ଜଙ୍ଗଲ ଗାଁରେ ବଡ଼ ଦିନର ନିଆରା ଧୂମ୍ଗଛ ବାଣ୍ଟିଲେ ସାନ୍ତାକ୍ଲଜ୍
ଭୁବନେଶ୍ୱର : ବଡ଼ ଦିନର ଧୂମ୍ ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଜଙ୍ଗଲ ଘେରା କନ୍ଦଳେଇ ଆଦିବାସୀ ପଲ୍ଲୀରେ । କେକ୍ ଓ ଗିଫ୍ଟ ଦିଆନିଆ ବଦଳରେ ସାନ୍ତାକ୍ଲଜ୍ ଗାଁର ପ୍ରତ୍ୟେକ ପରିବାରକୁ ପଣସ ଗଛର ଚାରା ସହିତ ଚକୋଲେଟ ଉପହାର ଦେଉଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ସାନ୍ତାକ୍ଲଜ୍ ଙ୍କ ଠାରୁ ଜଙ୍ଗଲ ଓ ବୃକ୍ଷର ଉପକାରିତା ବିଷୟରେ ଶୁଣି କେବଳ ଖୁସି ହେଉନଥିଲେ ବରଂ ସଚେତିତ ହେଉଥିଲେ । ନୂଆବର୍ଷ ଓ ବଡ଼ଦିନ ପାଳନ ପାଇଁ ସହରରେ ଆଲୋକ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଥିବା ବେଳେ ସାନ୍ତାକ୍ଲଜ୍ କିନ୍ତୁ ଜଙ୍ଗଲ ଗାଁରେ ଲୋକଙ୍କୁ ଗଛ ବାଣ୍ଟିବା ସହ ଗ୍ରାମବାସୀଙ୍କୁ ସଚେତିତ କରାଇଥିଲେ ।
ଗାଁର ସମସ୍ତ ବିଦ୍ୟାର୍ଥୀ ସାଜିଥିଲେ ସାନ୍ତାକ୍ଲଜ୍ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ଏଭଳି ଏକ ପରିବେଶ ତିଆରି କରିଥିଲା ଛତାବର ପଞ୍ଚାୟତ ର କନ୍ଦଳେଇ ଗାଁ ରେ । ଗ୍ରାମବାସୀ ସାନ୍ତାକ୍ଲଜ୍ଙ୍କୁ ପାଖରେ ପାଇ ବଡ଼ଦିନର ଖୁସି ବାଣ୍ଟିବା ସହିତ ଗଛର ଯତ୍ନ ନେବାକୁ ଶପଥ କରିଥିଲେ । ଜଙ୍ଗଲର ଦ୍ରୁତ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ଜନିତ ମହାପ୍ରଭାବକୁ ଡ଼ାକି ଆଣିଥିବା ବେଳେ କନ୍ଦଳେଇରେ ‘ଆଶ୍ରା’ର ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରାଯାଇଛି । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ, ପ୍ରିୟବ୍ରତ ପଣ୍ଡା, ଶିକ୍ଷକ ସୁବାସ ଓଝା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


