ଜଙ୍ଗଲ ଜମି ପାଇଁ ସଂଘର୍ଷ : ପ୍ରଶାସନର ଦ୍ୱାରସ୍ଥ ହେଲେ ଜନଜାତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଗଜପତି ଜିଲାର ନୂଆଗଡ ବ୍ଲକ ପାଇକ ଅନ୍ତରଡା ଅନ୍ତର୍ଗତ ରୁବୁଡିସିଂ ଗ୍ରାମର କିଛି ଆଦିବାସୀ ସଂପ୍ରଦାୟ ବାସିନ୍ଦାମାନେ ସେମାନଙ୍କୁ ସେମାନଙ୍କର ଜଙ୍ଗଲ ଜମି ପ୍ରଦାନ କରାଯାଉ ବୋଲି ଉପଜିଲାପାଳଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକପତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ଏହି ଅଞ୍ଚଳବାସୀଙ୍କ କହିବା ମୁତାବକ ସେମାନେ ନୂଆଗଡ ବ୍ଲକର ରୁବୁଡିସିଂ ଗ୍ରାମର ବାସୀନ୍ଦା ହୋଇଥିବାବେଳେ ତାହା ଏକ ଦୁର୍ଗମ ଅଞ୍ଚଳ ଏବଂ ନକ୍ସଲ ପ୍ରବଣ ଓ ମାଳ ଅଞ୍ଚଳ ଭାବେ ଜଣାଶୁଣା । ସେମାନେ ସମସ୍ତେ ଭୂମିହୀନ, ବାସଗୃହହୀନ, ବହୁକୁଟୁମ୍ଭୀ ଆଦିବାସୀ ଜାତିର ସୌରା ସଂପ୍ରଦାୟର ଲୋକ ଅଟନ୍ତି । ଅଧିକାଂଶ ପରିବାର ଦିନ ମଜୁରିଆ ଭାବେ କାମକରି ସେମାନଙ୍କର ପରିବାର ପରିପୋଷଣ କରିଥାନ୍ତି । ଏହି ଅଞ୍ଚଳବାସୀମାନେ ଗତ ତିତ୍ଲି, ଫାଇଲିନ ଏବଂ ହୁଡ୍ହୁଡ୍ ବାତ୍ୟାରେ ମଧ୍ୟ ବହୁ କ୍ଷୟକ୍ଷତି ସହିଛନ୍ତି । ସେହିପରି ଏହି ଗ୍ରାମଟି ଆର୍.ଉଦୟଗିରି ସହର ଠାରୁ ମାତ୍ର ୧୫କି.ମି. ଦୂରରେ ମଧ୍ୟ ରହିଅଛି । ବହୁ ପୁରାତନ ସମୟରୁ ଏହି ଜନଜାତି ସଂପ୍ରଦାୟର ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ଯଥା ଫଳମୂଳ ଓ ଗଛର ରସକୁ ବ୍ୟବହାର କରି ଚଳି ଆସୁଛନ୍ତି । ଅନ୍ୟପକ୍ଷରେ ରୁବୁଡିସିଂ ରାଜସ୍ୱ ଗ୍ରାମର ମାନ୍ୟତା ମଧ୍ୟ ପାଇଅଛି । ମାତ୍ର ଏହି ଲୋକମାନଙ୍କ ସରଳତାର ସୁଯୋଗନେଇ କିଛି ଅଣଆଦିବାସୀ ଲୋକ ତଥା ତେଲୁଗୁ,ଓଡିଆ ଭାଷାରେ କଥାବାର୍ତ୍ତା ହେଉଥିବା ରାୟଗଡ ଜିଲାର ଗାଇଁନ୍ତା ଜାତିର ଲୋକେ କିଛି ଦିନ ତଳେ ଉକ୍ତ ଗ୍ରାମକୁ ଆସି କିଛି ଦଲାଲଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାର ବିଲ, ପଦର ଏବଂ ଚାଷ ଜମିକୁ ଜୋରଜବରଦସ୍ତିରେ ଛଡାଇନେଇ ସେମାନଙ୍କ ନାମରେ କରିନେଇଛନ୍ତି । ଅନେକ ଜମିର ପଟ୍ଟାମଧ୍ୟ ସେମାନେ କରାଇ ନେଇଛନ୍ତି । ଯେଉଁ ଜଙ୍ଗଲ ଜମି ଗୁଡିକ ଏହି ଅଞ୍ଚଳବାସୀମାନେ ଶହ ଶହ ବର୍ଷ ଧରି ଅକ୍ତିଆରରେ ରଖିଥିଲେ ଏବଂ ସେଥିରୁ ନିଜର ଗୁଜାରଣ ମେଣ୍ଟାଉଥିଲେ ସେ ଗୁଡିକୁ କିଛି ଅଣଆଦିବାସୀ ଲୋକ କିଛି ଦଲାଲଙ୍କ ନାମରେ କରାଇନେଇଥିବାରୁ ବର୍ତ୍ତମାନ ଏହି ଗ୍ରାମର ଏହି ସୌରା ଜାତିର ଲୋକମାନେ ସେଗୁଡିକୁ ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ତେଣୁ ଏହି ଅଞ୍ଚଳବାସୀମାନେ ଏହି ଗ୍ରାମ୍ୟ ଜଙ୍ଗଲ ଜମିଗୁଡିକର ପଟ୍ଟାକୁ ଯେଉଁ ଅଣ ଆଦିବାସୀମାନେ ନେଇଛନ୍ତି ତାକୁ ଖାରଜ କରାଯାଇ ଏହାର ପ୍ରକୃତ ହକଦାରୀ ସେଠିକାର ପୁରାତନ ସୌରା ଜାତିର ଲୋକମାନଙ୍କୁ ପ୍ରଦାନ କରିବାପାଇଁ ନିବେଦନ ଜଣାଇଛନ୍ତି । ସେହିପରି ପୁରୁଷାନୁକ୍ରମେ ଯେଉଁ ଜଙ୍ଗଲ ଜମି ଏମାନଙ୍କ ଦଖଲରେ ଥିଲା ସେଗୁଡିକୁ ଯେଉଁ ଦଲାଲ ଓ ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀମାନେ ଅଣଆଦିବାସୀମାନଙ୍କର ନାମରେ କରାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଗ୍ରହଣ କରିବା ପାଇଁ ଏକ ଲିଖିତ ଅଭିଯୋଗପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ଯଦି ଏହି ସମସ୍ୟାର ସମାଧାନ ନହୁଏ ଆଗାମୀ ଦିନରେ ସେହି ଅଞ୍ଚଳରେ ଏହି ପୁରାତନ ଆଦିବାସୀ ସୌରା ସଂପ୍ରଦାୟ ଓ ଅଣଆଦିବାସୀମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟିହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ସୁବାସ ଗମାଙ୍ଗ କର୍ଣ୍ଣିଏଲ ରଇତ, ସୁକମା ବଡରଇତ, ଫିଲିପ ଦଳବେହେରା, ସୁନା ରାଇକା, ସାଇମନ ରାଇକା, ପ୍ରେମିକା ରାଇକା, ଏଲିଓ ରାଇକା, ଜାକିଓ ରଇତ, ସୁମାଲ୍ୟ ରାଇକା ପ୍ରମୁଖଙ୍କ ସହ ପ୍ରାୟ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଜଣାଇଛନ୍ତି ।


