ଜଙ୍ଗଲ ଜମି ଅଧିକାର ବଞ୍ଚିତ ହଜାର ହଜାର ଆଦିବାସୀ ଓ ବନବାସୀଗଣଧାରଣା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆଦିବାସୀ ଓ ବନବାସୀଙ୍କ ହାତରେ ଜମି ଓ ଜଙ୍ଗଲର ଅଧିକାର , ଗଂଜାମ ଜିଲ୍ଲାର ନାକଚ ହୋଇଥିବା ୬୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଅଧିକାର ତୁରନ୍ତ ପ୍ରଦାନ ଏବଂ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନର ୭ଦଫା ଦାବୀନେଇ ଗଂଜାମ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ସୋମବାର ହଜାର ହଜାର ସଂଖ୍ୟକ ଆଦିବାସୀ ଗଂଜାମଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଗଣଧାରଣା ଜାରି ରହିବ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି । ଆଦିବାସୀ ଓ ବନବାସୀଙ୍କୁ ଜମି ଏବଂ ଜଙ୍ଗଲ ଅଧିକାର ଓ ବିଭିନ୍ନ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ, ଜିଲ୍ଲାରେ ନାକଚ ହୋଇଥିବା ୬୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଶିରୋନାମା ତୁରନ୍ତ ପ୍ରଦାନ ଆଦି ଦାବି ନେଇ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଅଖିଳ ଭାରତ କିଷାନ ମଜଦୂର ସଭା, ଆଦିବାସୀ ଭାରତ ମହାସଭା, ଚାଷୀ ମୂଲିଆ ସଂଘ, ଜିଲ୍ଲା ଆଦିବାସୀ ମଞ୍ଚ, ଜିଲ୍ଲା ଗ୍ରାମସଭା ସାମ୍ମୁଖ୍ୟ ସଂଗଠନ ସାମିଲ ହୋଇଛନ୍ତି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୁଧାଂଶୁ ଶେଖର ମାନ୍ଧତା, ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଟା ପ୍ରଧାନଙ୍କ ସମେତ ୪ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା । ଆଦିବାସୀମାନଙ୍କ ପ୍ରମୁଖ ଦାବି ମଧ୍ୟରେ ମନଇଛା ଖାରଜ ହୋଇଥିବା ଜଙ୍ଗଲ ଅଧିକାର ଆବେଦନ ପତ୍ରକୁ ତୁରନ୍ତ ଗ୍ରାମସଭାକୁ ଫେରସ୍ତ କରି ଶିରୋନାମା ପ୍ରଦାନର ସୁବ୍ୟବସ୍ଥା କରିବା ଓ ପଟ୍ଟା ମିଳିଥିବା ଜଙ୍ଗଲ ଜମିକୁ ତୁରନ୍ତ ଚିହ୍ନଟ, ଜଙ୍ଗଲ ଜମିରେ ଚାଷ ଓ ବାସ କରି ରହୁଥିବା ସମସ୍ତ ଆଦିବାସୀ ଓ ଅନ୍ୟ ବନଜୀବିଙ୍କୁ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯା. ସମସ୍ତ ଭୂମିହୀନଙ୍କୁ ଜମି ଓ ଘରଡିହ ପଟ୍ଟା ଯୋଗାଇ ଦିଆଯାଉ, ଅଣ ଆଦିବାସୀଙ୍କ ବେଆଇନ ଦଖଲରେ ଥିବା ଆଦିବାସୀ ଜମିକୁ ଆଦିବାସୀଙ୍କୁ ହସ୍ତାନ୍ତର କରାଯାଉ, କାଜୁ ନିଗମ ନିୟନ୍ତ୍ରଣରେ ଥିବା ଜମିକୁ ଅଣ ଆଦିବାସୀଙ୍କୁ ଲିଜ୍ ଦେବା ପରିବର୍ତ୍ତେ ଆଦିବାସୀଙ୍କୁ ହସ୍ତାନ୍ତର କରାଯାଉ, ଆଦିବାସୀ ଅଞ୍ଚଳରେ ଜମି ମାଫିଆ, କାଜୁ ମାଫିଆ ଓ ସେମାନଙ୍କ ଗୁଣ୍ଡାମାନଙ୍କ ଉପଦ୍ରବ ବନ୍ଦ କରାଯାଉ, ଜିଲ୍ଲାର ଆଦିବାସୀ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟସେବା, ପିଇବା ପାଣି, ଜଳସେଚନ, ସେତୁ ଏବଂ ବିଦ୍ୟୁତ୍କରଣର ସୁବ୍ୟବସ୍ଥା କରାଯାଉ, ଆଦିବାସୀ ଓ ନେତାମାନଙ୍କ ଉପରେ ମିଥ୍ୟାକେସ୍, ପୁଲିସର ଦମନ ଓ ଗୁଣ୍ଡାରାଜ ବନ୍ଦ କର । ରାଷ୍ଟ୍ରଦମନ ନୀତିର ଶିକାର ହୋଇଥିବା ସମସ୍ତ ନେତା ଓ ଆଦିବାସୀମାନଙ୍କୁ ନିସର୍ତ୍ତ ଖଲାସ ପ୍ରମୁଖ ରହିଛି । ଏହି ଦିବାରାତ୍ର ଗଣଧାରଣାରେ ଅଖିଳ ଭାରତ କିଷାନ୍ ମଜଦୂର ସଭାର ରାଜ୍ୟ ମୁଖପାତ୍ର ଭାଲ୍ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ସଂପାଦକ ରଘୁନାଥ ନାୟକ ଓ ପ୍ରତାପ ନାୟକ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସଂପାଦକ ଶଙ୍କର ସାହୁ, ପ୍ରଦୀପ ସାହୁ, ଅବନୀ ଗୟା, ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଟୁନା ମଲ୍ଲିକ, ଗଞ୍ଜାମ ଜିଲ୍ଲା ଆଦିବାସୀ ମଞ୍ଚର ସଭାପତି କୈଳାସ ଜାନି, ଗଞ୍ଜାମ ଜିଲ୍ଲା ଗ୍ରାମସଭା ସାମ୍ମୁଖ୍ୟ ଆବାହକ ବିଜୟ ସ୍ୱାଇଁ, ଓଡିଶା ଚାଷୀମୂଲୀଆ ସଂଘର ନିରଞ୍ଜନ ଶବର, ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁଆମିନ୍ ଖାନ୍ଙ୍କ ସମେତ ବହୁ ସଂଗଠନର କର୍ମକର୍ତ୍ତା ଓ ହଜାର ହଜାର ସଂଖ୍ୟାର ଆଦିବାସୀ ପରିବାର ବର୍ଗ ଉପସ୍ଥିତ ରହି ନିଜ ହକ୍ ନିମନ୍ତେ ସ୍ୱର ଉଠାଇଥିଲେ । ପ୍ରାରମ୍ଭରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ହାତରେ ବିଭିନ୍ନ ଦାବିର ଫ୍ଲାଗ୍ କାର୍ଡ ଧରି ଆଦିବାସୀ ସଂପ୍ରଦାୟର ଢୋଲ ବଜାଇ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଆଦିବାସୀମାନେ ଆନ୍ଦୋଳନ ଜାରି ରଖିଥିଲେ ଏବଂ ରିଜର୍ଭ ପୁଲିସ ପଡିଆ ସମ୍ମୁଖରେ ରୋଷେଇ କରି ଖାଦ୍ୟପାନ କରିଛନ୍ତି ।


