମ୍ପୁଆ ରେଂଜ ବାଲିବନ୍ଧ ବନାଚଂଳ ଅଧିନସ୍ଥ ଜାମିର୍ତା କମଳପୁର ରାସ୍ତା ନିର୍ମାଣରେ ଜଙ୍ଗଲଜମିକୁ ଖନନ କରି ନିମ୍ନ ମାନର ରାସ୍ତା ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଥିବା ଖବର ହସ୍ତଗତ ହୋଇଛି । ସ୍ଥାନୀୟ ଜାମିର୍ତା ଓ କମଳପୁର ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୁରୁଡି ଠାରୁ କମଳପୁର ୮.୭୬ କିଲୋମିଟର ଦୂରତ୍ୱ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟାଦେଶ ଜଣେ ଠିକାଦାରଙ୍କୁ ଦିଆଯାଇଛି । କାର୍ଯ୍ୟାଦେଶ ପାଇବା ପରେ ଚମ୍ପୁଆ ଉପଖଣ୍ଡର ପାନ୍ଚପୋଖରିଆ ଗ୍ରାମର ଠିକାଦାର ଜଣକ ଜାମିର୍ତା ଓ କମଳପୁର ଗ୍ରାମଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ କରୁଅଛନ୍ତି । ଠିକାଦାର ଜଣକ ରାସ୍ତା ନିର୍ମାଣର ସମସ୍ତ ନୀତିନିୟମକୁ ନମାନି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କମଳପୁର ଗ୍ରାମର ପ୍ରଶାନ୍ତ ଘଣା., ମିତ୍ରଭାନୁ ବେହେରା, କମଳାକାନ୍ତ ବେହେରା, ଭୋଳାନାଥ ଘଣା, ଶରତ ଘଣା, ନିରଂଜନ ଘଣା ପ୍ରମୁଖ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସମୁଦାୟ ରାସ୍ତାରେ ୧୬ ଗୋଟି କଲଭର୍ଟ ଓ ସେତୁ ନିର୍ମାଣ କରାଯିବା ପରିବର୍ତେ ଠିକାଦାର ଜଣକ ତାହା ନକରି ପୁରୁଣା କଲଭର୍ଟ ଓ ସେତୁ ଗୁଡିକୁ ମରାମତି କରି ଚାଲିଛନ୍ତି । ରାସ୍ତାରେ ମୋରମ ପକାଯିବା ପରିବର୍ତେ ରାସ୍ତା ପାଖ ପଟ୍ଟା ଭୁକ୍ତ ଜମିରୁ ଜୋର ଜବରଦସ୍ତ କରି ଜଙ୍ଗଲଜମିକୁ ଖନନ କରି ବିନା ଅନୁମତିରେ ମାଟି ଆଣି ରାସ୍ତା କାର୍ଯ୍ୟରେ ଲଗାଉଛନ୍ତି । ରାସ୍ତାରେ ଥିବା ପୂର୍ବ ପିଚକୁ ଖୋଳି ସାମାନ୍ୟ ମାଟି ପକାଇ ,ରୋଲର ଲଗାଇ ରାସ୍ତା ନିର୍ମାଣ କରାଯାଉଛି । ଯାହାଦ୍ୱାରା ରାସ୍ତାର ସ୍ଥାୟିତ୍ୱ ଉପରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଗତ ୨୨ ତାରିଖରେ ଗ୍ରାମବାସୀ ଏହାର ବିରୋଧ କରି ଉପଯୁକ୍ତ ମାଟି ସ୍ତର, ମେଟାଲ ସ୍ତର କରିବାକୁ କହିବାରୁ ଠିକାଦାରଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ ଗୁଣ୍ଡା ଶ୍ରେଣୀୟ ଲୋକଙ୍କ ମାଧ୍ୟମରେ ଧମକ ଦେଇ ଭୟଭୀତ କରାଯାଇଥିବା ପ୍ରଶାନ୍ତ ଘଣା ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣରେ ନିମ୍ନମାନର ତଥା ଅନିୟମିତତା କଲେ ଠିକାଦାରଙ୍କ ବିରୋଧରେ ପ୍ରଶାସନ ଓ ପୋଲିସ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି । ଜାମିର୍ତା ଗାଁ ମୁଣ୍ଡରେ ଥିବା ଜଙ୍ଗଲଜମିକୁ ବେଆଇନ୍ ଭାବେ ବ୍ୟବହାର କରି ରାସ୍ତା ନିର୍ମାଣ କରାଯାଉଥିବାରୁ ଏହାକୁ ମଧ୍ୟ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଏ ସମ୍ପର୍କରେ ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ ଙ୍କୁ ପଚାରିବାରୁ ସେ ମାଟି ଖୋଳିବା ପାଇଁ କୌଣସି ଅନୁମତି ନେଇନଥିବା କହିବା ସହିତ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିବେ ବୋଲି କହିଥିଲେ । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଂଜିତ ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ହେତୁ ରାସ୍ତା ନିର୍ମାଣକାର୍ଯ୍ୟ ବନ୍ଦ କରାଯାଇଥିଲା । ପରବର୍ତୀ ସମୟରେ ଏହା ଆରମ୍ଭ ହୋଇଛି । ଆସନ୍ତାକାଲି ସେ ମଧ୍ୟ ଘଟଣାସ୍ଥଳକୁ ଯାଇ ନିମ୍ନମାନର କାର୍ଯ୍ୟର ତଦାରଖ କରିବେ ବୋଲି କହିଛନ୍ତି ।