ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ନିରାକରଣ ସଚେତନତା ସଭା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସଦର ରେଞ୍ଜ ନରଣପୁର ସେକ୍ସନ ପକ୍ଷରୁ ଜଙ୍ଗଲ ନିଆଁ/ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ ସଚେତନତା ସଭା ନରଣପୁର ହାଇସ୍କୁଲ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦୁର୍ଯେ୍ୟାଧନ ସାହୁ ଯୋଗ ଦେଇ ଜଙ୍ଗଲ ନିଆଁ ଯୋଗୁଁ ପ୍ରତିବର୍ଷ ଏକର ଏକର ଜଙ୍ଗଲ ପୋଡି ନଷ୍ଟ ହେବା ସହ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି । ଜଙ୍ଗଲ ନିଆଁ ଯୋଗୁଁ ପ୍ରାକୃତିକ ସମ୍ପଦ ପୋଡି ପାଉଁଶ ହେବା ସହ ଜଳବାୟୁ ଉପରେ ଏହାର କୁପ୍ରଭାବ ପଡୁଛି । ଜଙ୍ଗଲ ନିଆଁ ରୋକା ଯାଇ ପାରିଲେ ପରିବେଶ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନରଣପୁର ଫରେଷ୍ଟର କାଳନ୍ଦି ସାମଲ,ଫରେଷ୍ଟର ରାଜେଶ୍ୱରୀ ମହାନ୍ତ,ଫରେଷ୍ଟ ଗାର୍ଡ ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଜଙ୍ଗଲ ସୁରକ୍ଷିତ ରହିଲେ ମାନବ ସମାଜ ର ଉପକାର ସାଧିତ ହେବ । ନରଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁ,ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱର୍ଣ୍ଣପ୍ରଭା ଚକ୍ର,ଶିକ୍ଷକ ଅସିତ କୁମାର ପ୍ରହରାଜ,ଶିକ୍ଷକ ବିଶ୍ୱନାଥ ସାଇନ୍ତା,କ୍ରୀଡା ଶିକ୍ଷକ ସମରଜିତ୍ ସିିଂ,ଶିକ୍ଷୟିତ୍ରୀ ସୁମିତ୍ରା ମହାନ୍ତ,ଶିକ୍ଷୟିତ୍ରୀ ମନୀଷା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବନ ସୁରକ୍ଷା ସମିତିର ସଦସ୍ୟ,ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା,ବନ କର୍ମଚାରୀମାନେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଜଙ୍ଗଲ ନିଆଁକୁ କିପରି ନିୟନ୍ତ୍ରଣ କରାଯିବ,ହାତୀ ସୁରକ୍ଷା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଜଙ୍ଗଲ ଏବଂ ଜଙ୍ଗଲ ଜୀବଜନ୍ତୁ ଆମର ସମ୍ପଦ ଏବଂ ଏହାର ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ । ମାର୍ଚ୍ଚ ମାସଠାରୁ ଅପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଅଖଣ୍ଡ ଶୀକାର ଯେପରି ଲୋକମାନେ ନ କରିବେ ସେ ଉପରେ ଲୋକମାନଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ହୋଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଜଙ୍ଗଲରେ ଅଗ୍ନି ନିୟନ୍ତ୍ରଣ ଉପରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରୀ ବର୍ଷା ମୁଣ୍ଡା,ଲିଜା ସୁଲିଆ,ରୁନୁ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଏବଂ ଛାତ୍ରଛାତ୍ରୀ ତଥା ଶିକ୍ଷକ/ଶିକ୍ଷୟିତ୍ରୀ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଇଥିଲେ । ଶେଷରେ ନରଣପୁର ଫରେଷ୍ଟର କାଳନ୍ଦି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


